Sun. Mar 8th, 2026

ସାବରିମାଲା ମନ୍ଦିରରେ ପ୍ରବେଶ କଲେ ଶ୍ରୀଲଙ୍କାର ମହିଳା

201 Views

ତିରୁବନନ୍ତପୁରମ, ଜାନୁଆରୀ ୦୪  : ଗୁରୁବାର ରାତିରେ ସାବରିମାଲା ମନ୍ଦିର ମଧ୍ୟକୁ ଶ୍ରୀଲଙ୍କାର ଜଣେ ୫୦ ବର୍ଷରୁ କମ୍‌ ବୟସ୍କା ମହିଳା ପ୍ରବେଶ କରିଛନ୍ତି। ଉକ୍ତ ମହିଳାଙ୍କ ନାମ ଶଶିକଳା ବୋଲି ରିପୋର୍ଟରୁ ଜଣାପଡ଼ିଛି। ତାଙ୍କୁ ୪୬ ବର୍ଷ, କିନ୍ତୁ ତାଙ୍କର ଋତୁକାଳ ବନ୍ଦ ହୋଇଯାଇଥିବା ସେ କହିଛନ୍ତି।

୫୦ ବର୍ଷରୁ କମ୍‌ ବୟସ୍କା ହୋଇଥିଲେ ମଧ୍ୟ ସେ ମନ୍ଦିର ମଧ୍ୟକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କର ଋତୁକାଳ ଚିରଦିନ ଲାଗି ବନ୍ଦ ହୋଇ ଯାଇଛି ବୋଲି ସେ ପୁଲିସକୁ ସୂଚନା ଦେଇଥିବା କଥା କୁହାଯାଉଛି।

ଏହାର ପ୍ରମାଣ ସ୍ୱରୂପ ସେ ଡାକ୍ତରୀ ସାର୍ଟିଫିଟେକ୍‌ ଦାଖଲ କରିଥିବା କଥା ଦାବି କରିଛନ୍ତି। ଗୁରୁବାର ରାତି ପ୍ରାୟ ୯: ୩୦ରେ ସେ ମନ୍ଦିରକୁ ପ୍ରବେଶ କରିଥିଲେ। କେତେକ ଲୋକ ତାଙ୍କୁ ଅଟକାଇ ବୟସ କେତେ ବୋଲି ପଚାରିଥିଲେ। ପୁଲିସ ତାଙ୍କୁ ସହାୟତା ପ୍ରଦାନ କରିଥିଲା।

ସେ କହନ୍ତି: ମୁଁ ପବିତ୍ର ପାବଚ୍ଛଶ୍ରେଣୀ ଯାଏଁ ଗଲି, କିନ୍ତୁ ଆହୁରି ଭିତରକୁ ଯିବାକୁ ଅନୁମତି ମିଳିଲା ନାହିଁ। ମୁଁ ଡାକ୍ତରୀ ସାର୍ଟିଫିକେଟ୍‌ ମଧ୍ୟ ଆଣିଥିଲି।

ସର୍ବଶେଷ ଖବର ଅନୁସାରେ, ଶଶିକଳା ଆୟାପ୍ପାଙ୍କ ମନ୍ଦିର ଭିତରକୁ ଯାଇଥିବା ଖବରକୁ ମିଥ୍ୟା ବୋଲି କହିଛନ୍ତି। ଡାକ୍ତରୀ ସାର୍ଟିଫିକେଟ୍‌ ଦେଖାଇବା ସତ୍ତ୍ୱେ ତାଙ୍କୁ ଭିତରକୁ ଯିବାକୁ ଅନୁମତି ନ ଦେଇ ଫେରାଇ ଦିଆଯାଇଛି ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି।

ନିକଟରେ ପ୍ରଭୁ ଆୟାପ୍ପାଙ୍କ ମନ୍ଦିରକୁ ପ୍ରବେଶ କରିବାରେ ଶ୍ରୀଲଙ୍କାର ଏହି ମହିଳା ହେଉଛନ୍ତି ୫୦ ବର୍ଷରୁ କମ୍‌ ବୟସ୍କା ତୃତୀୟ ମହିଳା।
ଜାନୁଆରି ୨ ତାରିଖରେ ବିନ୍ଦୁ ଓ କନକଦୁର୍ଗା ନାମ୍ନା ଦୁଇ ମହିଳା ମନ୍ଦିରରେ ପ୍ରବେଶ କରିବାରୁ ରାଜ୍ୟବ୍ୟାପୀ ପ୍ରତିବାଦ ଦେଖା ଦେଇଛି।

By amfnews

Related Post