Mon. Nov 25th, 2024

ସାତଫେଣିଆ ସାପକାତି ଦେଖିବାକୁ ବେଙ୍ଗାଲୁରୁ ନିକଟରେ ଜନଗହଳି

By amfnews Oct 10, 2019 #Featured
113 Views

ବେଙ୍ଗାଲୁରୁ : ଗୋଟାଏ ସାତଫେଣିଆ ସାପ କାତି ଦେଖିବାକୁ ବେଙ୍ଗାଲୁରୁ ସହର ଠାରୁ ୬୦ କିଲୋମିଟର ଦୂର କନକପୁର ଅଞ୍ଚଳର ମାରିଗୌଡ଼ନା ଡୋଡ୍ଡି ଗାଁରେ ବୁଧବାର ଠାରୁ ଜନଗହଳି ଲାଗି ରହିଛି।

ଗୋଟାଏ ମନ୍ଦିର ପାଖ ବିଲରେ ସ୍ଥାନୀୟ ଲୋକେ ଏହି ସାପକାତିକୁ ଦେଖିବା ପରେ କଥାଟି ଚାରିଆଡ଼େ ରାଷ୍ଟ୍ର ହୋଇ ଯାଇଥିଲା। ଏହାଛଡ଼ା ଟେଲିଭିଜନ୍‌ ଚାନେଲ୍‌ ଏବଂ ସାମାଜିକ ଗଣମାଧ୍ୟମ ମଧ୍ୟ ଏହି ଖବର ପ୍ରସାରଣ କରିବାରୁ ଶହ ଶହ ଲୋକ ଅନ୍ୟ ଗାଁରୁ ଧାଇଁ ଆସୁଛନ୍ତି ସେ ସାପକାତି ଦେଖିବାକୁ। ସ୍ଥାନୀୟ ଲୋକମାନଙ୍କର ବିଶ୍ୱାସ ଆସିଯାଇଛି ଯେ ପୁରାଣବର୍ଣ୍ଣିତ ସାତଫେଣିଆ ସାପ ଏବେ ମଧ୍ୟ ଅଛନ୍ତି। ଅନେକ କୁଙ୍କୁମ ଓ ହଳଦୀ ଆଦି ଆଣି ଏହି ସାପକାତି ଚତୁଃପାର୍ଶ୍ୱରେ ରଖୁଛନ୍ତି।

ପ୍ରଶାନ୍ତ ଏମ୍‌ଏନ୍‌ ନାମକ ଜଣେ ଗ୍ରାମବାସୀ କହନ୍ତି ଯେ ପ୍ରାୟ ଛଅ ମାସ ତଳେ ଏ ଭଳି ସାପକାତି ଦେଖାଯାଇଥିଲା। ଏହି ସ୍ଥାନଟିର ଐଶ୍ୱରୀୟ ଶକ୍ତି ଅଛି ବିଚାରି ଲୋକେ ମନ୍ଦିର ତୋଳିଥିଲେ। ଏବେ ସେହି ମନ୍ଦିର ପାଖରୁ ସାପକାତି ମଳିଲାଣି। ମନ୍ଦିର ପ୍ରାଙ୍ଗଳ ଓଳାଉଥିବା ଜଣେ ବ୍ୟକ୍ତି ବାଲାପ୍ପା ନାମକ ଜଣେ କୃଷକର ବିଲରେ ଏହି ସାପକାତିକୁ ଦେଖିଥିଲେ। ମନ୍ଦିର ପ୍ରାଙ୍ଗଣ ଠାରୁ ମାତ୍ର ଦଶ ଫୁଟ୍‌ ଦୂରରେ ସେହି ବିଲଟି ଅବସ୍ଥିତ।

ସର୍ପ ବିଶେଷଜ୍ଞମାନେ ସାତଫେଣିଆ ସାପ କଥା ବିଶ୍ୱାସ କରୁ ନାହାନ୍ତି। ସେମାନେ କହନ୍ତି ଯୋଡ଼ାମୁଣ୍ଡ ପିଲାଙ୍କ ପରି ଯୋଡ଼ାମୁଣ୍ଡ ସାପ ଥାଆନ୍ତି କିନ୍ତୁ, ଦୁନିଆରେ ସାତଫେଣିଆ ସାପ ଥିବା କଥା କେଉଁଠି ଉଲ୍ଲେଖ ନାହିଁ।

ପୁରୁଣା ଚର୍ମରେ ଥିବା ପରଭୋଜୀ ଅଣୁଜୀବଙ୍କ ଦାଉରୁ ରକ୍ଷାପାଇବାକୁ, ଅବୟବ ବଢ଼ିବାରେ ସହାୟକ ହେବାକୁ ପ୍ରତି ତିନି ସପ୍ତାହରୁ ଦୁଇ ମାସ ମଧ୍ୟରେ ସାପମାନଙ୍କର କାତି ଛାଡ଼େ।

By amfnews

Related Post