Fri. Mar 6th, 2026

ସାଇବର୍ ଅପରାଧ : ଆକାଉଣ୍ଟରୁ ୧୨ଲକ୍ଷ ଗାଏବ

276 Views

ବରଗଡ଼, ଡିସେମ୍ବର ୦୮ : ବରଗଡ଼ ଜିଲ୍ଲା ଅତାବିରା ବାସିନ୍ଦା ଆଲୋକ ଅଗ୍ରୱାଲ ସାଇବର ଅପରାଧର ଶିକାର ହୋଇଛନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୨ଲକ୍ଷ ଟଙ୍କା ଉଡ଼ି ଯାଇଛି। ଟଙ୍କା ଫେରି ପାଇବା ଆଶାରେ ଆ‌େଲାକ ଶୁକ୍ରବାର ଏସ୍‌ପି ମୁକେଶ ଭାମୁଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିଆରା ଏବଂ ହାଇଟେକ୍ ପ୍ରଦ୍ଧତିରେ ଆଲୋକଙ୍କ ଟଙ୍କା ଗାଏବ୍ ହୋଇ ଅନ୍ୟ ଆକାଉଣ୍ଟରେ ଜମା ହୋଇଛି।

ସୂଚନା ମୁତାବକ, ବ୍ୟବସାୟୀ ଆଲୋକ ଗତମାସ ୩୦ ତାରିଖ ବିଦେଶ ଭ୍ରମଣରେ ଯାଇଥିଲେ। ସେଠା‌େର ଛୁଟି ବିତାଉଥିବା ବେଳେ ତାଙ୍କ ଅଜାଣତରେ ଏପଟେ ଟଙ୍କା ଗାଏବ୍ ହୋଇ ସାରିଥିଲା। ଆଲୋକଙ୍କ ଡିସିବି ବ୍ୟାଙ୍କ ଅତାବିରା ଶାଖାରେ ଆକାଉଣ୍ଟ ରହିଛି। ପ୍ରଥମେ ୫ ତାରିଖ ୨ଲକ୍ଷ ଏବଂ ୬ ତାରିଖ ୧୦ଲକ୍ଷ ଟଙ୍କା ଆକାଉଣ୍ଟରୁ କଟି ଯାଇଥିଲା। ଟଙ୍କାତକ ନୂଆଦିଲ୍ଲୀସ୍ଥିତ ଏଡିଏଫ୍‌ସି ବ୍ୟାଙ୍କର ଗୋଟିଏ ଆକାଉଣ୍ଟରେ ଜମା ହୋଇଛି। ଏହା ଆକାଉଣ୍ଟ ସୁରେଶ ସିଂ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଅଛି। ଆଲୋକଙ୍କ କହିବା ଅନୁସାରେ, ଦୁର୍ବୃତ୍ତମାନେ ପ୍ରଥମେ ତାଙ୍କ ସିମ୍ କାର୍ଡ ବ୍ଲକ୍‌ କରି ଦେଇଥିଲେ। ବିଦେଶରେ ଥିବାବେଳେ ଆଲୋକଙ୍କ ସିମ୍ କାର୍ଡ ଅଚାନକ ଅଚଳ ହୋଇଯାଇଥିଲା।

ଏହାପରେ ଦୁର୍ବୃତ୍ତମାନେ ତାଙ୍କ ଇମୋଲ୍ ହ୍ୟାକିଂ କରିଥିଲେ। ଦୁର୍ବୃତ୍ତମାନେ ଆଲୋକଙ୍କ ପୁରୁଣା ନମ୍ବରରେ ଆଉ ଗୋଟିଏ ସିମ୍ କିଣିଥିଲେ। ଏହାପରେ ଉକ୍ତ ନମ୍ବର ଏବଂ ଇମେଲ୍‌କୁ ଆସୁଥିବା ଓଟିପି (ୱାନ୍ ଟାଇମ୍ ପାସୱାର୍ଡ) ବ୍ୟବହାର କରି ନେଟ୍ ବ୍ୟାଙ୍କିଂଗ୍ ଜରିଆରେ ଟଙ୍କା ଉଠାଇ ନେଇଥିଲେ। ମାମଲାର ଖୋଳତାଡ଼ ଆରମ୍ଭ ହୋଇଥିବା ବରଗଡ଼ ପୁଲିସ୍ କହୁଛି। ଏହି ମାମଲା ସାଇବର୍ ବିଭାଗକୁ ହସ୍ତାନ୍ତର କରାଯିବ। ଅନ୍ୟପକ୍ଷରେ ଏଭଳି ଘଟଣା କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ସ୍ବପ୍ନର ବିଫଳତାକୁ ଦର୍ଶାଉଛି ବୋଲି ଆଲୋକ କହିଛନ୍ତି।

By amfnews

Related Post