Sat. Mar 7th, 2026

ସହରାଞ୍ଚଳ ସେବା ଯୋଗାଣ ବ୍ୟବସ୍ଥା ପାଇଁ ୩ଟି ଏମ୍‌ଓୟୁ

169 Views

ଭୁବନେଶ୍ବର : ରାଜ୍ୟର ସମସ୍ତ ପୌରପାଳିକାରେ ସେବା ଯୋଗାଣ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାର ତିନିଟି ସଂସ୍ଥା ସହ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଆଜି ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୃହ ଓ ନଗର ଉନ୍ନୟନ ବିଭାଗ ସହ ନନ୍ଦନ ନିଲେକାନି ଏବଂ ଶ୍ରୀକାନ୍ତ ନନ୍ଦମୁନି, ଜନାଗ୍ରହ ସେଣ୍ଟର ଫର୍ ସିଟିଜେନସିପ୍ ଆଣ୍ଡ୍ ଡେମୋକ୍ରେସି ଏବଂ ଇଣ୍ଡିଆନ୍ ହେରି଼ଟେଜ୍ ସିଟିଜ୍ ନେଟଵାର୍କ୍ ଫାଉଣ୍ଡେସନ୍‌ର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ସହରାଞ୍ଚଳରେ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ସମସ୍ତ ପୌରପାଳିକା ପାଇଁ ଇ-ଗଭର୍ଣ୍ଣାନ୍‌ସ୍ ବ୍ୟବସ୍ଥା କରାଯିବ। ଏଥିପାଇଁ ନନ୍ଦନ ନିଲେକାନି ଆଣ୍ଡ୍ ଶ୍ରୀକାନ୍ତ ନନ୍ଦମୁନି ଇ-ଗଭ୍ ପ୍ରତିଷ୍ଠାନ ସଂସ୍ଥା ସହ ଏମଓୟୁ ସ୍ବାକ୍ଷର ହୋଇଛି। ଏଣିକି ସହରାଞ୍ଚଳ ସେବା ଯୋଗାଣ ବ୍ୟବସ୍ଥା ପାଇଁ ସମସ୍ତ ପୌରପାଳିକା ଗୋଟିଏ ପୋର୍ଟାଲରେ ଯୋଡ଼ି ହେବେ। ସାଧାରଣ ଅଭିଯୋଗ ପରିଚାଳନା ବ୍ୟବସ୍ଥା, ଆର୍ଥିକ କାରବାର, ସମ୍ପତ୍ତି କର ପରିଚାଳନା, ଜଳ ଯୋଗାଣ ଓ ‌ସ୍ବେରେଜ୍ ବ୍ୟବସ୍ଥା, ବାଣିଜ୍ୟ ଲାଇସେନ୍ସ ଏବଂ ବିଲ୍‌ଡିଂ ପ୍ଲାନ୍ ଅନୁମୋଦନକୁ ଗୋଟିଏ ପୋର୍ଟାଲ ଜରିଆରେ କରାଯିବ। ଏହି ପୋର୍ଟାଲ ଜରିଆରେ ସାଧାରଣ ଲୋକ ପୌରପାଳିକାର ବିଭିନ୍ନ ସେବା ବିଷୟରେ ଅବଗତ ହେବା ସହ ମୋବାଇଲ ଆପ ଯୋଗେ ବି ଏହି ସୁବିଧା ପାଇପାରିବେ।

ସେହିପରି ସହରାଞ୍ଚଳରେ ସମ୍ପତ୍ତି କର ଆଦାୟ ବ୍ୟବସ୍ଥାରେ ସ୍ବଚ୍ଛତା ଓ ସଂସ୍କାର ଆଣିବା ପାଇଁ ସ୍ବାତୀ ରାମନାଥନ ଓ ରମେଶ ରାମନାଥନଙ୍କ ଦ୍ବାରା ପ୍ରତିଷ୍ଠିତ ଜନାଗ୍ରହ ସେଣ୍ଟର୍ ଫର୍ ସିଟିଜେନସିପ୍ ଆଣ୍ଡ ଡେମୋକ୍ରାସି ସଂସ୍ଥା ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ପୌରପାଳିକାର ରାଜସ୍ବ ବୃଦ୍ଧି ନେଇ ଏହି ସଂସ୍ଥା ସରକାରଙ୍କୁ ସହାୟତା କରିବ। ସେହିପରି ସହରାଞ୍ଚଳରେ ଥିବା ଐତିହ୍ୟ କୀର୍ତ୍ତିରାଜି ସୁରକ୍ଷା ଓ ନିରନ୍ତର ବିକାଶ ପାଇଁ ୟୁନେସ୍କୋର ସହଭାଗୀ ସଂସ୍ଥା ଇଣ୍ଡିଆନ୍ ହେରିଟେଜ୍ ସିଟିଜ୍ ନେଟଵାର୍କ ଫାଉଣ୍ଡେସନ୍ ସହ ବୁଝାମଣା ହୋଇଛି। ସଂସ୍ଥାର ଅଧ୍ୟକ୍ଷ ଡ. ରାମଚନ୍ଦ୍ରନ୍ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ୫’ଟି’ ମନ୍ତ୍ର ଆଧାରରେ ଲୋକଙ୍କ ଜୀବନଧାରଣ ମାନରେ ଆଖିଦୃଶିଆ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର। ସ୍ବାକ୍ଷରିତ ହୋଇଥିବା ଏହି ୩ଟି ବୁଝାମଣାପତ୍ର ଏ ଦିଗରେ ସଫଳତା ଆଣିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

By amfnews

Related Post