Mon. Jan 13th, 2025

ସର୍ବଶିକ୍ଷା ଅଭିଯାନରେ ମଞ୍ଜୁର ଅର୍ଥ ମିଳିନି : ଭିତ୍ତିଭୂମି ବିକାଶ, ଶିକ୍ଷକ ନିଯୁକ୍ତି‌ରେ ବାଧା, ‘ସମଗ୍ର ଶିକ୍ଷା’ରେ ଅର୍ଥ ମିଳିବା ନେଇ ଆଶଙ୍କା

By amfnews Nov 4, 2019 #Featured
89 Views

ଭୁବନେଶ୍ବର : ସର୍ବଶିକ୍ଷା ଅଭିଯାନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ମଞ୍ଜୁର ହୋଇଥିବା ଅର୍ଥ ମିଳିନି। ୨୦୧୪-୧୫ରୁ ୨୦୧୬-୧୭ ଶିକ୍ଷାବର୍ଷ ମଧ୍ୟରେ ମଞ୍ଜୁର ହୋଇଥିବା ଅର୍ଥଠାରୁ ୩୦ରୁ ୪୦ ପ୍ରତିଶତ କମ୍‌ ମିଳିଛି। ଯେଉଁଥିପାଇଁ ରାଜ୍ୟରେ ସର୍ବଶିକ୍ଷା ଅଭିଯାନକୁ ବିଶେଷ ସଫଳତା ମିଳିପାରି ନାହିଁ। ବିଦ୍ୟାଳୟର ଭିତ୍ତିଭୂମି ବିକାଶ, ଶିକ୍ଷକ ନିଯୁକ୍ତି ପରି ସମସ୍ୟା ସୃଷ୍ଟି ହୋଇଥିଲା। ଲଗାତାର ତିନି ବର୍ଷରେ ମଞ୍ଜୁରି ହୋଇଥିବା ଅର୍ଥ ମିଳି ନଥିବାରୁ ‘ସମଗ୍ର ଶିକ୍ଷା’ କାର୍ଯ୍ୟକ୍ରମ କେତେ ଫଳପ୍ରଦ ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଉକ୍ତ ୩ ବର୍ଷରେ ରାଜ୍ୟ ସରକାର ନିଜ ଭାଗ ଅର୍ଥ ଖର୍ଚ୍ଚ କରିଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

୨୦୧୪-୧୫ ଶିକ୍ଷାବର୍ଷରେ କେନ୍ଦ୍ର ଓ ରାଜ୍ୟ ଅଂଶକୁ ମିଶାଇ ଓଡ଼ିଶା ପାଇଁ ମୋଟ ୧୯୨୩ କୋଟି ୨୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ କେନ୍ଦ୍ରୀୟ ଅଂଶ ବାବଦରେ ଓଡ଼ିଶାକୁ ୧୧୫୩ କୋଟି ଟଙ୍କା ମିଳିବା କଥା। ତେବେ ୬୬୬ କୋଟି ଟଙ୍କା ମିଳିଥିଲା। ରାଜ୍ୟ ସରକାର ନିଜ ଅଂଶ ବାବଦରେ ୭୬୯ କୋଟି ଟଙ୍କା ମଧ୍ୟରୁ ୭୧୧ କୋଟି ଖର୍ଚ୍ଚ କରିଥିଲେ। ଏହିପରି ଭାବେ ମଞ୍ଜୁର ହୋଇଥିବା ଅର୍ଥ ମଧ୍ୟରୁ ଉକ୍ତ ବର୍ଷ ୧୩୭୭ ‌କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାହାକି ମଞ୍ଜୁର ଅର୍ଥର ୭୧.୬୧ ପ୍ରତିଶତ। ଆହୁରି ପାଖାପାଖି ୨୮ ପ୍ରତିଶତ ଅର୍ଥ ମିଳି ନ ଥିଲା।

୨୦୧୫-୧୬ ଆର୍ଥିକ ବର୍ଷରେ ଏ ବାବଦରେ ଓଡ଼ିଶାକୁ ମିଳିଥିବା ଅର୍ଥ ନୈରାଶ୍ୟଜନକ ଥିଲା। ଓଡ଼ିଶା ପାଇଁ ୨୩୨୧ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ଅଂଶ ୬୦-୪୦ ପ୍ରତିଶତ ଅନୁଯାୟୀ କେନ୍ଦ୍ର ସରକାର ୧୩୯୨ କୋଟି ଓ ରାଜ୍ୟ ସରକାର ୯୨୮ ‌କୋଟି ଦେବା କଥା। ‌ତେବେ ‌କେହି ବି ସମ୍ପୂର୍ଣ୍ଣ ଅର୍ଥ ଦେଇ ନ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଶିକ୍ଷା ଅଭିଯାନରେ ୮୨୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସରକାର ମାତ୍ର ୫୨୮ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ମଞ୍ଜୁର ହୋଇଥିବା ଅର୍ଥର ମାତ୍ର ୫୮.୧୦ ପ୍ରତିଶତ ଖର୍ଚ୍ଚ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା ଯେ ଏହି ଆର୍ଥିକ ବର୍ଷରେ କୌଣସି ବି ରାଜ୍ୟ ମଞ୍ଜୁର ହୋଇଥିବା ଅର୍ଥର ଶ‌ତ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରି ନଥିଲେ।

୨୦୧୬-୧୭ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ୨୨୧୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ଭାଗ ୧୩୨୯ କୋଟି ଓ ରାଜ୍ୟ ସରକାରଙ୍କ ଭାଗ ୮୮୬ କୋଟି ଟଙ୍କା ରହିଥିଲା। ରାଜ୍ୟ ସରକାର ନିଜ ଅଂଶର ପାଖାପାଖି ୮୫୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କେନ୍ଦ୍ର ସରକାର ମାତ୍ର ୭୦୪ କୋଟି ଟଙ୍କା ପ୍ରଦାନ କରିଥିଲେ। ଫଳସ୍ବରୂପ ମଞ୍ଜୁର ହୋଇଥିବା ଅର୍ଥ ମଧ୍ୟରୁ ମାତ୍ର ୧୫୬୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଯାହାକି ୭୦.୫୭ ପ୍ରତିଶତ।

ସର୍ବଶିକ୍ଷା ଅଭିଯାନ(ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ) ବନ୍ଦ ହେବା ପରେ ୨୦୧୮-୧୯ ଶିକ୍ଷାବର୍ଷଠାରୁ ସମଗ୍ର ଶିକ୍ଷା(ପ୍ରଥମରୁ ଦ୍ବାଦଶ ଶ୍ରେଣୀ) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେଥିରେ ବି କେନ୍ଦ୍ର ସରକାର ଯେତିକି ଅର୍ଥ ମଞ୍ଜୁର କରିଥିଲେ, ତାହା ଦେଇ ନାହାନ୍ତି। ୨୦୧୯-୨୦ ଶିକ୍ଷାବର୍ଷରେ ‘ସମଗ୍ର ଶିକ୍ଷା’ ପାଇଁ ୪୨୦୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି। ଯେଉଁଥିରେ ପ୍ରାଥମିକ ଶିକ୍ଷା ପାଇଁ ପ୍ରାୟ ୨୮୦୦ କୋଟି ଟଙ୍କା ରହିଛି। ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ପ୍ରାୟ ୨୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ତେବେ ସେହି ଅନୁପାତରେ ଅର୍ଥ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

By amfnews

Related Post