Sat. Nov 23rd, 2024

ସରଳ ଆଦିବାସୀଙ୍କ ନାମରେ ଚାଲିଛି ଠକେଇ: ସେବା ନାମରେ ବେପାର

By amfnews Dec 30, 2019 #Featured
156 Views

ଯାଜପୁର :  ଠକେଇର ଅଭିନବ ଧନ୍ଦା ବେଳେ ବେଳେ ଆଶ୍ଚର୍ଯ୍ୟ ଜନକ ହୋଇଥାଏ । ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଯାଜପୁର ପରି ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ସେବା ନାମରେ ଚାଲିଛି ଠକେଇ । କେତେବେଳେ ଏହି ସେବା ବାବଦରେ ଲାଭାଂଶ ଟିକସ ଫାଙ୍କବାକୁ ତ ଅନ୍ୟ କେତେବେଳେ ଶିଳ୍ପାନୁଷ୍ଠାନ ଗୁଡିକର ସାମାଜିକ ଦାୟୀତ୍ୱବୋଧ ବାବଦରେ ପ୍ରଦାନ କରୁଥିବା ଅର୍ଥ ଠକିବାକୁ ଏଭଳି କରାଯାଉଛି । ଅନ୍ୟ କେତେକ କ୍ଷେତ୍ରରେ ମିଛ ସେବା ନାମରେ ବିଭିନ୍ନ ବୈଦେଶିକ ସଂସ୍ଥାରୁ ଅର୍ଥ ଅଣାଯାଉ ଥିବାର ମଧ୍ୟ କୁହାଯାଉଛି । ତେବେ ଏହାର ଏକ ଦୃଷ୍ଟାନ୍ତ ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ଚାରିଗୋଛିଆ ଗ୍ରାମ ।

ଗାଁରେ ରହନ୍ତି ଅଳ୍ପ କିଛି ଆଦିବାସୀ ପରିବାର । ନିହାତି ସରଳ ଏବଂ ଅର୍ଦ୍ଧାଧିକ ଅପାଠୁଆ । ଏପରିକି ଅନେକ ନିଜ ନାମ ଲେଖିବା ବି ସମ୍ବବ ନୁହେଁ । ଜଙ୍ଗଲ ଘେରା ଅଂଚଳରେ ରହିଥିବା ଏହି ଗାଁରେ ସେବା ପ୍ରଦାନ ନାମରେ ନିଜର ଲାଭ ଉଠାଇବାର ସୁବର୍ଣ୍ଣ ସୁଯୋଗ ମନେକଲେ ଇଫକୋ-ଟୋକିଓ ଜେନେରାଲ ଇନ୍ସୁରାନ୍ସ ନାମକ ସଂସ୍ଥା । ଗାଁରେ କୋଠଘର ନିର୍ମାଣ, ନଳକୂପର ଚଉତରା ନିର୍ମାଣ, ସ୍ନାନ ପାହାଚ ନିର୍ମାଣ, ସିଲାଇ ମ୍ୟାସିନ ପ୍ରଦାନ, ଜଳସେଚନ ନଳ ପ୍ରଦାନ, ଦୋକାନ ଗୃହ ପ୍ରଦାନ, ପୋଖରୀ ଖନନ ଓ ତାରବାଡ ଘେରାଉ, ପନିବରିବା ବିହନ ବଣ୍ଟନ, କୃଷକ ଗୋଷ୍ଠୀ ସଭା, ଧାନବାଡା ଯନ୍ତ୍ର ପ୍ରଦାନ, ସ୍ୱୟଂ ସହାୟକ ଗୋଷ୍ଠୀକୁ ଜରି ସହାୟତା, ସିଲାଇ ତାଲିମ ଶିବିର, ଛତୁଚାଷ ତାଲିମ ଶିବିର, ଅମୃତଭଣ୍ଡା, ବାଉଁସ ଏବଂ କାଜୁ ଚାରା ବିତରଣ, ଧ୍ରୁମ ବିହୀନ ଚୁଲା ସ୍ଥାପନ, ସୌର ଚାଳିତ ବତି ବଣ୍ଟନ, ସୌର ବେଟ୍ରି ସହାୟତା, ଖତଗାଡ ନିର୍ମାଣ, ପରିଭ୍ରମଣ, ବାଉଁସପାତିଆ ତିଆରି କୌଶଳ ତାଲିମ ଶିବିର, କୃଷକ ମିତ୍ର, ଛପର ପାଇଁ ଫାଇବର ସିଟ ବଣ୍ଟନ, ପ୍ରାଣୀ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର, ପ୍ରାଥମିକ ଚିକିତ୍ସା ଔଷଧ ବାକ୍ସ ପ୍ରଦାନ, ଶୌଚାଳୟ ଘର ନିର୍ମାଣ, ଗୋଷ୍ଠୀକୁ ସହାୟତା (ଦରି, ଟେବୁଲ, ଚେୟାର, ଆଲମିରା), ବର୍ଜ୍ୟବସ୍ତୁ ନିଷ୍କାସନ ସ୍ଥାପନ, ପାଣି ବିଶୋଧନ ଯନ୍ତ୍ର ବଣ୍ଟନ, ରୋଷେଇ ଘର ବଗିଚା ଉନ୍ନତିକରଣ, ଗୋଷ୍ଠୀକୁ ଏଲଇଡି ବଲବ ବଣ୍ଟନ, କୂଅ ପୁନରୁଦ୍ଧାର ଓ ଚଉତରା, ସ୍ୱୟଂ ସହାୟକ ଗୋଷ୍ଠୀକୁ ପରିଚାଳନା ତାଲିମ, ଶିଳ୍ପ ବିକାଶର ତାଲିମ, ଉତ୍ସବ ପାଳନ, ପଶୁ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର, କୁକୁଡା ପାଳନ ତାଲିମ, ମାଛ ଜାଆଁଳ ପ୍ରଦାନ, କୃଷି ଉପକରଣ ସହାୟତା, ଯୁବ ଗୋଷ୍ଠୀକୁ ସହାୟତା (ଖେଳ ସାମଗ୍ରୀ), ନଳକୂପ ପାଣିରୁ ଲୌହ ନିଷ୍କାସନ ଯନ୍ତ୍ର ପ୍ରଦାନ ଆଦି କାର୍ଯ୍ୟ କରିଥିବାର ମିଛ କାଗଜ ପ୍ରସ୍ତୁତ କଲେ । ଏହା ଆମେ କହୁ ନାହୁଁ ବରଂ ଗାଁ ମୁଣ୍ଡରେ ଏଥିନେଇ ଏହି ସଂସ୍ଥା ତରଫରୁ ଏକ ବଡ ବୋର୍ଡ ବି ମରାଗଲା । ଏଥିରେ ଉପରୋକ୍ତ କାର୍ଯ୍ୟ କରାଯାଇ ଥିବାର ଦର୍ଶାଗଲା । ସଂକ୍ଷେପରେ ଆମ ଗାଁ ଚାରିଗୋଛିଆର କାର୍ଯ୍ୟ ବିବରଣୀ । ଇଫକୋ-ଟୋକିଓ ସମନ୍ୱିତ ଗ୍ରାମୀଣ ବିକାଶ ପରିଯୋଜନା ଅନ୍ତର୍ଗତ ବୋଲି ମଧ୍ୟ ଏହି ବୋର୍ଡରେ ଉଲ୍ଲେଖ କରାଗଲା ।

ହେଲେ ବାସ୍ତବ ସତ୍ୟ କିନ୍ତୁ ସଂପୂର୍ଣ୍ଣ ବିପରୀତ ଥିଲା । ଯେତେସବୁ କଥା ଉଲ୍ଲେଖ ରହିଛି, ସେଥି ମଧ୍ୟରୁ ମାତ୍ର ଦୁଇ ତିନୋଟି କାର୍ଯ୍ୟକୁ ଛାଡିଲେ ଅନ୍ୟ କିଛି ଏହି ଗାଁରେ କରାଯାଇ ନାହିଁ । ଯେଉଁ ଦୁଇ ତିନୋଟି କାର୍ଯ୍ୟ କରାଯାଇଛି, ତାହା ମଧ୍ୟ ଯଥେଷ୍ଟ ନୁହେଁ । ଗାଁରେ ପାଣିଟାଙ୍କି ବସାଯାଇ ଥିଲେ ବି ଗୋଟିଏ ହେଲେ ଟାଙ୍କିରୁ ପାଣି ଲୋକେ ପାଉ ନାହାନ୍ତି । କୂଅର ଚଉତରା କେଉଁଠାରେ ନିର୍ମାଣ ହୋଇନାହିଁ । ଗାଁରେ ମାଙ୍କଡା ପଥର ମାଫିଆମାନେ ମାଙ୍କଡା ଚୋରୀ ପରେ ହୋଇଥିବା ଗାଡକୁ ପୋଖରୀ ଭାବେ ଦର୍ଶାଯାଇଛି । ଯେତେସବୁ ଯୋଜନା ଏବଂ କାର୍ଯ୍ୟର ଉଲ୍ଲେଖ ରହିଛି, ତାହା ବାସ୍ତବରେ କାର୍ଯ୍ୟକାରୀ ହୋଇଥିଲେ, ଗାଁଟି ଏକ ଆଦର୍ଶ ଏବଂ ସ୍ୱାବଲମ୍ବନଶୀଳ ସୁନାର ଗାଁରେ ପରିଣତ ହେବା କଥା । ହେଲେ ଲୋକେ ସେହିଭଳି ଦଃୁଖ, ଦୁର୍ଦ୍ଦଶା ଏବଂ ଅଭାବ ମଧ୍ୟରେ ଜୀବନ ବିତାଉଛନ୍ତି । କୁନି କୁନି ଆଦିବାସୀ ପିଲାମାନେ ସେହିପରି ଅବହେଳିତ ଏବଂ ଅନାହାରରେ ଜୀବନ ବିତାଉଛନ୍ତି । ଗାଁରେ ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ଟିକେ ବି ମିଳୁନାହିଁ । ପାଣି ବିଶୋଧନ ଯନ୍ତ୍ର , କୃଷି ଉପକରଣ, ଶିଳ୍ପ ବିକାଶ ତାଲିମ, ରେଷେଇ ଘର ବଗିଚା, ଚତୁ ଚାଷ ତାଲିମ ଶିବିର, କୃଷକ ଗୋଷ୍ଠୀ ସଭା ଆଦି କଣ ଏଠି ଲୋକେ ଜାଣନ୍ତି ନାହିଁ । ନିର୍ମିତ ହୋଇଥିବା କେତୋଟି ଦୋକାନ ଗୃହ କାହାରିକୁ ଦିଆଯାଇ ନାହିଁ । ଶୈାଚାଳୟ ଖୋଜିଲେ ମିଳେନାହିଁ ।

ସରକାର ଟ୍ୟୁୱେଲ ନିର୍ମାଣ ପରେ କରିଥିବା ଚଉତରାକୁ ଏହି ସଂସ୍ଥା କରିଥିବାର ଦର୍ଶାଇ ଏହା ଉପରେ ନାମ ଫଳକ ଲଗାଇଛି । କେତେକ ଆଦିବାସୀଙ୍କୁ ସୌର ବେଟ୍ରି ପ୍ରଦାନ କରାଯାଇଛି । ନାହିଁ ମାମୁଁଠାରୁ କଣାମାମୁଁ ଭଲ ପରି ଯାହା ପାଇଲେ ସେଥିରେ ଖୁସି ଥିବା ଆଦିବାସୀଙ୍କ ଠାରୁ ଦସ୍ତଖତ କିମ୍ବା ଟିପ ନେବା ଏଠାରେ କଷ୍ଟକର ବ୍ୟାପାର ନୁହେଁ । ସେହିପରି ସେମାନଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ଠିଆ କରାଇ କିଛି ଜନିଷ ଦେଇ ଫଟୋ ଉଠାଇ ନେବା ଅତ୍ୟନ୍ତ ସହଜ ହୋଇଥିବା ବେଳେ ଏହା ବଳରେ ଏଠାରେ ବ୍ୟାପକ ଠକେଇ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଉଦ୍ୟମ କରୁଥିବା ବି.ଜେ.ଡି ଯୁବନେତା ତଥା ବରିଷ୍ଠ ସାମ୍ବାଦିକ ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏହି ଗାଁରେ ପହଂଚିବା ପରେ ଏଭଳି ଠକେଇର ପର୍ଦ୍ଦାଫାସ ହୋଇଥିଲା । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ସତୀଶ ମତ ପ୍ରକାଶ କରିଛନ୍ତି । ତେବେ ଯେ କୌଣସି ତଦନ୍ତ କରାଗଲେ ମଧ୍ୟ ସରଳ ଆଦିବାସୀଙ୍କୁ ପ୍ରଭାବିତ କରାଯାଇ ପୁନଶ୍ଚ ସମସ୍ତ ସାମଗ୍ରୀ ପ୍ରଦାନ କରାଯାଇଥିବାର ରିପୋର୍ଟ ପ୍ରସ୍ତୁତ କରାଯାଇ ପାରିବ ବୋଲି ସ୍ଥାନୀୟ ଅଂଚଳରେ ମତ ପ୍ରକାଶ ପାଉଛି ।
ମାନସ ରଂଜନ ବିଶ୍ୱାଳ, ଯାଜପୁର ପ୍ରତିନିଧି

By amfnews

Related Post