Sat. Mar 7th, 2026

ସରକାରୀ ବ୍ୟବସ୍ଥାରେ ଦେଶରେ ପ୍ରଥମ : ଏସ୍‌ସିବିରେ ୩୨ କୋଟିର ମଲେକୁଲାର ଜେନୋମିକ୍‌ ଲ୍ୟାବ୍‌

214 Views

କଟକ : ଏସ୍‌ସିବି ମେଡିକାଲ୍‌ କଲେଜର ବାୟୋ କେମେଷ୍ଟ୍ରି ବିଭାଗରେ ୩୨କୋଟି ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ମଲେକୁଲାର ଜେନୋମିକ୍‌ ଲ୍ୟାବ୍‌କୁ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଲୋକାର୍ପିତ କରିଛନ୍ତି। ଏହି ଲ୍ୟାବ୍‌ ଲୋକାର୍ପଣ କରି ସ୍ବାସ୍ଥ୍ୟମନ୍ତ୍ରୀ ଏହା ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା‌ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଛନ୍ତି।

କୌଣସି ସରକାରୀ ମେଡିକାଲରେ ଏଭଳି ବ୍ୟବସ୍ଥା ରହିବା ଦେଶରେ ପ୍ରଥମ। ଏଥିରେ ରୋଗୀ ମାତ୍ର ୫ଘଣ୍ଟା ଭିତରେ ରିପୋର୍ଟ ପାଇପାରିବେ। ଏଥିସହ ମନ୍ତ୍ରୀ ଶ୍ରୀ ଦାସ ବାୟୋକେମେଷ୍ଟ୍ରି ବିଭାଗର ହ୍ୟୁମାନ ପାପିଲୋମା ଭାଇରସ୍‌ ଉପରେ ଅନୁଷ୍ଠିତ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ। ଏହି ଭାଇରସ୍ ସର୍ଭାଇକାଲ କ୍ୟାନ୍‌ସର କରେ। ଏହି କର୍ମଶାଳା ଅବସରରେ ଶହେଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୨ଜଣଙ୍କର ସର୍ଭାଇକାଲ କ୍ୟାନ୍‌ସର ଚିହ୍ନଟ ହୋଇଥିବା ଜଣାପଡିଛି। କର୍ମଶାଳାରେ ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟରେ ଡାକ୍ତରଙ୍କ ସମସ୍ୟା ଏବଂ ସ୍ବାସ୍ଥ୍ୟନୀତି-୨୦୨୫ ସଂପର୍କରେ ମଧ୍ୟ ମତ ରଖିଥିଲେ।

ବାୟୋକେମେଷ୍ଟ୍ରି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନ୍ମଥ କୁମାର ମଣ୍ତଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଲୋକାର୍ପଣ ଉତ୍ସବରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ଚୌଦ୍ବାର-କଟକ ବିଧାୟକ ସୌଭିକ୍‌ ବିଶ୍ବାଳ, ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ବାୟୋକେମେଷ୍ଟ୍ରି ବିଭାଗର ସହକାରୀ ପ୍ରଫେସର ଡାକ୍ତର ରୋମା ରାତନ୍, ଉପେନ୍ଦ୍ର କୁମାର ଦାସ, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ପ୍ରତୀକ୍ଷା ଷଡଙ୍ଗୀ, ଦେବୀପ୍ରସାଦ ପ୍ରଧାନ, ନିରଞ୍ଜନ ଆରୁଖ, ହସ୍‌ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି, ବିରଞ୍ଚି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଲ୍ୟାବ୍‌କୁ ସଂପୃକ୍ତ କମ୍ପାନୀ ବିଧିବଦ୍ଧଭାବେ ଏସ୍‌ସିବିକୁ ହସ୍ତାନ୍ତର କରିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ଏଥିରେ ରୋଗୀଙ୍କ କର୍କଟ, ମ୍ୟାଲେରିଆ, ଟିବି, ଯୌନ ସ˚କ୍ରମିତ ରୋଗ, ବ୍ୟାକ୍ଟେରିଆ ସ˚କ୍ରମଣ ଇତ୍ୟାଦି ପରୀକ୍ଷା କରାଯାଇପାରିବ। କେବଳ ରକ୍ତ ପରୀକ୍ଷାରେ କର୍କଟ ସୃଷ୍ଟିକାରୀ ଜୀବାଣୁ ଚିହ୍ନଟ କରାଯାଇପାରିବ। ଏଥିସହିତ ଅନ୍ୟାନ୍ୟ ରୋଗର ସ˚କ୍ରମଣ ସ୍ତର ଓ ଆଣ୍ଟିବାୟୋଟିକ୍‌ ବାବଦରେ ପରୀକ୍ଷାରୁ ଜାଣିହେବ। ନିଦାନ ଯୋଜନାରେ ରୋଗୀଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯିବ। ମାତ୍ର ୫ଘଣ୍ଟାରେ ସମସ୍ତ ରିପୋର୍ଟ ମିଳିପାରିବ । କିନ୍ତୁ ଯେଉଁଠି କିଛି ସମସ୍ୟା ଜଣାପଡିବ ତାକୁ ପୁଣି ପରୀକ୍ଷା କରି ଗୋଟିଏ ଦିନ ଭିତରେ ରିପୋର୍ଟ ଦେଇ ଦିଆଯାଇ ପାରିବ ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।

By amfnews

Related Post