Sun. Jan 12th, 2025

ସରକାରଙ୍କ ଯୁବ ବିରୋଧି ନୀତି ବିରୁଦ୍ଧରେ ବିଧାନସଭା ସମ୍ମୁଖରେ ଡିୱାଇଏଫ୍ଆଇର ରାଜ୍ୟସ୍ତରୀୟ ବିକ୍ଷୋଭ ସେପ୍ଟେମ୍ବର ୧୫ରେ ବେକାରୀଙ୍କୁ ନିଯୁକ୍ତି ଓ ସ୍ୱାବଲମ୍ବୀ ଦାବିରେ ଡିୱାଇଏଫ୍ଆଇର ରାଜ୍ୟସ୍ତରୀୟ ବିକ୍ଷୋଭକୁ ସଫଳ କରିବା ପାଇଁ ବୈଠକରେ ଆହ୍ୱାନ

By amfnews Sep 12, 2018 #Featured
130 Views

ରାଉରକେଲା, ୧୨ା୯   :    କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁବ ବିରୋଧି ନୀତି ବିରୁଦ୍ଧରେ, ସମସ୍ତ ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ ଦୀର୍ଘଦିନ ଧରି ଖାଲି ପଡିଥିବା ଲକ୍ଷ ଲକ୍ଷ ପଦ ପଦବୀରେ ନିଯୁକ୍ତି ଦାବି ଓ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ସମେତ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାରେ ଖାଲି ପଡିଥିବା ପଦପଦବୀରେ ନିଯୁକ୍ତି ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ କୃଷି କ୍ଷେତ୍ରରେ କାମ କରୁଥିବା ଯୁବକମାନଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବା ଦାବିରେ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିୱାଇଏଫ୍ଆଇ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଚଳିତମାସ ୧୫ ତାରିଖ ଦିନ ବିଧାନସଭା ସମ୍ମୁଖରେ ରାଜ୍ୟସ୍ତରୀୟ ଯୁବ ବିକ୍ଷୋଭକୁ ସଫଳ କରିବା ସହ ସୁନ୍ଦରଗଡ ଜିଲା ତଥା ରାଉରକେଲାର ଯୁବ ସମାଜକୁ ସାମିଲ୍ କରିବା ପାଇଁ ସଙ୍ଗଠନର ଜିଲା କମିଟି ବୈଠକ ସଭାପତି ରାଜକିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସଙ୍ଗଠନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଅଧିନରେ ବିଭିନ୍ନ ଅଫିସ୍ ଦପ୍ତର, ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ପ୍ରାୟ ୨୩ ଲକ୍ଷରୁ ଊଦ୍ଧ୍ୱର୍ ପଦପଦବୀ ଖାଲି ପଡିଛି । କେବଳ ରେଳବାଇରେ ୩ ଲକ୍ଷ ପଦପଦବୀ ଖାଲି ପଡିଛି । ଦେଶରେ ପ୍ରାୟ ୨ ଲକ୍ଷ ୫୦ ହଜାର ପାଖାପାଖି ଅଧ୍ୟାପକ ପଦବୀ ଖାଲି ରହିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଦପ୍ତରରେ ୧ ଲକ୍ଷ ୫୪ ହଜାର ପଦବୀ ଖାଲିପଡିଛି । ସ୍ଥାୟୀ ପଦବୀଗୁଡିକରେ କେବଳ ଠିକା ନିଯୁକ୍ତି ପ୍ରଦାନ କରାଯାଇ ଯୁବ ଶ୍ରମିକମାନଙ୍କ ଶୋଷଣ କରାଯାଉଥିବା ବେଳେ ଠିକାଦାରମାନ ମାଲାମାଲ ହେଉଛନ୍ତି । ଦେଶର ସମୁଦାୟ ଜନସଂଖ୍ୟାର ୪୦ ଭାଗ ହେଉଛନ୍ତି ଯୁବକ ଯୁବତୀ । ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ଦେଶରେ ସରକାର ପରେ ସରକାର ବଦଳ ହେଉଛନ୍ତି ହେଲେ ଏ ପର୍ଯ୍ୟନ୍ତ ଏକ ଯୁବନୀତି ପ୍ରଣୟନ ହୋଇପାରିଲା ନାହିଁ ।

ରାଜ୍ୟ ସରକାରଙ୍କ ତଥାକଥିତ ଯୁବନୀତି କେବଳ ପ୍ରଚାର ସର୍ବସ୍ୱରେ ସୀମିତ ରହିଛି । କେନ୍ଦ୍ରର କ୍ଷମତାସୀନ ମୋଦି ସରକାର ବାର୍ଷିକ ୨ କୋଟି ବେକାରୀଙ୍କୁ ନିଯୁକ୍ତି ପାଇଁ ଦେଇଥିବା ପ୍ରତିଶ୍ରୁତି କେବଳ ନିର୍ବାଚନୀ ଜୁମ୍ଲା ବୋଲି ପ୍ରମାଣତି ହୋଇଛି । ରାଉରକେଲା ଇସ୍ପାତ କାରଖାନା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯେଉଁଥିରେ ପ୍ରାୟ ୪୦ ହଜାର ଶ୍ରମିକ କର୍ମଚାରୀ କାମ କରୁଥିଲେ ଆଜି ସେଠାରେ ନୂତନ ନିଯୁକ୍ତି ହେଉନଥିବାରୁ ଏହାର କର୍ମଚାରୀ ସଂଖ୍ୟା ୧୩ ହଜାରରେ ପହଞ୍ôଚଲାଣି । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବ୍ୟାଙ୍କ, ବୀମା ଓ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ନିଯୁକ୍ତି ନାହିଁ ।

ଯୁବ ସମାଜ ପ୍ରତି ଏହି ବୈମାତୃକ ମନୋଭାବ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁବ ବିରୋଧି ନୀତି ଡିୱାଇଏଫ୍ଆଇର ଏହି ରାଜ୍ୟସ୍ତରୀୟ ଯୁବ ବିକ୍ଷୋଭରେ ସାମିଲ୍ ହେବାକୁ ଯୁବକ ସମାଜକୁ ଆହ୍ୱାନ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବିଶ୍ୱଜିତ ମାଝି, ଦିବାକର ମହାରଣା, ହିତେଶ ମଲ୍ଲିକ, ପ୍ରଭାତ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଯୁବନେତା ଲାଲାବାହାଦୁର ମହାନ୍ତ, ଶେଖର ଶର୍ମା, କଟି ପ୍ରଧାନ, ମନୋଜ ମିର୍ଦ୍ଧା, ମନୋଜ ପୂର୍ତ୍ତୀ, ସାଗର ଶର୍ମା, ପ୍ରଦୀପ ଗୌଡ, ଯତୀନ ତିର୍କୀ, ସନ୍ତୋଷ ସିଂହ, ଦିଲ୍ଲୀପ ତିର୍କୀ, ବିପ୍ଲବ ମହାନ୍ତି, ବାଣେଶ୍ୱର ସାହୁ ପ୍ରମୁଖ ଆହ୍ୱାନ ଜଣାଇଛନ୍ତି ।

By amfnews

Related Post