Sat. Mar 15th, 2025

ସମ୍ବଲପୁର ମେଡ଼ିକାଲରେ ଇଞ୍ଜେକ୍ସନ ଦେବା ଘଟଣା : ଜେଲ୍‌ ଗଲେ ନକଲି ନର୍ସ

By amfnews Jan 22, 2019 #Featured
216 Views

ସମ୍ବଲପୁର, ଜାନୁଆରୀ ୨୨ : ଶୁକ୍ରବାର ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଷ ମେଡିସିନ୍‌ ୱାର୍ଡରେ ପଶି ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ଘଟଣାରେ ସୋମବାର ଟାଉନ ପୁଲିସ ଏଏନଗୁହା ଲେନ୍‌ ନୟାପଡ଼ାର ଲିଲି ଜାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣା ସେତେବେଳେ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ପ୍ରେମାନନ୍ଦ ବିନିତଙ୍କୁ ବହିଷ୍କାର ଏବଂ ନର୍ସ ରଜନୀ ସାହୁଙ୍କୁ ନିଲମ୍ବନ କରାଯାଇଛି।

ଏସଡିପିଓ ଭବାନୀ ଶଙ୍କର ଉଦ୍‌ଗାତାଙ୍କ ସୂଚନା ମୁତାବକ, ଗତ ୧୯ ତାରିଖ ଦିନ ରାତିରେ ଲିଲି ତାଙ୍କ ଘରେ ଥିବା ବେଳେ କୌଣସି କାରଣକୁ ନେଇ କଳହ ହୋଇଥିଲା। ସ୍ବାମୀ ମଧ୍ୟ ଅନ୍ୟତ୍ର ବାହାରି ଯିବା ପରେ ଲିଲି ହଠାତ୍‌ ଡାକ୍ତରଖାନାକୁ ଚାଲି ଆସିଥି‌ଲେ। ନର୍ସଙ୍କ ଡ୍ୟୁଟି ରୁମ୍‌ରେ ସେ ପ୍ରାୟ ୧ ଘଣ୍ଟା ରହିବା ପରେ ସିକ୍ୟୁରିଟି ଗାର୍ଡ ସହିତ ୱାର୍ଡକୁ ଯାଇ ଇ‌ଞ୍ଜେକ୍ସନ ଓ ସାଲାଇନ୍‌ ଦେଇଥିଲେ। ଏନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇ ଲିଲିଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଶ୍ରୀ ଉଦ୍‌ଗାତା ସୂଚନା ଦେଇଛନ୍ତି।

ତେବେ ଲିଲି କେଉଁ ପରିସ୍ଥିତିରେ ଏବଂ କାହା ପରାମର୍ଶରେ ୱାର୍ଡକୁ ଯାଇ ରୋଗୀଙ୍କୁ ଭୟଭୀତ କରି ସାଲାଇନ୍ ଓ ଇଞ୍ଜେକ୍ସନ୍ ଦେଲେ ତାହାର ଉତ୍ତର କାହା ପାଖରେ ନାହିଁ। ଲିଲିଙ୍କର ପୂର୍ବରୁ ଇଞ୍ଜେକ୍ସନ ଓ ସାଲାଇନ୍‌ ଦେବାର ମଧ୍ୟ ଅଭିଜ୍ଞତା ରହିଥିବା କୁହାଯାଉଛି। ସେହିପରି ସିସିଟିଭି ଫୁଟେଜ ମୁତାବକ, ଦୀର୍ଘ ୧ ଘଣ୍ଟା ଧରି ୱାର୍ଡରେ ଲିଲି ଏକୁଟିଆ ଡ୍ୟୁଟିରେ ଥିବା ବେଳେ କାର୍ଯ୍ୟରତ ନର୍ସ ଏତେ ସମୟ ଧରି କେଉଁଠି ଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଲିଲି ହୁଏତ କାର୍ଯ୍ୟରତ ନର୍ସଙ୍କ କହିବା ଅନୁସାରେ ୱାର୍ଡକୁ ଯାଇ ରୋଗୀଙ୍କୁ ଇଞ୍ଜେକ୍ସନ ଦେଇଥାଇପାରନ୍ତି ବୋଲି ଚର୍ଚ୍ଚା‌ ହେଉଛି। କାରଣ ଜଣେ ଅଜଣା ମହିଳାଙ୍କୁ ସୁରକ୍ଷା କର୍ମୀ ମୁଖ୍ୟଦ୍ବାରରୁ ଭିତରକୁ ଛାଡ଼ିବା ଓ ନିଜେ ସୁରକ୍ଷାକର୍ମୀ ଉକ୍ତ ନକଲି ନର୍ସଙ୍କ ସହ ଯାଇ ରୋଗୀଙ୍କ ନିକଟରେ ପହଞ୍ଚିବା ଘଟଣାରେ କେଉଁଠି ନା କେଉଁଠି ମେଡିକାଲ କର୍ମଚାରୀଙ୍କ ହାତ ରହିଥିବା କୁହାଯାଉଛି।

ଅନ୍ୟପକ୍ଷରେ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା.କେ.କେ.ଗୁପ୍ତାଙ୍କ ନିର୍ଦେଶକ୍ରମ‌େମ ଏଡିଏମ୍‌ଓ(ମେଡିକାଲ) ଡା.ଅଶୋକ କୁମାର ଦାସଙ୍କ ନେତୃତ୍ବରେ ୨ ଜଣିଆ ତଦନ୍ତକାରୀ କମିଟି ଗଠନ କରାଯାଇଛି। ସିସିଟିଭି ଫୁଟେଜ ଓ ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରି କମିଟି ୨ ଦିନ ମଧ୍ୟରେ ରିପୋର୍ଟ ଦେବ। ତେବେ‌ ଏହି ଘଟଣାକୁ ନେଇ ରହିଥିବା ସମସ୍ତ ରହସ୍ୟ ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା.ଗୁପ୍ତା କହିଛନ୍ତି।

By amfnews

Related Post