Sun. Mar 8th, 2026

ସମ୍ବଲପୁରର ଯୁବତୀ ଭୁବନେଶ୍ବରରେ ବିକ୍ରି!

323 Views

ସମ୍ବଲପୁର, ଜାନୁଆରୀ ୧୮ : ସମ୍ବଲପୁର ଜିଲ୍ଲା ଧମା ଥାନା ବରଗାଁ ଗ୍ରାମର ଜଣେ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ବରରେ ବିକ୍ରି କରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ଯୁବତୀଙ୍କ ବାପା। ଘଟଣାକୁ ଦେଢ଼ ମାସ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଧମା ଥାନା କିମ୍ବା ସମ୍ବଲପୁର ପୁଲିସ ଗୁରୁତ୍ବ ଦେଉନାହିଁ। ଓଲଟା ଏଥିରେ ସଂପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ତାଙ୍କୁ ଛାଡ଼ି ଦେଇଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ୩ ଥର ଉଦ୍ୟମ କରି ନିରାଶ ହେବା ପରେ ଆଜି ମଧ୍ୟ ସେ ସମ୍ବଲପୁର ଆସି ଏସପିଙ୍କୁ ଭେଟି ନପାରି ଫେରିଯାଇଛନ୍ତି।‌ ଶେଷରେ ଅଭିଯୋଗ ପତ୍ର ଏସପି କାର୍ଯ୍ୟାଳୟରେ ଦେଇଛନ୍ତି।

ଯୁବତୀଙ୍କ ବାପାଙ୍କ କହିବାନୁସାରେ, ତାଙ୍କ ୨୨ ବର୍ଷିୟା ଝିଅ ପୂର୍ବରୁ ମଜୁରି କରୁଥିବାବେଳେ କିଛି ଦିନ ହେଲା ଗାଁରେ ଏକ ତେଜରାତି ଦୋକାନ କରିଥିଲେ। ଡିସେମ୍ବର ୭ ତାରିଖରେ ଗୁଜରାତି କଲୋନିର ହୋଲସେଲରଙ୍କ ଦୋକାନକୁ ଆସି ତାଙ୍କ ଝିଅ ଆଉ ଘରକୁ ଫେରିନଥିବା ସେ ଅଭିଯୋଗ କରିଛନ୍ତି। ଏହାପରେ ଝିଅର ନିଖୋଜ ନେଇ ଧମା ଥାନାରେ ଏତଲା ଦେଇଥିଲେ। ଗ୍ରାମବାସୀଙ୍କ ଚାପରେ ୧୫ ଦିନ ପରେ ଧମା ଥାନା ପୁଲିସ ମାମଲା ରୁଜ୍ଜୁ କରିଥିବା ସେ କହିଛନ୍ତି।

ଅନ୍ୟଦିଗରେ ଝିଅ ନିଖୋଜର ଦିନକ ପରେ ଜଣେ ବ୍ୟକ୍ତି ଝିଅର ମା’ଙ୍କୁ ଏକ ଆକାଉଣ୍ଟ ନମ୍ବର ଦେଇ କହିଥିଲେ, ତାଙ୍କ ଝିଅ ଭୁବନେଶ୍ବରରେ କାମ କରୁଛନ୍ତି। ଏହି ଆକାଉଣ୍ଟରେ ଟଙ୍କା ଜମା କରିଦେଲେ, ଝିଅ ଘରକୁ ଫେରିଆସିବ ବୋଲି ଫୋନ୍‌ରେ କହିଥିଲେ। ଯାଞ୍ଚ ପରେ ଏହା ଭୁବନେଶ୍ବରର ଜଣେ ଇଂଜିନିୟରିଂ ଛାତ୍ରଙ୍କ ଆକାଉଣ୍ଟ ବୋଲି ଜଣା ପଡ଼ିଥିଲା। ଏହି ଇଂଜିନିୟରିଂ ଛାତ୍ର ଜଣକୁ ପଚରାଉଚରା ପରେ ସେ ସୋନପୁର ଜିଲ୍ଲା ମେଣ୍ଢାର ତାଙ୍କର ଜଣେ ବନ୍ଧୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନ.ମାଗିଥିଲେ ବୋଲି କହିଥିଲେ। ମେଣ୍ଢାର ଏହି ଯୁବକ ଫୋନ କରି ଟଙ୍କା ମାଗିଥିବା ଜଣାପଡ଼ିଥିଲା। ତେବେ,ପୁଲିସର ପଚରାଉଚରା ପରେ ଯୁବତୀଙ୍କୁ ଭୁବନେଶ୍ବରର ଏକ ସୁରକ୍ଷା ସଂସ୍ଥା ଠାରେ ବିକ୍ରି କରାଯାଇଥିବା ଯୁବକ ଜଣକ କହିଥିଲେ। ଏଥିରେ ୪ ଜଣ ସଂପୃକ୍ତ ଥିବା ଜଣାପଡ଼ିଥିଲା। ମେଣ୍ଢାର ସଂପୃକ୍ତ ଯୁବକଙ୍କ ଠାରୁ ଯୁବତୀଙ୍କ ମୋବାଇଲ ମଧ୍ୟ ଜବତ ହୋଇଛି। ଯୁବକଙ୍କୁ ଧମା ଥାନାରେ କିଛି ଦିନ ଅଟକ ରଖାଯାଇ ପରେ ଛାଡ଼ି ଦିଆଯାଇଥିବା ଝିର ପରିବାର କହିଛନ୍ତି।

ଧମା ଥାନା ଅଧିକାରୀ ରାଜେଶ୍ବରୀ ଭୋଇ କହିଛନ୍ତି, ଝିଅର ନିଖୋଜ ମାମଲା ରୁଜ୍ଜୁ ହୋଇଛି। ଏହି ଆଧାରରେ ପୁଲିସ ଭୁବନେଶ୍ବର ଯାଇ ଝିଅକୁ ଖୋଜାଖୋଜି କରିଥିଲେ। ତେବେ, ତାଙ୍କ ବାପା ଲିଖିତ ଭାବରେ ଏତଲା ଦେଲେ ସଂଦିଗ୍ଧ ଯୁବକଙ୍କୁ ଗିରଫ କରାଯିବ।

By amfnews

Related Post