ପ୍ରାପ୍ତ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପାରାଦ୍ୱୀପ କୋଷ୍ଟଗାର୍ଡ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ ଗହୀରମଥା ଅଂଚଳରୁ ଏକ ବୋଟକୁ ଦେଖିଥିଲେ । ଏହା ପରେ ଡ୍ରାଇଭର ମାୟାଧର ମଲ୍ଲିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଏହା ପରେ ତାଙ୍କୁ ପାରାଦ୍ୱୀପ ପୋର୍ଟ ହସ୍ପିଟାଲକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ମାୟାଧର ବାଲେଶ୍ୱରର ବଳରାମଗଡିର ମା’ କାନନ ଟ୍ରଲର୍ର ଡ୍ରାଇଭରଭାବେ କାମ କରୁଥିଲେ । ମତ୍ସ୍ୟଜୀବୀମାନେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ନ ଥିଲେ । ଏହା ପରେ ତାଙ୍କୁ କୋଷ୍ଟଗାର୍ଡ ପକ୍ଷରୁ ଗୁଳି କରାଯାଇଛି ବୋଲି ବଳରାମଗଡ଼ି ଟ୍ରଲର ଆସୋସିଏସନ୍ର ସଭାପତି ଅଭିଯୋଗ କରିଛନ୍ତି । ମାୟାଧରଙ୍କର କୋଷ୍ଟଗାର୍ଡଙ୍କ ଗୁଳିରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମାଛ ଧରୁଥିବା ସମୟରେ କୋଷ୍ଟଗାର୍ଡ ଗୁଳି ଚଳାଇଥିବା ନେଇ ଥାନାରେ ପରିବାର ଲୋକ ଏତଲା ଦେଇଛନ୍ତି । ଅନ୍ୟପକ୍ଷରେ ସଂପୃକ୍ତ ଟ୍ରଲରର କାଚରେ ଗୁଳିମାଡ଼ର ଚିହ୍ନ ରହିଛି । ତେଣୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ବୋଲି ସନ୍ଦେହ ଘନୀଭୂତ ହୋଇଛି । କିନ୍ତୁ ଏ ଯାଏଁ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।