Sat. Mar 7th, 2026

ସଫଳତା ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଠିକ୍ ସମୟରେ ସଠିକ୍ କାର୍ଯ୍ୟ କରିବାକୁ ହେବ : ସିଇଓ ଆରଏସପି

233 Views

ରାଉରକେଲା, ୧୧/୭  : “ସଫଳତା ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଠିକ୍ ସମୟରେ ସଠିକ୍ କାର୍ଯ୍ୟ କରିବାକୁ ହେବ” ବୋଲି ମାନବ ସମ୍ବଳ ବିକାଶ କେନ୍ଦ୍ରଠାରେ ଜୁଲାଇ ୧୦ ତାରିଖରେ ଅନୁଷ୍ଟିତ ‘ତାଲ୍ମେଲ୍’ର ପଞ୍ଚଦଶ ଅଧିବେଶନରେ ଉଦ୍ବୋଧନ ଦେଇ ରାଉରକେଲା ଇସ୍ପାତ କାରଖାନାର ସିଇଓ ଅଶ୍ୱିନୀ କୁମାର ଉଲ୍ଲେଖ କରିଛନ୍ତି । ଏହି ଅବସରରେ ପ୍ରକଳ୍ପ ବିଭାଗର ଇଡି ରାଜୀବ ଅଗ୍ରୱାଲ ଏବଂ ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନଚାର୍ଜ ଗୌତମ ବାନାର୍ଜୀ ମଞ୍ଚାସୀନ ଥିଲେ ।

ଉକ୍ତ କର୍ମଶାଳାରେ କାରଖାନାର ବିଭିନ୍ନ ବିଭାଗର ପ୍ରାୟ ୭୩ ଜଣ ଅଧିକାରୀ ଯୋଗ ଦେଇଥିଲେ । ଉଲ୍ଲେଖନୀୟ ଯେ, କାର୍ଯ୍ୟ ଯୋଜନାଗୁଡିକର କାର୍ଯ୍ୟାନ୍ୱୟନ ସ୍ତରରେ ଅଗ୍ରଣୀ ଭୂମିକା ବହନ କରୁଥିବା ତଥା ପ୍ରବନ୍ଧନର ନିମ୍ନ ତଥା ମଧ୍ୟମ ସ୍ତରରେ କାର୍ଯ୍ୟରତ ଅଧିକାରୀମାନଙ୍କ କାରଖାନାକୁ ଆପଣେଇବାକୁ ଅଧିକ ସୁଦୃଢ କରିବା ତଥା ସେମାନଙ୍କ ସଶକ୍ତିକରଣ ନିମନ୍ତେ ନିୟମିତ ରୂପେ ମାନବ ସମ୍ବଳ ପ୍ରୟାସ ‘ତାଲ୍ମେଲ୍’ ଅଧିବେଶନ ଅନୁଷ୍ଠିତ ହେଉଛି । ଏହି ଅଧିବେଶନରେ ଅଧିକାରୀମାନେ ସିଇଓଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ ପୂର୍ବକ ବିଭିନ୍ନ କାରଖାନାର ଉନ୍ନତି ସମ୍ବନ୍ଧୀୟ ବିଭିନ୍ନ କୌଶଳ ଓ ଅନୁଭୂତ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସୁଯୋଗ ପାଉଛନ୍ତି ।

ଉକ୍ତ ଅଧିବେଶନରେ କାରଖାନାର ପ୍ରଦର୍ଶନ ସମ୍ପର୍କରେ ଉଲ୍ଳେଖ କରି ଅଶ୍ୱିନୀ କୁମାର କହିଥିଲେ ଯେ, ଯଦିଓ ଉତ୍ପାଦନ ଭିତ୍ତିରେ ଆରଏସପି ସେଲର ସମସ୍ତ ୟୁନିଟଗୁଡିକ ମଧ୍ୟରେ ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନକାରୀ ଅଟେ, କିନ୍ତୁ କାରଖାନାର ସାମୁଦାୟିକଙ୍କ ସାମର୍ଥ୍ୟକୁ ଯଦି ତୁଳନା କରାଯାଏ, ତେବେ ଏହାର ପ୍ରଦର୍ଶନରେ ଆହୁରି ଉନ୍ନତି ସମ୍ଭବପର ଅଟେ । ‘ଆମର ନିଜସ୍ୱ ଧାର୍ଯ୍ୟ ଲକ୍ଷ୍ୟ ହାସଲରେ ବ୍ରେକଡାଉନ ପ୍ରତିବନ୍ଧକ ରୂପେ ଉଭା ହୋଇଥିଲା’ ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରତିଟି ବ୍ରେକଡାଉନ ଏଡାଇ ଦିଆଯାଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରି ସିଇଓ କହିଥିଲେ ଯେ, ରଣନୀତିକ ଓ ବ୍ୟାପକ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଦ୍ୱାରା ସେଗୁଡିକୁ ରୋକାଯାଇପାରିବ ।

ପରେ ପରେ ଅନୁଷ୍ଠିତ ମତବିନିମୟ ଅଧିବେଶନରେ ଅଂଶଗ୍ରହଣକାରୀ ମାନେ ଡାଟାଗୁଡିକର କମ୍ପ୍ୟୁଟରିକରଣ, ଠିକା ଶ୍ରମିକଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱାସ୍ଥ୍ୟସେବା ସୁବିଧାରେ ଉନ୍ନତି ଏବଂ କାର୍ମିକ ବିଭାଗର ବିଭିନ୍ନ ପ୍ରାକ୍ଟିସ ତଥା କାରଖାନାର ପ୍ରଦର୍ଶନକୁ ପ୍ରଭାବିତ କରୁଥିବା ଅନ୍ୟ ବିଭିନ୍ନ ବିଷୟ ସମ୍ବନ୍ଧରେ ଆଲୋଚନା କରିବା ସଙ୍ଗେସଙ୍ଗେ ବ୍ୟବସ୍ଥା ଓ ପ୍ରଣାଳୀରେ ଉନ୍ନତି ସାଧନ ପାଇଁ ବିଭିନ୍ନ ଉପାଦେୟ ପ୍ରସ୍ତାବମାନ ପ୍ରଦାନ କରିଥିଲେ । ସିଇଓ ଏବଂ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ଉପସ୍ଥାପିତ ପ୍ରସ୍ତାବଗୁଡିକ ଉପରେ ବିସ୍ତୃତ ଆଲୋଚନା କରିବା ସହିତ କାରଖାନାର ଉନ୍ନତି ନିମନ୍ତେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ସିପିଟିଆଇ ବିଭାଗର ଡିଜିଏମ ସାଗର ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଧନ୍ୟବାଦ ମଧ୍ୟ ଜ୍ଞାପନ କରିଥିଲେ ।

Related Post