Thu. Jan 23rd, 2025

ସପ୍ତାହକ ମଧ୍ୟରେ କରୋନା ଶୂନ୍ୟ ହେଲା ଗଜପତି ଓ କନ୍ଧମାଳ ଜିଲ୍ଲା

By Prasanta Patnaik Nov 29, 2020 #Featured
199 Views

ବ୍ରହ୍ମପୁର,ନଭେମ୍ବର ୨୯ : ଗତ ସପ୍ତାହ ମଧ୍ୟରେ ରାଜ୍ୟର ଗଜପତି ଓ କନ୍ଧମାଳ ଜିଲ୍ଲାରୁ କେହି ବି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଏହା ପୂର୍ବରୁ କନ୍ଧମାଳରୁ ମଧ୍ୟ କେହି କରୋନା ପଜିଟିଭ ଚିହ୍ନଟ ନହେବାରୁ ସେହି ଅଞ୍ଚଳକୁ ପ୍ରଥମଥର ପାଇଁ କରୋନା ଶୂନ୍ୟ ଜିଲ୍ଲା ଘୋଷଣା କରାଯାଇଥିଲା  ।

ଗଜପତି ଜିଲ୍ଲାରେ ଗତ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହି ସଫଳତା ହାସଲ କରିଛି । ନଭେମ୍ବର ୨୨ରେ ଗଜପତି ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଶୂନ ଥିଲା । ଶନିବାର ୬୦୪ ନମୁନା ପରୀକ୍ଷା ହୋଇଥିଲା ।

ସମସ୍ତ ରିପୋର୍ଟ ନେଗେଟିଭ ଆସିଛି ବୋଲି ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସେହିପରି କନ୍ଧମାଳ ଜିଲ୍ଲା ପ୍ରଶାସନ ପରୀକ୍ଷା କରିଥିବା ୮୨୦ ନମୁନା ମଧ୍ୟରୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଗଜପତି ଓ କନ୍ଧମାଳ ଜିଲ୍ଲାରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ଯଥାକ୍ରମେ ୩୯୪୯ ଓ ୫୮୮୮ ରହିଛି । ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨୦ରୁ କମ୍ ରହିଛି ।

ଜିଲ୍ଲାରେ ସୁସ୍ଥ ସଂଖ୍ୟା ୨୮୯୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା୩୨ରେ ସ୍ଥିର ରହିଛି । ସେହିପରି କନ୍ଧମାଳ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧କୁ ଖସି ଆସିଛି । ଜିଲ୍ଲାରେ ୫୮୩୪ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୩ରେ ସ୍ଥିର ରହିଛି ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post