Sat. Mar 7th, 2026

ସଙ୍ଗରୋଧ କେନ୍ଦ୍ରରେ ଥିବା ଯୁବକଙ୍କର ସୋର ଡାକ୍ତରଖାନାରେ ମୃତ୍ୟୁ

421 Views

ସୋର: ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ୍ ଅନ୍ତର୍ଗତ ଜଳଦା ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ଯୁବକଙ୍କର ଗତକାଲି ବିଳମ୍ବିତ ରାତିରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଖଇରା ବ୍ଲକ୍ ଅନ୍ତର୍ଗତ ଜଳଦା ଗାଁର ଗୋବିନ୍ଦ ମଲ୍ଲିକଙ୍କ ପୁଅ ବିପିନ ବିହାରୀ ମଲ୍ଲିକ(୪୫) ମୁମ୍ବାଇରେ କାମ କରୁଥିଲେ। ତାଲାବନ୍ଦ ଯୋଗୁ ସେଠାରେ ସେ ଫସି ରହିଥିଲେ। ହେଲେ ମୁମ୍ବାଇରୁ ଗତ ୨୭ତାରିଖରେ  ଟ୍ରେନରେ ଆସି ୨୯ ତାରିଖରେ ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେଠାରୁ ସେ ଏକ ଅଟୋରେ ନିଜ ଗାଁ ଜଲଦାକୁ ଆସିଥିଲେ। ଏହାପରେ ସେ ଜଳଦା ନୋଡାଲ ସ୍କୁଲରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ।

ଗତକାଲି ବିପିନ ନିଜ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିବା ଲାଗି ୧୦୮ ଆମ୍ବୁଲାନ୍ସକୁ ଡକାଯାଇଥିଲା। ହେଲେ ଆମ୍ବୁଲାନ୍ସ ସେଠାକୁ ଆସି ନ ଥିଲା। ଏହାପରେ ବିପିନଙ୍କୁ ସ୍ଥାନୀୟ ଲୋକେ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ବିପିନଙ୍କୁ ଦୁଇଟି ଇଞ୍ଜେକସନ୍ ଦେଇଥିଲେ। ଏହାପରେ ବିପିନ ବିହାରୀ ମଲ୍ଲିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ଚିକିତ୍ସା ଅବହେଳାର ଅଭିଯୋଗ ଆଣି ଲୋକେ ପାଟିତୁଣ୍ଡ କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଏହାପରେ ଘଟଣାସ୍ଥଳରେ ସୋର ଥାନା ପୁଲିସ୍ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ବନ୍ଦୋବସ୍ତ କରୁଥିବା ଜଣାଯାଇଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

By amfnews

Related Post