Sat. Mar 7th, 2026

ସକ୍ରିୟ ଅଛି ଅଲ କାଏଦା, ଲସ୍କର ସହ ମିଶି କରୁଛି କାର୍ଯ୍ୟ

170 Views

ମିଳିତ ଜାତିସଂଘ  : କୁଖ୍ୟାତ ଆତଙ୍କୀ ଓସାମା ବିନ୍‌ ଲାଡେନ୍‌ର ମୃତ୍ୟୁ ପରେ ଅଲ କାଏଦା ସଂଗଠନ ଅକାମୀ ହୋଇଯାଇଥିବା ନେଇ ଯେଉଁ ଖବର ପ୍ରକାଶ ପାଇଥିଲା, ତା’ହା ମିଛ ଥିଲା। ଏବେ ବି ଅଲ କାଏଦା ସଂଗଠନ ସକ୍ରିୟ ରହିଛି ଏବଂ ଏହି ସଂଗଠନ ପାକିସ୍ତାନରେ ଅବସ୍ଥାପିତ ଲସ୍କର-ଏ-ତୋଏବା ସହ ମିଶି ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଛି ବୋଲି ଆଜି ଜାତିସଂଘ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।

ତେବେ ଅଲକାଏଦାର ମୁଖ୍ୟ ଅମିମାନ ମହମ୍ମଦ ଅଲ ଜୱାହାରୀର ସ୍ୱାସ୍ଥ୍ୟ ଏବଂ କିଏ ଏହାକୁ ଚଳାଉଛି, ସେ ସମ୍ପର୍କରେ ଜାତିସଂଘ କୌଣସି ତଥ୍ୟ ହାସଲ କରିପାରି ନାହିଁ। ଜାତିସଂଘ ସୁରକ୍ଷା ପରିଷଦରେ ଦାଖଲ ହୋଇଥିବା ରିପୋର୍ଟରେ ଅଲକାଏଦା ସମ୍ପର୍କରେ ଏଭଳି ତଥ୍ୟ ଉପସ୍ଥାପନ କରାଯାଇଛି। ପ୍ରତି ୬ମାସରେ ବିଭିନ୍ନ ଆତଙ୍କୀ ସଂଗଠନ ଉପରେ ତର୍ଜମା କରୁଥିବା କମିଟି ଜାତିସଂଘକୁ ଏଭଳି ରିପୋର୍ଟ ଦେଇଥାଏ।ରିପୋର୍ଟ ଅନୁଯାୟୀ, ଏବେ ବି ଅଲ କାଏଦାର ସଦସ୍ୟମାନେ ଆଫଗାନିସ୍ତାନକୁ ନିଜର ସୁରକ୍ଷିତ ସ୍ଥାନ ଭାବେ ବ୍ୟବହାର କରି ଆସୁଛନ୍ତି। ଏଥିସହ ସଂଗଠନର ସଦସ୍ୟମାନେ ଲସ୍କର ଓ ହକ୍କାନୀ ନେଟୱର୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ତାଲିବାନ ମଧ୍ୟ ଏହି ସଂଗଠନକୁ ସହଯୋଗ କରୁଛି। ତାଲିବାନ ସହାୟତାରେ ଅଲ କାଏଦା ତାଜିକିସ୍ତାନର ସୀମାନ୍ତ ଅଞ୍ଚଳରେ ଥିବା ଶିଙ୍ଘାନନ ଓ ବଦାଖସାନ୍‌ରେ ନିଜର ଉପସ୍ଥିତି ଜାହିର କରିଛି। ପକଟିକା ପ୍ରଦେଶର ବାରମଲରେ ମଧ୍ୟ ଅଲ କାଏଦା ସକ୍ରିୟ ରହିଛି। ଲସ୍କର ଓ ହକ୍କାନୀ ନେଟୱର୍କର ନିର୍ଦ୍ଦେଶରେ ଅଲ କାଏଦା ସଦସ୍ୟମାନେ ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଛନ୍ତି।

By amfnews

Related Post