ଭୁବନେଶ୍ୱର, ସେପ୍ଟେମ୍ବର ୦୩ : ସଂପତ୍ତି ପାଇଁ ସଂପର୍କ ବଳି ପଡୁଛି । ନିଜର ସ୍ୱାର୍ଥ ପାଇଁ କିଛି ଅସାମାଜିକ ବ୍ୟକ୍ତି ନିଜର ରକ୍ତକୁ ମଧ୍ୟ ଚିହ୍ନିପାରୁ ନାହାନ୍ତି । ନୟାଗଡ଼ ଜିଲ୍ଲାର ଦଶପଲ୍ଲା ସହରରେ ଆଜି ଭୋରରୁ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି । ବାପା ଓ ବଡ଼ଭାଇଙ୍କର ବେକ କାଟିଛି ଜଣେ ଯୁବକ ।
ସୂଚନା ଅନୁସାରେ ଦଶପଲ୍ଲାର ଗଣେଶ ବଜାରରେ ରୁହନ୍ତୁ ହରି ସାହୁ ଓ ତାଙ୍କର ବଡ଼ପୁଅ ଲକ୍ଷ୍ମୀଧର । ଭୁବନେଶ୍ୱରରେ ସାନପୁଅ ସନ୍ତୋଷ ରହିଥାଏ । କିଛି ଦିନ ପୂର୍ବରୁ ସନ୍ତୋଷ ଘରକୁ ଯାଇଥିଲା । ସେ ବାପା ହରି ଓ ଲକ୍ଷ୍ମୀଧରଙ୍କୁ ହତ୍ୟା କରିବାକୁ ଚାହୁଁଥିଲା । ସେଥିପାଇଁ ଆଜି ସକାଳୁ ଯୋଜନାବଦ୍ଧ ଭାବେ ଏକ ବ୍ଲେଡରେ ଆକ୍ରମଣ କରିଥିଲା । ପ୍ରଥମେ ସେ ବାପାଙ୍କୁ ଆକ୍ରମଣ କରିଥିଲା । କିନ୍ତୁ ବଡ଼ଭାଇ ଛଡ଼ାଇ ଆସିଥିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ହରି ଓ ଲକ୍ଷ୍ମୀଧରକୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସନ୍ତୋଷ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।