Sat. Nov 16th, 2024

ସଂଖ୍ୟାଲଘୁ ହିନ୍ଦୁମାନଙ୍କ ବିରୋଧ ସତ୍ତ୍ୱେ, ମାଟିରେ ମିଶିଲା ପାକିସ୍ତାନରେ ଥିବା ଅନ୍ୟତମ ପୁରାତନ ହନୁମାନ ମନ୍ଦିର

By amfnews Aug 24, 2020 #Featured
122 Views

କରାଚୀ, ଅଗଷ୍ଟ ୨୪ : ପୁଣିଥରେ ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କର ବିଶ୍ୱାସ ଉପରେ ବୁଲଡୋଜର ଚଳାଇଛନ୍ତି ପାକିସ୍ତାନ ସରକାର । ପାକିସ୍ତାନର କରାଚିସ୍ଥିତ ଲିଆରି ଠାରେ ଏକ ପ୍ରାଚୀନ ହନୁମାନ ମନ୍ଦିର ଭାଙ୍ଗି ଦିଆଯାଇଛି । ମନ୍ଦିର ନିକଟରେ ରହୁଥିବା ପ୍ରାୟ 20 ହିନ୍ଦୁ ପରିବାରର ଘର ମଧ୍ୟ ବୁଲଡୋଜର ଦ୍ୱାରା ଭାଙ୍ଗି ଦିଆଯାଇଛି । ଏହାକୁ ନେଇ ପାକିସ୍ତାନର ସଂଖ୍ୟାଲଘୁ ହିନ୍ଦୁମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ହିନ୍ଦୁମାନଙ୍କ ବିରୋଧ ପରେ ପୋଲିସ ଏହି ଅଞ୍ଚଳକୁ ସିଲ୍ କରିଛି । ପାକିସ୍ତାନର ଏକ ଖବରକାଗଜ ଦି ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ମନ୍ଦିରକୁ ଭାଙ୍ଗି ଦେଇଥିବା ବିଲଡରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ଲୋକ କହିଛନ୍ତି ଯେ ଜଣେ ବିଲଡର ମନ୍ଦିର ଚାରିପାଖରେ ଜମି କିଣିଥିବା ଅଭିଯୋଗ ହୋଇଛି। ବିଲଡର ଏହି ପ୍ଲଟରେ ଏକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଚାହୁଁଥିଲେ | ସ୍ଥାନୀୟ ଲୋକ କହିଛନ୍ତି ଯେ ଯଦିଓ ବିଲଡର ହିନ୍ଦୁମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ମନ୍ଦିର ଧ୍ୱଂସ ହେବ ନାହିଁ, ତଥାପି ସେ ମହାମାରୀ କରୋନା ସୁଯୋଗ ନେଇ ମନ୍ଦିରକୁ ଭାଙ୍ଗି ଦେଇଛନ୍ତି । ଲୋକମାନେ କରୋନା କାରଣରୁ ଘରେ ରହିଥିବାବେଳେ ପ୍ରତିବାଦ କରିପାରି ନଥିଲେ । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ବିଲଡର ସହ ହାତ ମିଳାଇଥିବା ନେଇ ହିନ୍ଦୁ ଲୋକମାନେ ଅଭିଯୋଗ କରିଛନ୍ତି ।

ଏଠାରେ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଦକ୍ଷିଣ କରାଚିର ଡେପୁଟି କମିଶନର ଇରଶାଦ ଅହମ୍ମଦ ସୋଦର ଦି ଏକ୍ସପ୍ରେସ ଟ୍ରିବ୍ୟୁନକୁ କହିଛନ୍ତି ଯେ ପୂର୍ବରୁ ଏଠାରେ ଦୁଇଟି ମନ୍ଦିର ଥିଲା, କିନ୍ତୁ ଗୋଟିଏ ମନ୍ଦିର ପୂର୍ବରୁ ଭଙ୍ଗାଯାଇ ସାରିଥିଲା, ଏବେ ବିଲଡର ଜଣକ ଆଉ ଏକ ମନ୍ଦିରକୁ ଭାଙ୍ଗି ଦେଇଛି । ତେବେ ହିନ୍ଦୁଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରୁ, ହିନ୍ଦୁ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଡେପୁଟି କମିଶନର ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି । ଏହି ଅନୁସନ୍ଧାନ କମିଟିରେ ଜଣେ ପ୍ରତ୍ନତତ୍ତ୍ୱବିତ୍ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି । ସାତ ଦିନ ମଧ୍ୟରେ କମିଟି ଏହାର ରିପୋର୍ଟ ଦାଖଲ କରିବ ବୋଲି ସେ କହିଛନ୍ତି ।

ତେବେ ସ୍ଥାନୀୟ ହିନ୍ଦୁ ଲୋକମାନେ ଅଭିଯୋଗ କରିଛନ୍ତି ପୂର୍ବରୁ ମଧ୍ୟ ଏଭଳି ଅନେକ ଥର ହିନ୍ଦୁ ମନ୍ଦିର ଗୁଡିକୁ ଭଙ୍ଗା ଯାଇଛି ଏବଂ ଲୋକମାନେ ବିରୋଧ କରିବା ପରେ ପାକିସ୍ତାନ ସରକାର ଲୋକମାନଙ୍କୁ ବୁଝାଇବା ପାଇଁ ଅନେକ ତଦନ୍ତ କମିଟି ଗଠନ କରିଛନ୍ତି ତେବେ ସବୁ କମିଟି ବିଫଳ ହୋଇଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି ।

By amfnews

Related Post