Sun. Mar 8th, 2026

ଷ୍ଟାଫନର୍ସଙ୍କୁ ରୋଗୀ ଆଟେଣ୍ଡାଣ୍ଟଙ୍କ ଚାପୁଡ଼ା, ଯୁବକ ଅଟକ

286 Views

ଭୁବେନଶ୍ବର , ଡିସେମ୍ବର ୧୧ : ହସ୍ପିଟାଲ ଭିତରେ ଫାଣ୍ଡି ରହିଛି। ଫାଣ୍ଡିରେ ଏଏସ୍‌ଆଇଙ୍କ ସମେତ ଏକାଧିକ କନ୍‌ଷ୍ଟେବଲ୍‌ ଡ୍ୟୁଟି କରୁଛନ୍ତି। ହସ୍ପିଟାଲ ସାରା ମାଳ ମାଳ ସୁରକ୍ଷା କର୍ମୀ। ହସ୍ପିଟାଲର କାନ୍ଥବାଡ଼ରେ ଡାକ୍ତର କିମ୍ବା କର୍ମଚାରୀଙ୍କୁ ଆକ୍ରମଣ କଲେ ଜେଲ ଦଣ୍ଡାଦେଶ ଥିବା ବୋର୍ଡ ଲାଗିଛି। ଏସବୁ ସତ୍ବେ ହସ୍ପିଟାଲ କର୍ତୃପକ୍ଷ ନିଜର କର୍ମଚାରୀଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି। ଆଜି ଜଣେ ରୋଗୀଙ୍କ ଆଟେଣ୍ଡାଣ୍ଟ ଷ୍ଟାଫନର୍ସଙ୍କୁ ଚାପୁଡ଼ା ମାରିବା ଘଟଣା ହସ୍ପିଟାଲ୍‌ରେ ଚହଳ ସୃଷ୍ଟି କରିଛି। ଯଦିଓ କ୍ୟାପିଟାଲ ଥାନା ପୁଲିସ ଯୁବକ ଜଣକୁ ଅଟକ ରଖିଛି, ତେବେ ବାରମ୍ବାର ଏଭଳି ଘଟଣା ଘଟିବା ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ମୁତାବକ, ଆଜି ଅପରାହ୍‌ଣ ସାଢ଼େ ୫ଟା ସମୟରେ ହସ୍ପିଟାଲକୁ ଜଣେ ମହିଳା ଚିକିତ୍ସା ପାଇଁ ଆସିଥିଲେ। ପରେ ୱାର୍ଡକୁ ସ୍ଥାନାନ୍ତରିତ କରିବା ପାଇଁ ତାଙ୍କ ସ୍ବାମୀ ନର୍ସଙ୍କୁ ଡାକିଥିଲେ। ଷ୍ଟାଫନର୍ସ ଗୀତାଞ୍ଜଳି ପୁଟା ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ। ତେବେ କାହିଁକି ବିଳମ୍ବ ହେଉଛି ବୋଲି କହିବା ସହିତ ଯୁବକ ଜଣକ ଗୀତାଞ୍ଜଳିଙ୍କୁ ଚାପୁଡ଼ା ମାରିଥିଲେ। ଏହାକୁ ନେଇ ହସ୍ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ହସ୍ପିଟାଲ ଫାଣ୍ଡି ପୁଲିସ ଯୁବକ ଜଣଙ୍କୁ କାବୁ କରିବା ସହିତ କ୍ୟାପିଟାଲ ଥାନାକୁ ଖବର ଦେଇଥିଲା। ପରେ ଗୀତାଞ୍ଜଳି ସଂପୃକ୍ତ ଯୁବକଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି। ‌କ୍ୟାପିଟାଲ ହସ୍ପିଟାଲରେ ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ଜଣେ ଯୁବକ ହସ୍ପିଟାଲର ଷ୍ଟାଫନର୍ସଙ୍କୁ ଚାପୁଡ଼ା ମାରିଥିଲେ। ଏହାର ବିରୋଧରେ ସଂପୃକ୍ତ ଷ୍ଟାଫନର୍ସ ଜଣକ ଏତଲା ଦାୟର କରିଥିବା ଡା.ଦାସ ସୂଚନା ଦେଇଛନ୍ତି।

By amfnews

Related Post