Sat. Mar 7th, 2026

ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଆଜି ହଟିବ ଜବରଦଖଲ: ବ୍ୟବସାୟୀ ସଂଘ କହିଲା ସ୍ଥାୟୀ କୋଠାରେ ହାତ ମାରିଲେ ନିଆଁ ଜଳିବ

190 Views

ପୁରୁଣା ଭୁବନେଶ୍ବର: ସୋମବା‌ର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ହେବ। ମନ୍ଦିରର ଚତୁଃପାର୍ଶ୍ବରେ ସରକାରୀ ଜମିକୁ ଜବରଦଖଲ କରି ନିର୍ମାଣ ହୋଇଥିବା ଦୋକାନ, କୋଠା ଆଦିକୁ ଭଙ୍ଗାଯିବ। ଶନିବାର ଏହି ପ୍ରଚାର ପରେ ଆଜି ସ୍ଥାନୀୟ ଅଞ୍ଚଳରେ ଶତାଧିକ ଉଠାଦୋକାନୀ ନିଜର କ୍ୟାବିନ୍‌କୁ ଉଠାଇ ନେଇଛନ୍ତି। ଏପରିକି ସ୍ଥାୟୀ ଦୋକାନୀମାନେ ଆଗକୁ ବଢ଼ାଇ ନିର୍ମାଣ କରିଥିବା ଲୁହାର ଆଙ୍ଗେଲ, ଟିଣ, ଆଜବେଷ୍ଟସ୍ ଆଦିକୁ କାଢ଼ି ଦେଇଛନ୍ତି। ପୂର୍ବରୁ ପ୍ରଶାସନ ପକ୍ଷରୁ ମାପଚୁପ କରି ଯେଉଁ ଅନୁସାରେ ଚିହ୍ନ ଦିଆଯାଇଥିଲା ସେହି ଅନୁଯାୟୀ ଆଜି କିଛି ଦୋକାନୀ ଅସ୍ଥାୟୀ ନିର୍ମାଣକୁ କାଢ଼ିଛନ୍ତି। କିନ୍ତୁ ବ୍ୟବସାୟୀ ସଂଘ ସମ୍ପାଦକ ଅନୁପ ମହାପାତ୍ର ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଯେ ସ୍ଥାୟୀ ଘର କି ଦୋକାନ ଭାଙ୍ଗିଲେ ନିଆଁ ଜଳିବ। କିଛି ଉନ୍ନତିମୂଳକ କାମ କରାଇ ଦେବୁନି।

ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିର ନିକଟରେ ଥିବା ସବୁ ସରକାରୀ ଜମି ଜବରଦଖଲମୁକ୍ତ କରାଯିବା ନେଇ ଶନିବାର ବିଡିଏ, ବିଏମ୍‌ସି ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଥିଲା। ଏଥିରେ ରାସ୍ତା କଡ଼ରେ ଜବର ଦଖଲ କରିଥିବା ଦୋକାନୀ ଉଠିଯିବାକୁ ଘୋଷଣା କରାଯାଇଥିଲା। ଆଜି ଶତାଧିକ ଅସ୍ଥାୟୀ ଦୋକାନ ବ୍ୟବସାୟୀ ନିଜର ଦୋକନକୁ ଉଠାଇ ଦେଇଛନ୍ତି। ଏନେଇ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, କୌଣସି ସ୍ଥାୟୀ ଦୋକାନ କିମ୍ବା କୋଠାକୁ ଭଙ୍ଗା ଯିବ ନାହିଁ। ଯାହା ବେଆଇନ ନିର୍ମାଣ ଥିବ ତାକୁ ଭଙ୍ଗାଯିବ।

By amfnews

Related Post