251 Views
ଭୁବନେଶ୍ୱର, ୦୯ ଜୁନ :ପୁରୀ ଶ୍ରୀମନ୍ଦିରର ପରିଚାଳନାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ପ୍ରତି ରାଜ୍ୟ ସରକାରଙ୍କ ସମ୍ମାନ ରହିଛି । ଯେତେବେଳେ ଯେଉଁ ଘଟଣା ଉପରେ ସର୍ବୋଚ୍ଚ କୋର୍ଟ ଆଦେଶ ବା ନିର୍ଦ୍ଦେଶ ଦେଇଛନ୍ତି ତାକୁ କାର୍ଯ୍ୟକାରୀ କରାଯାଇଛି । ଜଗନ୍ନାଥ ମନ୍ଦିର ସମ୍ପର୍କରେ ମଧ୍ୟ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିଚାଳନାଗତ ତ୍ରୁଟି ଓ ଚାବି ହଜିବା ନେଇ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ହୁଣ୍ଡିରେ ପଡୁଥିବା ସମସ୍ତ ଦାନ ମନ୍ଦିରର ସମ୍ପତି ଏବଂ ସେବାୟତଙ୍କର ନୁହେଁ ବୋଲି କଡା ଭାଷାରେ କହିଥିଲେ। ଏବେ ଭକ୍ତଙ୍କ ସମସ୍ତ ଦାନ ସେବାୟତଙ୍କୁ ଦିଆଯିବନାହିଁ ଓ ମନ୍ଦିର ହୁଣ୍ଡିରେ ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ମନ୍ଦିର ଭିତରେ ଭକ୍ତଙ୍କୁ ସେବାୟତଙ୍କ ଦ୍ୱାରା ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ମନ୍ଦିର ଭିତରେ ସିସିଟିଭି ଲଗାଇବା ସହ ନିୟମିତ ସିସିଟିଭି ଯାଂଚ୍ କରି ଜିଲ୍ଲା ଜଜଙ୍କୁ ଜଣାଇବା ପାଇଁ କୋର୍ଟ କହିଛନ୍ତି । ଏଥି ସହ ପରିଚାଳନାଗତ ତ୍ରୁଟି ଜଣାଇବାକୁ ମଧ୍ୟ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକ କମିଟି ଗଠନ କରି ଜୁନ ୩୦ ସୁଧା ରିପୋର୍ଟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।