Tue. Dec 24th, 2024

ଶ୍ରମିକ ବିରୋଧି, ଜନବିରୋଧି ଏବଂ ଦେଶ ବିରୋଧି ମୋଦି ସରକାର: ସିଆଇଟିୟୁ ପାର୍ଲିଆମେଣ୍ଟ ଅଭିଯାନକୁ ସଫଳ କରିବାକୁ ସିଆଇଟିୟୁର ବ୍ୟାପକ ପ୍ରସ୍ତୁତି

rklsanchar@gmail.com' By J.N. Pradhan Aug 30, 2018 #Featured
328 Views

ରାଉରକେଲା, ୩୦ା୮ : କେନ୍ଦ୍ରରେ ମୋଦି ସରକାର ସୁଶାସନ ନାଁରେ କୁଶାସନ ଚଳାଇଛନ୍ତି । ମୋଦି ସରକାର ଶ୍ରମିକ ବିରୋଧି, ଜନବିରୋଧି ଏବଂ ଦେଶ ବିରୋଧି ସରକାର । ୪ ବର୍ଷ ୪ ମାସର ଶାସନ ଭିତରେ ସବୁ ବର୍ଗର ଲୋକେ ତ୍ରାହି ତ୍ରାହି ଡାକିଲେଣି । ତେଣୁ ଏହି ସରକାରଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ । ତେଣୁ ଜନବିରୋଧି ମୋଦି ସରକାରକୁ ଘେରିବାକୁ ଆସନ୍ତା ୫ ତାରିଖ ପାର୍ଲାମେଣ୍ଟ ଅଭିଯାନ ହେଉଛି । ଏହି ଅଭିଯାନରେ ଜିଲାବାସୀ ସାମିଲ ହେବାକୁ ସିଆଇଟିୟୁ ପକ୍ଷରୁ ଅନୁରୋଧ କରାଯାଇଛି । ସେକ୍ଟର-୧୬ ସ୍ଥିତ ଶ୍ରମିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଆଇଟିୟୁ ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତି ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷୀ ଥିଲେ । ମୋଦି ସରକାର ଶ୍ରମିକ ବିରୋଧି, ଜନବିରୋଧି ଓ ଦେଶ ବିରୋଧି ସରକାର ବୋଲି ଅଭିଯୋଗ କରିଥିଲେ ।

ଆଜି ଦେଶସାରା ମେହନତି ମଣିଷଙ୍କ ଜୀବନ ଧାରଣ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ସରକାର ଗ୍ରହଣ କରୁଥିବା ବିଭିନ୍ନ ନୀତିଗୁଡିକ ଏଥିପାଇଁ ଦାୟୀ ବୋଲି ସେ ଅଭିଯୋଗ କରିଥିଲେ । ଆଜି ସାଧାରଣ ଖଟିଖିଆ ମଣିଷ ଚରମ ଦରଦାମ୍ ବୃଦ୍ଧି ଯୋଗୁଁ କୌଣସି ମତେ ତା ଆୟକୁ ଏଥିସହ ଖାପଖୁଆଇ ପାରୁନାହିଁ । ବିଶେଷ ଭାବରେ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀଗୁଡିକ ଦିନକୁ ଦିନ ମହଙ୍ଗା ହେଉଛି । ସେମାନଙ୍କ କିଣି ଖାଇବା କ୍ଷମତା ସଙ୍କୁଚିତ ହେଉଛି । କୃଷକମାନେ ସେମାନଙ୍କ ଫସଲର ଲାଭଜନକ ଦର ପାଇପାରୁ ନାହାନ୍ତି । କୃଷି ଶ୍ରମିକ ଗାଁ ଗହଳିରେ କାମ ପାଉନାହିଁ । ନିଯୁକ୍ତି ସୁଯୋଗ ସଙ୍କୁଚିତ ହେଉଛି । ଲକ୍ଷ ଲକ୍ଷ ସଂଖ୍ୟାରେ ମଣିଷ କାର୍ଯ୍ୟଚ୍ୟୁତ ହେଉଛନ୍ତି । ବେକାର ପାଲଟି ଦାଦନ ଖଟିବା ପାଇଁ ଇଲାକା ଛାଡି ପଳାୟନ କରୁଛନ୍ତି । ଏଣେ ସରକାର ସବୁଠାରେ ଘରୋଇକରଣରେ ମାତିଛନ୍ତି । କେବଳ ରାଷ୍ଟ୍ରାୟତ୍ତ ଶିଳ୍ପ ସଂସ୍ଥା ନୁହେଁ, ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ବିଭାଗ, ଇନ୍ସ୍ୟୁରାନ୍ସ ଇତ୍ୟାଦି ସଂସ୍ଥାରେ ବ୍ୟାପକ ଘରୋଇକରଣ, ସେହିପରି ଅତ୍ୟାବଶ୍ୟକୀୟ ସେବା ସଂସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ଇତ୍ୟାଦି କ୍ଷେତ୍ରରେ ମଧ୍ୟ ବ୍ୟାପକ ହେଉଛି ଘରୋଇକରଣ ।

ଦେଶର ସ୍ୱାର୍ଥ ସହ ପ୍ରତ୍ୟକ୍ଷ ଭାବରେ ଜଡିତ ସଂସ୍ଥାଗୁଡିକରେ ୧୦୦% ଘରୋଇକରଣ ହେଉଛି । ଦେଶୀ ବିଦେଶୀ କର୍ପୋରେଟ୍ ପୁଞ୍ଜିପତିମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସାଧାରଣ ମଣିଷଙ୍କ ଦୁର୍ଦ୍ଦଶା ବଢାଇ ସରକାର ସେମାନଙ୍କ ମୁନାଫା ରୋଜଗାର ପାଇଁ ବନ୍ଦୋବସ୍ତ କରୁଛନ୍ତି । ଶ୍ରମିକମାନଙ୍କ ମୌଳିକ ଅଧିକାର ଗୁଡିକୁ ଉଚ୍ଛେଦ କରିବା ପାଇଁ ଶ୍ରମ ଆଇନ୍ ସଂଶୋଧନ କରାଯାଉଛି । ସରକାରଙ୍କ ସ୍ଲୋଗାନ ହେଉଛି ବେପାର ବଣିଜ ସୁଗମ ହେଉ । ଦେଶରେ ପ୍ରତ୍ୟେକସ୍ତରର ଜନଗଣଙ୍କ ଗଣତାନ୍ତ୍ରିକ ଅଧିକାର ଉପରେ ଆଖିବୁଜା ଆକ୍ରମଣ ହେଉଛି । ଦଳିତ, ସଂଖ୍ୟାଲଘୁ, ମହିଳା ଓ ଶିଶୁମାନେ ଏପରି ଆକ୍ରମଣର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ସାମ୍ପ୍ରଦାୟିକ ଶକ୍ତିମାନେ ସାମାଜିକ ସୌହାର୍ଦ୍ଧ୍ୟ ଓ ମୂଲ୍ୟବୋଧକୁ ଚାଟି ଖାଇବାରେ ବ୍ୟସ୍ତ । ସମାଜର ଏହି ପଛୁଆ ମଣିଷମାନଙ୍କ ଉପରେ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ସାମ୍ପ୍ରଦାୟିକ ଶକ୍ତିମାନେ ଜନଜୀବନ ଉପରେ ନିୟନ୍ତ୍ରଣ ପ୍ରତିଷ୍ଠା ପାଇଁ ସେମାନଙ୍କ ମନପସନ୍ଦ ଆଚରଣକୁ ଦେଶବାସୀଙ୍କ ଉପରେ ବଳପୂର୍ବକ ଲଦି ଦେଉଛନ୍ତି ।

ସରକାର ସେମାନଙ୍କୁ ନିୟନ୍ତ୍ରଣ କରିବେ କ’ଣ ସବୁ ଦିଗରୁ ସାମ୍ପ୍ରଦାୟିକ ଶକ୍ତିକୁ ଉତ୍ସାହିତ କରି ବାତାବରଣକୁ ବିଷାକ୍ତ କରିବା ସହ ଜନଗଣଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରୁଛନ୍ତି । ସ୍ୱଦେଶୀ ସ୍ଲୋଗାନ ଦେଉଥିବା ବିଜେପି ଦଳ ବହୁ ଦେଶୀୟ ପୁଞ୍ଜିପତିଙ୍କ ପାଇଁ କାର୍ଯ୍ୟ କରୁଛି । ସରକାର ଜନଗଣଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି । ଶ୍ରମିକ, କୃଷକ ଓ ଅନ୍ୟାନ୍ୟ ମଣିଷଙ୍କ ପ୍ରତିବାଦର କଣ୍ଠରୋଧ କରାଯାଉଛି । ମିଳିତ ମଞ୍ଚରୁ ସେମାନଙ୍କ ପ୍ରତିବାଦକୁ ଭ୍ରୁକ୍ଷେପ କରାଯାଉ ନାହିଁ । ସର୍ବୋପରି ସରକାରଙ୍କ ନୀତି ଶ୍ରମିକ, କୃଷକମାନଙ୍କ ସମେତ ପ୍ରତ୍ୟେକ ସ୍ତରର ମେହନତି ମଣିଷଙ୍କ ସ୍ୱାର୍ଥ ବିରୋଧି । ସରକାର କେବଳ ଜନଗଣଙ୍କ ସ୍ୱାର୍ଥ ବିରୋଧି ନୁହେଁ ଦେଶର ସ୍ୱାର୍ଥକୁ ମଧ୍ୟ ଜଳାଞ୍ଜଳି ଦେଉଛି ।

ତେଣୁ ବିଭିନ୍ନ ଦାବି ଯଥା- ଅବିଳମ୍ବେ ଦରବୃଦ୍ଧି ବନ୍ଦ କରିବା, ସାର୍ବଜନୀନ ଗଣବଣ୍ଟନ ବ୍ୟବସ୍ଥା (ପିଡିଏସ୍) କାର୍ଯ୍ୟକାରୀ କରିବା ସହ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀଗୁଡିକର ଅଗ୍ରୀମ ବେପାର (ଫରୱାର୍ଡ ଟ୍ରେଡିଙ୍ଗ) ବନ୍ଦ କରିବା, ନିଯୁକ୍ତି ସୁଯୋଗ ବୃଦ୍ଧି ସହ ଉତ୍ତମ କାର୍ଯ୍ୟ ପରିସରର ବ୍ୟବସ୍ଥା କରିବା, ସମସ୍ତ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ମାସିକ ୧୮ ହଜାର ଟଙ୍କା ଧାର୍ଯ୍ୟ କରିବା, ସରକାରୀ ଉଦ୍ୟୋଗ ଓ ଘରୋଇ ସଂସ୍ଥାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ବେକାରଙ୍କୁ କାମ ଯୋଗାଇ ଦିଆଯିବା, ମାଲିକମାନଙ୍କ ସପକ୍ଷରେ ଶ୍ରମ ଆଇନ୍ଗୁଡିକର ସଂଶୋଧନ ବାତିଲ୍ କରିବା, ଶ୍ରମ ଆଇନ୍ଗୁଡିକ କଡାକଡି ଲାଗୁ କରିବା, ଅଙ୍ଗନୱାଡି, ଆଶା, ମଧ୍ୟାହ୍ନ ଭୋଜନ କର୍ମୀ, କୃଷକ ସାଥୀ, ଶକ୍ତି ସହାୟିକା, ଶିକ୍ଷାକର୍ମୀ ଆଦି ସ୍କିମ୍ ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା, ସାମାଜିକ ସୁରକ୍ଷା ଓ ସର୍ବନିମ୍ନ ମଜୁରୀ ଦେବା, ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ବନ୍ଦ କରିବା, ସମାନ କାମ ପାଇଁ ସମାନ ମଜୁରୀ ଲାଗୁ କରିବା, ସ୍ଥାୟୀ ଭାବରେ କାମ କରୁଥିବା ଠିକା ଶ୍ରମିକମାନଙ୍କୁ ସ୍ଥାୟୀ କରିବା, ବନ୍ଦ ଖଣି ଖାଦାନ, କଳକାରଖାନା ତୁରନ୍ତ ଖୋଲି ଶ୍ରମିକମାନଙ୍କୁ ନିଯୁକ୍ତି ଦେବା, ବିଦ୍ୟୁତ୍ ଶ୍ରମିକଙ୍କ ମଜୁରୀ ଚୁକ୍ତିନାମା, ଠିକା ଓ ଆଉଟ ସୋର୍ସିଂରେ ନିଯୁକ୍ତି ବିଦ୍ୟୁତ୍ ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଓ ସମାନ କାମକୁ ସମାନ ଦରମା, ରାଜ୍ୟର ସମସ୍ତ ଶ୍ରମିକ କର୍ମଚାରୀମାନଙ୍କୁ ଇଏସ୍ଆଇ ଅନ୍ତର୍ଭୁକ୍ତ କରି ଚିକିତ୍ସା ସୁବିଧା ଦେବା, ଅସଙ୍ଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ଓ ସାମାଜିକ ସୁରକ୍ଷା , ଡାଟା ଏଣ୍ଟ୍ରି ଅପରେଟର, ନର୍ସ, ଡାକ୍ତର, ଗଣଶିକ୍ଷକ, ଆଉଟ୍ ସୋର୍ସ ଶ୍ରମିକ, ଠିକା ଶ୍ରମିକମାନଙ୍କୁ ସ୍ଥାୟୀ ନିଯୁକ୍ତି , ସ୍ୱାମୀନାଥନ କମିଟି ନିର୍ଦ୍ଧାରଣ ମତେ କୃଷକମାନଙ୍କୁ ଫସର ଲାଭଜନକ ଦର, ଫସଲ ସଂଗ୍ରହ ବ୍ୟବସ୍ଥା ସୁନିଶ୍ଚିତ କରିବା, ଗରିବ କୃଷକ ଓ କୃଷି ଶ୍ରମିକମାନଙ୍କୁ ଋଣ ବୋଝରୁ ମୁକ୍ତି ପ୍ରଦାନ କରିବା, ଏମ୍ଜିଏନ୍ଆର୍ଇଜିଏ (ମନରେଗା)ରେ ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କୁ ବାର୍ଷିକ ୧୫୦ ଦିନର କାମ, ସାର୍ବଜନୀନ ସାମାଜିକ ନିରାପତ୍ତା ବ୍ୟବସ୍ଥା, ଭୂସଂସ୍କାର ଆଇନ୍ ଅନୁସାରେ ଭୂମିହୀନଙ୍କ ମଧ୍ୟରେ ଜମି ବଣ୍ଟନ , ବଳପୂର୍ବକ କୃଷକମାନଙ୍କ ଭୂମି ଦଖଲ ବନ୍ଦ କରିବା, ପ୍ରାକୃତିକ ବିପର୍ଯ୍ୟୟରେ ପୀଡିତମାନଙ୍କ ରିଲିଫ୍ ଓ ଥଇଥାନ ବ୍ୟବସ୍ଥା କରିବା ଆଦି ଦାବି ନେଇ ଏହି ପୃଷ୍ଠଭୂମିରେ ଆଗାମୀ ୫ ସେପ୍ଟେମ୍ବର ୨୦୧୮ ଦିନ ଦିଲ୍ଲୀର ପାର୍ଲିଆମେଣ୍ଟ ସମ୍ମୁଖରେ ଶ୍ରମିକ କୃଷକ ସଂଘର୍ଷ ସମାବେଶ ସଙ୍ଗଠିତ ହେବ ।

ତେଣୁ ଏହି ସମାବେଶର ପ୍ରାୟ ୧୦ ଲକ୍ଷ ଶ୍ରମଜିବୀଙ୍କ ସମାବେଶ ହେବ । ତେଣୁ ଜିଲାର ସବୁବର୍ଗର ଲୋକେ ଏହି ଅଭିଯାନରେ ସାମିଲ ହେବାକୁ ଶ୍ରୀ ମହାନ୍ତ ଆହ୍ୱାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ସଭାର ସୁରେନ୍ଦ୍ର ଦାସ, ରାଜ୍ୟ ସମ୍ପାଦକ ବସନ୍ତ ନାୟକ, ସମ୍ପାଦକ ରାଜ କିଶୋର ପ୍ରଧାନ, ଶ୍ରୀକାନ୍ତ ବେହେରା, ସୁରେନ୍ଦ୍ର ମହାନ୍ତି, ବିଶ୍ୱଜିତ ମାଝୀ, ପ୍ରକାଶ ପ୍ରଧାନ, ଶିବରାମ ବେହେରା, ମନୋଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Post