Thu. Mar 12th, 2026

ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ସରକାର ସଂକଳ୍ପବଦ୍ଧ – ବିଧାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଖାଉଟି କାର୍ଡ ବଣ୍ଟନ ଆରମ୍ଭ

188 Views

ରାଉରକେଲା  : ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ପ୍ରସ୍ତୁତ ହେଉଛି । ଏହି ଲୋକାଭିମୁଖୀ ଯୋଜନାଗୁଡିକର ସଫଳ ରୂପାୟନ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ରଘୁନାଥପାଲୀ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ ମତବ୍ୟକ୍ତ କରିଛନ୍ତି । ରାଜ୍ୟର ସବୁ ଗରିବ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଖାଉଟି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ଆଜି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ରାଉରକେଲା ଯୋଗାଣ ବିଭାଗ ପକ୍ଷରୁ ସେକ୍ଟର-୫ ସ୍ଥିତ ଭଞ୍ଜଭବନ ଠାରେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ଯୋଗ୍ୟ ହିତାଧିକାରୀମାନଙ୍କୁ ଖାଉଟି କାର୍ଡ ବଣ୍ଟନ ପାଇଁ ବ୍ୟବସ୍ଥା ହୋଇଥିଲା ।

ରାଉରକେଲା ସରକାରୀ ଯୋଗାଣ ଅଧିକାରୀ ରାମ ଚନ୍ଦ୍ର ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ତରାଇ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଖାଉଟି କାର୍ଡ ବଣ୍ଟନର ଶୁଭାରମ୍ଭ କରି କହିଲେ ଯେ, ଜନସାଧାରଣଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସହ ସେମାନଙ୍କ ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଚଳାଇଛନ୍ତି । ରାଜ୍ୟର ସବୁ ଗରିବ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ବାସ୍ତବରେ ପରିଣତ ହୋଇଛି ।

ଏହି ଯୋଜନାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପିଛା ୫ କିଲୋ ଚାଉଳ ୧ ଟଙ୍କା ମୂଲ୍ୟରେ ଯୋଗାଇ ଦିଆଯିବ । ଏହି ଅବସରରେ ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଟୁଡୁ କହିଲେ ଯେ, ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ପ୍ରାୟ ୨୫ ଶହ ପରିବାରଙ୍କୁ ମାନଦଣ୍ଡ ଅନୁଯାୟୀ ଖାଉଟି କାର୍ଡ ବଣ୍ଟନର ବ୍ୟବସ୍ଥା ହୋଇଛି ।

କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଥିବା ବେଳେ ଅବଶିଷ୍ଟ ହିତାଧିକାରୀଙ୍କୁ ଆସନ୍ତା ୯ ତାରିଖ ଠାରୁ ସ୍ଥାନୀୟ ୫ ନମ୍ବର ସେକ୍ଟର ସ୍ଥିତ ପୌର କାର୍ଯ୍ୟାଳୟରେ ଖାଉଟି କାର୍ଡ ବଣ୍ଟନ ବ୍ୟବସ୍ଥା ହୋଇଛି ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ତଥା ରାଜ୍ୟ ବିଜେଡିର ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାନ୍ତି ଯୋଗ ଦେଇ ନିଜ ବକ୍ତବ୍ୟରେ କହିଲେ ଯେ, ୨୦୧୧ ଜନଗଣନା ପରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ôଚତ ହୋଇଥିବା ଗରିବ ଜନସାଧାରଣଙ୍କୁ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଗାଇ ଦେଇ ନିଜ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ।

ନିମନ୍ତ୍ରିତ ଅତିଥି ଭାବେ ଜିଲା ଖାଉଟି ସୁରକ୍ଷା ପରିଷଦ ସଦସ୍ୟ ତଥା ବିଜେଡି ନଗର ସଭାପତି ସୁଧୀର ସୁନ୍ଦରରାୟ ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ବିଭାଗ ଏମ୍ଆଇ ଚନ୍ଦ୍ରିକା ସାହୁ, ଲିପ୍ସାରାଣି ମହାପାତ୍ର, କୀର୍ତ୍ତି ଚନ୍ଦ୍ର ନାୟକ, ଦିବ୍ୟଲୋଚନ ସାହୁ, ଅମୀୟ କୁମାର ସାହୁ, ରାଜେନ୍ଦ୍ର ପ୍ରଧାନ, ମୋହନ ଭୂମିଜ, ମଦନ ନନ୍ଦ, ଛୋଟୁ ନନ୍ଦ, ବୁବୁନ ସାହୁ, ବେନେଡିକ୍ଟ ତିର୍କୀ, ମହିଳା ବିଜେଡି ସଭାନେତ୍ରୀ ଇନ୍ଦିରା ନାୟକ, ବଂଶୀଧର ପରିଡା, ଭୂଷଣ ସେଠୀ, ପ୍ରହ୍ଲାଦ ନାୟକ, ସୁଲତାନ ଖାନ, ସତ୍ୟାନନ୍ଦ ବେହେରା, ଦିଲ୍ଲୀପ ଦାସ, ଚନ୍ଦ୍ରକାନ୍ତ ସାହୁ, ସୁମନ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post