Tue. Mar 10th, 2026

ଲେଟର ପ୍ୟାଡ୍‌, ଚେକ୍‌ ବ୍ୟବହାର କରି ୧୨ ଲକ୍ଷ ଠକେଇ

155 Views

ଭୁବନେଶ୍ୱର: ମାଲିକର ଲେଟର ପ୍ୟାଡ୍‌ ଓ ଦସ୍ତଖତ ସମ୍ବଳିତ ଚେକ୍‌ ବ୍ୟବହାର କରି ଜଣେ କର୍ମଚାରୀ ୧୨ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ବଡ଼ଗଡ଼ ଥାନା ପୁଲିସ ଦଫା ୩୭୯, ୪୨୦, ୪୦୬, ୨୯୪ ଓ ୫୦୬ ଦଫା‌ ବଳରେ ଏକ ମାମଲା(୧୭୬/୧୯) ରୁଜୁ କରାଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଘଣ୍ଟାଏ ଥାନାରେ ବସାଇବା ପରେ ଛାଡ଼ି ଦେଇଛି। ଅଭିଯୁକ୍ତ ହେଉଛି, ବଡ଼ଗଡ଼ ଗୋପାଳୁଣି ଗାଡ଼ିଆର ଦିଲୀପ କୁମାର ଗାଙ୍ଗୁଲି। ଗତ ଜୁଲାଇ ୭ ତାରିଖରୁ ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ତାକୁ ଗିରଫ କରୁନଥିଲା। ଏ ନେଇ ଅଭିଯୋଗକାରୀ କୋର୍ଟର ଦ୍ବାରସ୍ଥ ହେବାରୁ ପୁଲିସ ବାଧ୍ୟ ହୋଇ ଅଭିଯୁକ୍ତକୁ ଥାନାକୁ ଆଣିଥିଲା। କିନ୍ତୁ ସେଠାରେ ତାକୁ ନୋଟିସ୍‌ ଦେଇ ଛାଡ଼ି ଦେଇଥିଲା।

ପୁଲିସ ସୂଚନା ମୁତାବକ, ବାପୁଜୀନଗରର ନବନୀତ ସାହଙ୍କର ଷ୍ଟାବିଲାଇଜର ହାଉସ ନାମକ ଏକ ଘରୋଇ ସଂସ୍ଥା ରହିଛି। ସେଠାରେ ଦିଲୀପ ୧୦ ବର୍ଷରୁ ଊର୍ଦ୍ଧ୍ବ ଦିନ ହେବ କର୍ମଚାରୀ ଭାବରେ କାମ କରୁଥିଲା। ବର୍ଷବର୍ଷ ଧରି ସେ ବିଭିନ୍ନ ସଂସ୍ଥାକୁ ପେମେଣ୍ଟ ଉଦ୍ଦେଶ୍ୟରେ ନବନୀତଙ୍କ ଦସ୍ତଖତ ସମ୍ବଳିତ ଚେକ୍‌ ବ୍ୟବହାର କରୁଥିଲା। ଟଙ୍କା ଉଠାଣ ସହ ବିଭିନ୍ନ ସଂସ୍ଥାକୁ ପେମେଣ୍ଟ କରୁଥିଲା। ନବନୀତଙ୍କ ଦସ୍ତଖତ ସମ୍ବଳିତ ଲେଟର ପ୍ୟାଡ୍‌ ମଧ୍ୟ ଦିଲୀପ ବ୍ୟବହାର କରୁଥିଲା। ଏ ସବୁ ମାଲିକଙ୍କ ସହମତିରେ ଚାଲିଥିଲା। କିନ୍ତୁ କଣ ହେଲା କେଜାଣି ଗତ ୭ତାରିଖରେ ବଡ଼ଗଡ଼ ଥାନା‌ରେ ନବନୀତ ଦିଲୀପ ନାମରେ ଅଭିଯୋଗ କରିଥି‌ଲେ ଯେ ଯେଉଁ ସବୁ ଚେକ୍‌ ଅନ୍ୟ ସଂସ୍ଥାକୁ ପେମେଣ୍ଟ ପାଇଁ ଦିଲୀପଙ୍କୁ ଦିଆଯାଇଥିଲା, ତାହା ପେମେଣ୍ଟ ନ କରି ଦିଲୀପ ନିଜେ ଉଠାଇ ନେଇଛି। ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା। ତଦନ୍ତରେ ପୁଲିସ ଜାଣିଥିଲା କି ଏହା ଗୋଟିଏ କିମ୍ବା ଦୁଇ ଦିନର ନୁହେଁ, ବରଂ ୧୦ ବର୍ଷର କାରବାର। ସେହିଭଳି ଗୋଟିଏ କିମ୍ବା ଦୁଇଟି ଚେକ୍‌ରୁ ହଡପ ହୋଇ ନାହିଁ ବରଂ ଏକାଧିକ ଚେକ୍‌ରେ ଉଠାଣ ହୋଇଛି। ବାସ୍ତବରେ ପେମେଣ୍ଟ ଦିଆଯାଇଛି କି ପଇସା ଦିଲୀପ ନେଇଯାଇଛି ତାହା ପ୍ରମାଣିତ ହୋଇ ପାରୁନାହିଁ। ଏଣୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ ଦିଲୀପକୁ ନୋଟିସ୍‌ ଦେଇଛି। ତଦନ୍ତରେ ସହଯୋଗ କରିବା ପାଇଁ ସର୍ତ୍ତ ରଖି ତାକୁ ଛଡ଼ା ଯାଇଥିବା ମାମଲାର ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ପିକେ ସ୍ବାଇଁ କହିଛନ୍ତି।

By amfnews

Related Post