Sun. Mar 8th, 2026

ଲାଲ୍‌ କିଲ୍ଲାରେ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

185 Views

ନୂଆଦିଲ୍ଲୀ: ନେତାଜୀ  ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ଅବସରରେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲା ଠାରେ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦ୍ଘାଟନ କରିଛନ୍ତି।

ଏହି ତିନି ମହଲା ବିଶିଷ୍ଟ ସଂଗ୍ରହାଳୟରେ ସୁଭାଷ ଚନ୍ଦ୍ର ବୋଷ ଏବଂ  ଇଣ୍ଡିୟାନ ନ୍ୟାସନାଲ୍ ଆର୍ମି ସହ ଜଡ଼ିତ କେତେକ ଜିନିଷପତ୍ର ପ୍ରଦର୍ଶନ କରାଯିବ। ଏଥିରେ ନେତାଜୀଙ୍କ ସ୍କୁଲ୍‌ ଦିନର ଏକ ଗ୍ୟାଲେରି ମଧ୍ୟ ରହିଛି। ସେ କିପରି ସ୍ୱାମୀ ବିବେକାନନ୍ଦ ଏବଂ ଶ୍ରୀଅରବିନ୍ଦଙ୍କ ଦ୍ୱାରା ପ୍ରଭାବିତ ହେଲେ ତାହାର ବର୍ଣ୍ଣନା ରହିଛି। ତାଙ୍କର କଂଗ୍ରେସ ଦିନ, ନଜରବନ୍ଦୀତ୍ୱରୁ ଖସି ପଳାଇବା, ଆଜାଦ ହିନ୍ଦ ଫୌଜ ଗଠନ ଏବଂ ଆଇଏନ୍‌ଏ ପ୍ରତି ଦକ୍ଷିଣ ଏସିଆରେ ଭାରତୀୟ ବଂଶୋଦ୍ଭବଙ୍କ ଭୂମିକା ଆଦି ପ୍ରସଙ୍ଗ ଉପରେ ମଧ୍ୟ ଗ୍ୟାଲେରି ରହିଛି। ସେଗୁଡ଼ିକ ହେଲା ନେତାଜୀ ବ୍ୟବହାର କରୁଥିବା କାଠ ଚେୟାର୍‌ ଓ ଖଣ୍ଡା, ପଦକ, ବ୍ୟାଜ୍‌, ୟୁନିଫର୍ମ ଏବଂ ଆଇଏନ୍‌ଏ ବ୍ୟବହୃତ ଅନ୍ୟାନ୍ୟ ଜିନିଷ।

ଡିସେମ୍ବର ୧୯୪୩ରେ ଆଇଏନ୍‌ଏର କମାଣ୍ଡର୍‌ ଭାବେ ନେତାଜୀ ଆଣ୍ଡାମାନ ଦ୍ୱୀପପୁଞ୍ଜ ଗସ୍ତକୁ ସ୍ମରଣ କରି ଗତ ବର୍ଷ ଡିସେମ୍ବର ୩୦ ତାରିଖ ଦିନ ଆଣ୍ଡାମାନ୍‌ର ତିନିଟି ଦ୍ୱୀପର ପୁନଃନାମକରଣ କରାଯାଇଥିଲା। ରସ୍‌ ଦ୍ୱୀପକୁ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ, ନିଲ୍‌ ଦ୍ୱୀପକୁ ସହିଦ ଦ୍ୱୀପ ଏବଂ ହାଭ୍‌ଲକ୍‌ ଦ୍ୱୀପକୁ ସ୍ୱରାଜ ଦ୍ୱୀପ ଭାବେ ନାମିତ କରାଯାଇଛି।

By amfnews

Related Post