Sun. Mar 8th, 2026

ଲାଞ୍ଚ ମାଗି ହାଫିଜ ସୟିଦ ମାମଲାର ତଦନ୍ତ କରୁଥିବା ୩ ଏନ୍‌ଆଇଏ ଅଧିକାରୀ ବିଦା

225 Views

ନୂଆଦିଲ୍ଲୀ  : ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)ରେ ଦୁର୍ନୀତିର ଛାପ ଦେଖିବାକୁ ମିଳୁଛି। ଆତଙ୍କବାଦୀ କାର୍ଯ୍ୟକଳାର ତଦନ୍ତ ଏହି ସଂସ୍ଥା କରିଥାଏ। ହେଲେ ଏହି ସଂସ୍ଥାର ୩ ଜଣ ଅଧିକାରୀ ଲାଞ୍ଚ ମାଗୁଥିବା ଅଭିଯୋଗରେ ବଦଳି ହୋଇଛନ୍ତି। ଏହି ୩ ଅଧିକାରୀ କୁଖ୍ୟାତ ଆତଙ୍କୀ ତଥା ମୁମ୍ବାଇ ୨୬/୧୧ ହମ୍‌ଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ନାଁରେ ରୁଜୁ ମନିଲଣ୍ଡିରିଂ ମାମଲାର ତଦନ୍ତ କରୁଥିଲେ। ହେଲେ ଏଭଳି ଏକ ସମ୍ବେଦନଶୀଳ ମାମଲାକୁ ରଫାଦଫା କରିବା ପାଇଁ ଏନ୍‌ଆଇଏର ଏହି ଅଧିକାରୀମାନେ ଜଣେ ବ୍ୟବସାୟୀଙ୍କ ଠାରୁ ୨ କୋଟି ଟଙ୍କାର ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଥିଲା।

ହାଫିଜ ଭାରତକୁ ଟଙ୍କା ପଠାଇ କେମିତି ଆତଙ୍କବାଦୀ ସଂଗଠନ ଗଠନ କରୁଥିଲା, ତା’ର ତଦନ୍ତ ଦାୟିତ୍ୱ ଏହି ଅଧିକାରୀମାନେ ପାଇଥିଲେ। ହାଫିଜ ସହ ଭାରତର କେଉଁ ସବୁ ବ୍ୟକ୍ତିବିଶେଷଙ୍କ ହାତ ରହିଛି, ତଦନ୍ତ ପରେ ଏହା ସାମ୍ନାକୁ ଆସିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଏହି ଅଧିକାରୀମାନେ ଟଙ୍କା ପାଇଁ ହାଫିଜ ଭଳି ଆତଙ୍କୀ ସହ ସମ୍ପର୍କ ରଖୁଥିବା ବ୍ୟକ୍ତିମାନଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା। ଏହି ଅଧିକାରୀମାନଙ୍କ ମଧ୍ୟରେ ଜଣେ ଏସ୍‌ପି ରାଙ୍କର ଅଫିସର ରହିଥିବା ଜଣାପଡ଼ିଛି।

ଏନ୍‌ଆଇର ମୁଖପାତ୍ର କହିଛନ୍ତି, “ଅଭିଯୋଗ ଆସିବା ପରେ ଏହି ୩ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବାକୁ ଏକ ପ୍ୟାନେଲ ଗଠନ କରାଯାଇଥିଲା। ଏହାର ନେତୃତ୍ୱ ଡେପୁଟି ଇନ୍‌ସପେକ୍ଟର ଜେନେରାଲ ରାଙ୍କର ଜଣେ ଅଫିସରଙ୍କୁ ଦିଆଯାଇଥିଲା। ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ସେମାନଙ୍କୁ ବଦଳି କରାଯାଇଛି। ତଦନ୍ତ ବେଳେ ହାଫିଜ ପାକିସ୍ତାନରୁ ପଠାଉଥିବା ଟଙ୍କା ଦୁବାଇ ଦେଇ ଦିଲ୍ଲୀରେ ଥିବା ଜଣେ ବ୍ୟବସାୟୀଙ୍କ ପାଖକୁ ଆସୁଥିଲା। ବଦଳି ହୋଇଥିବା ଏନ୍‌ଆଇଏର ଏହି ଅଧିକାରୀମାନେ ଉକ୍ତ ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଇ ତାଙ୍କୁ ସହଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ। ଏକଥା ଖୋଦ ବ୍ୟବସାୟୀ ଜଣଙ୍କ ଏନ୍‌ଆଇଏର ଅଧିକାରୀଙ୍କୁ ଜଣାଇଥିଲେ। ଏହା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।”

By amfnews

Related Post