ନୂଆଦିଲ୍ଲୀ, ସେପ୍ଟେମ୍ବର ୧୫ : ଭାରତ ଓ ଚୀନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ସୂଚନା ପ୍ରଦାନ କରିପାରନ୍ତି । ରାଜନାଥ ସିଂହ ଅପରାହ୍ନ ୩ଟାରେ ସଂସଦରେ କହିପାରନ୍ତି ଯେ, ବାସ୍ତବିକ ନିୟନ୍ତ୍ରଣ ରେଖାରେ ବର୍ତ୍ତମାନ ସ୍ଥିତି କେମିତି ଅଛି ।
ସୂଚନାଯୋଗ୍ୟ, ବିରୋଧୀ ଦଳର ନେତାମାନେ ଚୀନକୁ ନେଇ ସରକାରଙ୍କୁ ଆକ୍ରମଣ କରୁଛନ୍ତି ଏବଂ ବାରମ୍ବାର ସରକାରଙ୍କୁ ଜବାବ ମାଗୁଛନ୍ତି । ସୋମବାର ଲୋକସଭାରେ ବିରୋଧୀ ଦଳର ନେତାମାନେ ସୀମାରେ ଉତ୍ତେଜନା ପ୍ରସଙ୍ଗ ଉଠାଇବାକୁ ଉଦ୍ୟମ କରିଥିଲେ । କରୋନା ମହାମାରୀ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଗତକାଲି ଆରମ୍ଭ ହୋଇଥିବା ବେଳେ ଏହା ଆଗାମୀ ଅକ୍ଟୋବର ୧ ତାରିଖ ଯାଏଁ ଚାଲିବ ।
ଆଜି ଲୋକସଭାର ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ବିରୋଧୀ ଦଳର ନେତା ବହୁ ଦିନର ଦାବି କରିଆସୁଛନ୍ତି ଯେ, ସରକାର ଏହି ପ୍ରସଙ୍ଗରେ କାହିଁକି ନିରବ ରହିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମ ଜରିଆରେ ସରକାଙ୍କୁ ଅନେକ ଥର ଟାର୍ଗେଟ କରିଛନ୍ତି । ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ର ଅନୁସାରେ ମଙ୍ଗଳବାର ରାଜନାଥ ସିଂହ ଲୋକସଭାରେ ଚୀନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇପାରନ୍ତି ।