Thu. Mar 12th, 2026

ଲଦାଖ ସୀମାନ୍ତ ସ୍କାର୍ଦ୍ଦୁ ସାମରିକ ଘାଟିରେ ଯୁଦ୍ଧ ସରଞ୍ଜାମ ଆଣି ମହଜୁଦ୍‌ କରୁଛି ପାକିସ୍ତାନ୍‌; ଭାରତ କହିଲା ଉଚିତ୍‌ ସମୟରେ ଉଚିତ୍‌ ଜବାବ ଦିଆଯିବ

203 Views

ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିଦେବା ଘଟଣାକୁ କେନ୍ଦ୍ରକରି ପଡ଼ୋଶୀ ପାକିସ୍ତାନ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ଏହି ପରିପ୍ରେକ୍ଷୀରେ ଭାରତର ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଅପରପାର୍ଶ୍ୱରେ ଅବସ୍ଥିତ ଥିବା ପାକ୍‌ ବାୟୁସେନାର ସାମରିକ ଘାଟୀ ସ୍କାର୍ଦ୍ଦୁରେ ବିଭିନ୍ନ ଯୁଦ୍ଧ ସରଞ୍ଜାମ ସବୁ ଆଣି ମହଜୁଦ୍‌ କରି ରଖିବା ଆରମ୍ଭ କରି ଦେଇଛି ପାକ୍‌ ବାୟୁସେନା।

ପାକ୍‌ ବାୟୁସେନାର ତିନିଟି ସି-୧୩୦ ପରିବହନକାରୀ ବିମାନରେ ବହୁ ପରିମାଣରେ ଯୁଦ୍ଧ ସାରଞ୍ଜାମ ଓ ଯୁଦ୍ଧାସ୍ତ୍ର ପାକ୍‌ ସେନା ତାହାର ସୀମାନ୍ତ ଘାଟୀ ସ୍କାର୍ଦ୍ଦୁକୁ ସ୍ଥାନାନ୍ତରିତ କରିବା ସହ ସେଠାରେ ଆଣି ମହଜୁଦ୍‌ କରି ରଖୁଛି। ଏଥିସହ ପାକିସ୍ତାନ ଏହି ସାମରିକ ଘାଟୀରେ ତାହାର ଲଢ଼ୁଆ ବିମାନ ଜେଏଫ୍‌-୧୭କୁ ଆଣି ମଧ୍ୟ ମୁତୟନ କରି ରଖିଛି।

ପାକିସ୍ତାନର ଏପ୍ରକାର କାର୍ଯ୍ୟ ଉପରେ ଭାରତ ପକ୍ଷରୁ ତୀକ୍ଷ୍ଣ ନିଜର ରଖାଯାଇଛି। ସୀମାନ୍ତରେ ପାକିସ୍ତାନର ପ୍ରତିଟି ଗତିବିଧିକୁ ଭାରତ ଅତ୍ୟନ୍ତ ଗମ୍ଭୀରତାର ସହ ଅନୁଶୀଳନ କରୁଛି ଏବଂ ଉଚିତ୍‌ ସମୟରେ ଭାରତ ଉଚିତ୍‌ ଜବାବ ଦେବ ବୋଲି ନୂଆଦିଲ୍ଲୀ ଠାରେ ଭାରତୀୟ ସେନାର ଜନୈକ ବରିଷ୍ଠ ପଦାଧିକାରୀ ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇକୁ କହିଛନ୍ତି।

By amfnews

Related Post