Thu. Dec 26th, 2024

ଲଘୁଚାପ ବର୍ଷା: ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ବିପଦ ସଂକେତ ଟପିଲା ଜଳକା ନଦୀ

By amfnews Aug 27, 2020 #Featured
156 Views

ଭୁବନେଶ୍ୱର, ଅଗଷ୍ଟ ୨୭ : ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ସାରା ଓଡ଼ିଶାରେ ବିଗତ ୩ ଦିନ ହେବ ବର୍ଷା ଲାଗି ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଲଘୁଚାପ ବର୍ଷା ଲୋକଙ୍କ ପାଇଁ ଦାଉ ସାଧିଛି । ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତିସିଂହପୁର, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ବର୍ଷା ଲୋକଙ୍କ ପାଇଁ ଏକ ପ୍ରକାର କାଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଶେଷ ଭାବେ ଉତ୍ତର ଓଡ଼ିଶାରେ ଏବେ ବନ୍ୟା ସ୍ଥିତି ଦେଖାଯାଇଥିବା ବେଳେ ବୈତରଣୀ, ଜଳକା, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗର ଜଳସ୍ତର ବଢ଼ିଛି ।

ଜଳକା ନଦୀରେ ଆଜି ସକାଳୁ ବିପଦ ସଂକେତ ଅତିକ୍ରମ କରି ପାଣ ପ୍ରବାହିତ ହେଉଛି । ମଥାନୀରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏଠାରେ ୭.୦୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । କଟିପୋଲ-ସାନଖୁଡ଼ି ରାସ୍ତା ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ବର୍ଷା ଲାଗି ରହିଥିବାରୁ ତଳିଆ ଅଂଚଳରେ ଲୋକେ ଭୟଭୀତ ହୋଇଛନ୍ତି ।

ଗତକାଲି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାରୁ ବାଲେଶ୍ୱର ସହରରୁ ରେମୁଣା ଓ ଯାଜପୁରରୁ ଭଣ୍ଡାରିପୋଖରୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସେହିପରି ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆ ଠାରେ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା । ଲଘୁଚାପ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ସ୍ଥିତି ମଧ୍ୟ ସଂଗୀନ ରହିଛି । ବୌଦ୍ଧ ଠାରେ ମହାନଦୀ ଫୁଲି ଉଠିଛି । ବୌଦ୍ଧ ଜଳସେଚନ ବିଭାଗ ବଙ୍ଗଳା ନିକଟରେ ମହାନଦୀର ବିପଦ ସଂକେତ ୮୭.୭୦ ମିଟର ଥିବା ବେଳେ ୮୬.୫ ମିଟର ଦେଇ ଜଳ ପ୍ରବାହିତ ହେଉଛି । ରାଜ୍ୟର ଅନେକଗୁଡ଼ିଏ ସ୍ଥାନରେ ଜଳମଗ୍ନ ହୋଇଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି ।

By amfnews

Related Post