Sat. Mar 7th, 2026

ଲକ୍‌ଡାଉନ୍‌ ନିମନ୍ତେ ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ ଜାରି

174 Views

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍‌-୧୯ ଲକ୍‌ଡାଉନ୍‌ ପରିବର୍ଦ୍ଧନ କରିବାର ଗୋଟାଏ ଦିନ ପରେ ଆଜି କେନ୍ଦ୍ର ସରକାର ମେ ୩ ତାରିଖଯାଏଁ ମାନିବାକୁ ଥିବା ପରିମାର୍ଜିତ ଗାଇଡ୍‌ଲାଇନ୍‌ ବା ମାର୍ଗଦର୍ଶିକା ଜାରି କରିଛନ୍ତି।

ପରିମାର୍ଜିତ ମାର୍ଗଦର୍ଶିକା ଅନୁଯାୟୀ, ବିମାନ, ରେଳ ଓ ସଡ଼କ ପଥରେ ଗମନାଗମନ, ଶିକ୍ଷାନୁଷ୍ଠାନ ଓ ତାଲିମ ପ୍ରତିଷ୍ଠାନ ଚଳାଇବା, ଶିଳ୍ପ ସମ୍ବନ୍ଧୀୟ ଏବଂ ବ୍ୟାବସାୟିକ ବ୍ୟାପାର, ଆତିଥେୟତା ସେବା, ସିନେମା ହଲ୍ ଏବଂ ବିପଣୀ ପରିସର ସବୁ ବନ୍ଦ ରହିବ।

ସରକାର କହିଛନ୍ତି ଯେ ଲକ୍‌ଡାଉନ୍‌ ବଳବତ୍ତର ଥିବା ପର୍ଯ୍ୟନ୍ତ ସମସ୍ତ ସାମାଜିକ, ରାଜନୈତିକ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବନ୍ଦ ରହିବ ଏବଂ ଧାର୍ମିକ ସ୍ଥଳ ଖୋଲିବ ନାହିଁ।

ପରିମାର୍ଜିତ ମାର୍ଗଦର୍ଶିକା ଅନୁସାରେ, କର୍ମସ୍ଥଳୀ ଏବଂ ସାର୍ବଜନୀନସ୍ଥାନରେ ‘ଘରେ ତିଆରି’ ମାସ୍କ୍‌ ବା ମୁଖାବରଣ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ସାନିଟାଇଜର୍‌‌ ଯୋଗାଇବା, ସିଫ୍‌ଟ୍‌ ବ୍ୟବସ୍ଥା କରିବା, ନିୟନ୍ତ୍ରଣ ବ୍ୟବସ୍ଥା ପ୍ରତି ଉନ୍ମୁକ୍ତ ଥିବା କଥା ନିଶ୍ଚିତ ହେବା ଓ ଥର୍ମାଲ୍ ସ୍କ୍ରିନିଙ୍ଗ୍ ବ୍ୟବସ୍ଥା କରିବାକୁ ଅଫିସ୍‌ମାନଙ୍କୁ କୁହାଯାଇଛି।

ସରକାରଙ୍କ ତରୁଫରୁ ଏକ ରିଲିଜ୍‌ରେ କୁହାଯାଇଛି ଯେ ଏହି ପରିମାର୍ଜିତ ମାର୍ଗଦର୍ଶିକାର ଉଦ୍ଦେଶ୍ୟ ହେଉଛି ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ରୁ ପ୍ରାପ୍ତ ସୁଫଳକୁ ସୁଦୃଢ଼ କରିବା ଏବଂ କୋଭିଡ୍-୧୯ ସଂକ୍ରମଣ ବେଗକୁ ଆହୁରି ମନ୍ଥର କରିବା। ଏବଂ ଏହାସହ କୃଷକ, ଶ୍ରମଜୀବୀ ଏବଂ ଦିନମଜୁରିଆଙ୍କୁ ଆଶ୍ବସ୍ତି ଦେବା।

ଏଥିରେ ଆହୁରି କୁହାଯାଇଛି ଯେ ଗ୍ରାମୀଣ ଏବଂ କୃଷିସମ୍ବନ୍ଧୀୟ ବିକାଶ ଏବଂ କର୍ମସଂସ୍ଥାନ ସୃଷ୍ଟି ଭଳି ଗୁରତ୍ବପୂର୍ଣ୍ଣ ଅର୍ଥନୈତିକ କ୍ଷେତ୍ରଗୁଡ଼ିକର ଚଳାଚଳ ଉପରେ ଦୃଷ୍ଟି ଦେବା ଏହି ସମନ୍ବିତ ମାର୍ଗଦର୍ଶିକାର ଉଦ୍ଦେଶ୍ୟ। କିନ୍ତୁ, ଦେଶର ଯେଉଁ ସବୁ ସ୍ଥାନ କୋଭିଡ୍-୧୯ ସଂକ୍ରମଣ ପ୍ରତିରୋଧ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ସେଠାରେ ସବୁ ପ୍ରକାର ନିଷେଧାଦେଶ ବଜାୟ ରଖାଯିବ।

By amfnews

Related Post