Sun. Mar 8th, 2026

ଲକ୍ଷପତି ଆରଟିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ୍

209 Views

ଭୁବନେଶ୍ୱର, ଡିସେମ୍ବର ୨୭ :ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା‌ରେ କୋରାପୁଟ୍‌ର ପୂର୍ବତନ ଆରଟିଓ ପୁରନ୍ଦର ପୂଜାରୀଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଥିବା ବେଳେ ଖୋର୍ଦ୍ଧା ବେଗୁନିଆ ରୁରାଲ ୱାର୍କର୍ସ ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ତିରୁପତି ଭେଙ୍କେଟେଶ୍ବର ପାଣିଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି। ଆଜି ଉଭୟ ଭିଜିଲାନ୍‌ସ୍‌ ମାମଲାର ବିଚାର କରି ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍‌ସ୍‌ କୋର୍ଟର ଅଧିକୃତ ଅଧିକାରୀ ଏହି ଆଦେଶ ଦେଇଛନ୍ତି।

ଏଥିସହିତ ପୁରନ୍ଦରଙ୍କୁ ୧ ଲକ୍ଷ ଟଙ୍କା ଓ ତିରୁପତିଙ୍କୁ ୧୦ ହଜାର ଜରିମନା କରାଯାଇଛି। ଅନାଦେୟ ହେଲେ ଉଭୟଙ୍କୁ ଅଧିକ ୬ ମାସ ଲେଖାଏଁ କାରାଦଣ୍ଡ ଭୋଗିବା ଆଦେଶ ହୋଇଛି। ପୁରନ୍ଦରଙ୍କ ଠାବ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ହୋଇଥିବା ମାମଲା ବିଚାରାଧୀନ ଥିବା ବେଳେ ତିରୁପତିଙ୍କର ବରମୁଣ୍ଡା ଶାନ୍ତି ବିହାରରେ ଥିବା ସମ୍ପତ୍ତି(ଘର) ବାଜ୍ୟାପ୍ତି ଘୋଷଣା ହୋଇଛି।

ସୂଚନା ମୁତାବକ, ୨୦୦୬ ମସିହାରେ କୋରାପୁଟ୍‌ର ଆରଟିଓ ଭାବରେ ପୁରନ୍ଦର କାର୍ଯ୍ୟ କରୁଥିଲେ। ସେଠାରେ ମୋଟା ଅଙ୍କର ଲାଞ୍ଚ ନେଇ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ୨୦୦୬ ମସିହା ଜୁନ୍‌ ୨୪ ତାରିଖ ଦିନ ଭିଜିଲାନ୍‌ସ୍‌ ଟିମ୍‌ ତାଙ୍କ ଘର, ସମ୍ପର୍କୀୟଙ୍କ ଘର, ଅଫିସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୧୬ ଲକ୍ଷ ୬୬ ହଜାର ୬୮୮ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ରାୟଗଡ଼ା ପୂର୍ବତନ ଭିଜିଲାନ୍‌ସ୍‌ ଡିଏସ୍‌ପି ଶିଶିର ଭୋଇ ତଦନ୍ତ କରୁଥିଲେ ଓ ସ୍ବତନ୍ତ୍ର ପିପି ସୁନୀଲ ପତି ମାମଲା ପରିଚାଳନା କରୁଥିଲେ।

ସେହିଭଳି କନିଷ୍ଠ ଯନ୍ତ୍ରୀ ଭାବରେ କାମ କରୁଥିବା ତିରୁପତିଙ୍କ ନାମରେ ଏଭଳି ଅଭିଯୋଗ ହୋଇଥିଲା। ୨୦୦୧ ମସିହାରେ ଭିଜିଲାନ୍‌ସ୍‌ ବିଭାଗ ଚଢ଼ଉ ସମୟରେ ବରମୁଣ୍ଡାରେ ଥିବା ଏହି ଘର ସମ୍ପତ୍ତିକୁ ଜବତ କରିଥିଲା। ସ୍ବତନ୍ତ୍ର ପିପି ପି. ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

By amfnews

Related Post