Mon. Jun 9th, 2025

ରିମାଣ୍ଡ ଶେଷ, ଜେଲ୍‌ ଗଲା ରାଜା : ଆତଙ୍କବାଦୀ ଲିଙ୍କ୍‌ ନାହିଁ, ବିଦେଶରୁ ମାଲ୍‌ ଆଣି ଏଠି ବିକୁଥିଲା

By amfnews Sep 27, 2019 #Featured
166 Views

ଭୁବନେଶ୍ବର : ଅନ୍ତଃରାଷ୍ଟ୍ରୀୟ ନିଶା ମାଫିଆ ସେକ୍‌ ରାଜାର ଆତଙ୍କବାଦୀ ଲିଙ୍କ୍‌ ନାହିଁ। ସେ କେବଳ ବିଦେଶରୁ ନିଶାଦ୍ରବ୍ୟ କିଣି ଏଠାରେ ବେପାରୀଙ୍କୁ ବିକୁଥିଲା। ଆଜି ରାଜାର ରିମାଣ୍ଡ ଅବଧି ଶେଷ ହେବା ପରେ କ୍ରାଇମ୍‌ ବ୍ରାଞ୍ଚ ଏସ୍‌ଟିଏଫ୍ ଏସ୍‌ପି ରାହୁଲ ପି.ଆର୍‌ ଏହା ସ୍ପଷ୍ଟ କରିଛନ୍ତି। ତେବେ ଆଜି ଶେଷ ଦିନର ପଚରାଉଚରାରେ ଏସ୍‌ଟିଏଫ୍ ତା’ ବିଦେଶୀ ଲିଙ୍କ୍‌ ବାବଦରେ ଅନେକ ତଥ୍ୟ ହାସଲ କରିଛି। ଅପରପକ୍ଷେ ରିମାଣ୍ଡ ଶେଷ ହେବାରୁ ତାକୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ଆଦେଶ ବଳରେ ତାକୁ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଛି।

ନିଶା ବେପାର କରି ରାଜା କୋଟି କୋଟି ଟଙ୍କାର ସଂପର୍ତ୍ତି ଅର୍ଜନ କରିଛି। ୭ ଦିନର ଜେରା ପରେ ଏସ୍‌ଟିଏଫ୍ ବର୍ତ୍ତମାନ ସୁଦ୍ଧା ତା’ର ୨ କୋଟି ୨୦ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି। ଏହାକୁ ବ୍ୟାଜ୍ୟାପ୍ତ କରିବା ପାଇଁ ଏସ୍‌ଟିଏଫ୍ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜବତ ସାମଗ୍ରୀର ତାଲିକା ପ୍ରସ୍ତୁତ କରାଯାଇଛି। ଖୁବ୍‌ଶୀଘ୍ର କୋଲକାତାରେ ଥିବା କମ୍ପିଟାଣ୍ଟ ଅଥରିଟି (ସିଏ)ଙ୍କ ନିକଟରେ ଏହା ଉପସ୍ଥାପନ କରାଯିବା ସହ ସମ୍ପତ୍ତି ବ୍ୟାଜ୍ୟାପ୍ତ ପାଇଁ ପ୍ରାର୍ଥନା କରାଯିବ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖରେ ସେକ୍‌ ରାଜାକୁ ଗିରଫ କରାଯାଇଥିଲା। ଗିରଫ ସମୟରେ ଗୋଟିଏ ବନ୍ଧୁକ ସହ ନଗଦ ଲକ୍ଷେ ଟଙ୍କା, ୬ ମୋବାଇଲ ସହ ୬ ସିମ୍‌କାର୍ଡ, ୩ଟି ଏଟିଏମ୍‌ କାର୍ଡ ଜବତ କରାଯାଇଥିଲା। ସେ ଏଠାରେ ଯେଉଁ ସବୁ ବେପାରୀଙ୍କୁ ମାଲ୍‌ ଦେଉଥିଲା ସେମାନଙ୍କୁ ଏବେ ଠାବ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଏହି ଲିଙ୍କ୍‌ରେ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଖୁବ୍‌ଶୀଘ୍ର ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ଟିଏଫ ପକ୍ଷରୁ କୁହାଯାଇଛି।

By amfnews

Related Post