Sun. Mar 8th, 2026

ରାୟଗଡା କଲେଜ ଛାତ୍ର ହତ୍ୟା ଘଟଣାର ପର୍ଦାଫାସ:ତ୍ରିକୋଣୀୟ ପ୍ରେମରୁ ଜୀବନ ଗଲା

184 Views

ରାୟଗଡା : ରାୟଗଡା କଲେଜ ଛାତ୍ର ଏମ୍. ସୁରେଶ କୁମାର ହତ୍ୟା ଘଟଣାର ପର୍ଦାଫାସ କରିଛି ପୁଲିସ୍। ତ୍ରିକୋଣୀୟ ପ୍ରେମ ସଂପର୍କକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ ସ୍ପଷ୍ଟ କରିଛି। ହତ୍ୟାକାଣ୍ଡରେ ସଂପୃକ୍ତ ରାମଚନ୍ଦ୍ରପୁରର ନିରଂଜନ ବିଡ଼ିକା, ରାୟଗଡା ସହରର ପି. ପୱନ କଲ୍ୟାଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହିତ ୩ ନାବାଳକଙ୍କୁ ବ୍ରହ୍ମପୁର ଜୁଭେନାଇଲ୍ କୋର୍ଟକୁ ହସ୍ତାନ୍ତର କରିଛି। ହତ୍ୟାକାଣ୍ଡରେ କୌଣସି ଧାରୁଆ ଅସ୍ତ୍ର ବ୍ୟବହାର ହୋଇନଥିବା ବେଳେ ଅଭିଯୁକ୍ତମାନେ ହାତରେ ପିଟିପିଟି ସୁରେଶକୁ ହତ୍ୟା କରିଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍. ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ବାଇକକୁ ପୁଲିସ୍ ଜବତ କରିଛି।
ପୁଲିସ୍ ସୂଚନା ମୁତାବକ, ରାୟଗଡା କଲେଜରେ ଯୁକ୍ତ ଦୁଇ ପଢ଼ୁଥିବା ଏମ୍. ସୁରେଶ କୁମାର ଜଣେ କଲେଜ ଛାତ୍ରୀକୁ ଭଲ ପାଉଥିଲେ।

ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ଼ ଥିବା ବେଳେ ସଂପୃକ୍ତ ଛାତ୍ରୀକୁ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ନାବାଳକ ଜଣକ ଏକତରଫା ପ୍ରେମ ନିବେଦନ କରି ଆସୁଥିଲେ। ଛାତ୍ରୀ ଜଣଙ୍କ ସୁରେଶଙ୍କୁ ଭଲ ପାଉଥିବାରୁ ନାବାଳକର ପ୍ରେମ ଅନୁରୋଧକୁ ପ୍ରତ୍ୟାଖାନ କରି ଆସୁଥିଲେ। ପ୍ରେମରେ ବିଫଳ ହେବାକୁ ନେଇ ସୁରେଶ ଓ ନାବାଳକ ମଧ୍ୟରେ ବହୁ ସମୟରେ ବଚସା ଲାଗି ରହିଥିଲା। ହତ୍ୟାକାଣ୍ଡ ପୂର୍ବରୁ ମଧ୍ୟ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଛି। ୧୫ ତାରିଖ ରାତିରେ ନାବାଳକ ଜଣଙ୍କ ନିଜ ଦୁଇ ସହଯୋଗୀ ଓ ଅଭିଯୁକ୍ତ ନିରଂଜନ ଏବଂ ପୱନର ସହଯୋଗରେ ସୁରେଶଙ୍କୁ ଘରୁ ଡାକି ନେଇଥିଲେ। ଯାତ୍ରା ଦେଖିବାକୁ କହି ସୁରେଶକୁ ବାଇକରେ ବସାଇ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ସୁରେଶଙ୍କ ମୁହଁ, ପେଟ ଓ ଗୋଡକୁ ମାଡ଼ ମାରିଥିଲେ ବୋଲି ପୁଲିସ କହିଛି। ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭି. ଆର୍. ରାଓ, ଏସଡିପିଓ ତପନ ନାରାୟଣ ରଥ, ଟାଉନ୍ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ଚାନ୍ଦିଲି ଥାନା ଅଧିକାରୀ କ୍ଷୀରେଶ୍ବର ସାହୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

By amfnews

Related Post