ନୂଆଦିଲ୍ଲୀ, ଅଗଷ୍ଟ ୦୧ (ଖବର ଓଡ଼ିଶା): ତିନି ଦିନ ପରେ ବହୁ ପ୍ରତିକ୍ଷୀତ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶ୍ରୀରାମ ମନ୍ଦିରର ଗର୍ଭଗୃହରେ ରୁପାର କଇଁଛ ଓ ଏହାରି ଉପରେ ଶେଷନାଗ ରଖାଯିବ । କୁହାଯାଇଥାଏ ଶେଷନାଗ ପାତାଳ ଲୋକଙ୍କ ମାଲିକ । ଭୂମି ପୂଜନରେ କାଶୀ ବିଶ୍ୱନାଥରୁ ଆସିଥିବା ବେଲପତ୍ର ଅର୍ପଣ କରାଯିବ । କାଶୀ ବିଦ୍ୱାନ ପରିଷଦ ୩ ଜଣ ପଣ୍ଡିତ ସହିତ ବେଲପତ୍ର ନେଇ ଅଯୋଧ୍ୟା ଆସିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନ ପାଇଁ ଅଗଷ୍ଟ ୫ରେ ଅଯୋଧ୍ୟା ପହଂଚିବେ । ଭୂମି ପୂଜନ ଲାଗି ସ୍ୱତନ୍ତ୍ର ମଂଚ ପ୍ରସ୍ତୁତ ହେଉଛି । ଏହି ମଂଚରେ ପ୍ରଧାନମନ୍ତ୍ରୀ ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସରସଂଘଚାଳକ ମୋହନ ଭାଗବତ ଓ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଉପସ୍ଥିତ ରହିବେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରୀରାମ ଭକ୍ତି କାହାରିକୁ ଅଜଣା ନାହିଁ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦା ରହି ବନ୍ଦନ ଓ ଅଭିନନ୍ଦନ ଦେଖିଛନ୍ତି । ଅଗଷ୍ଟ ୫ରେ ମନ୍ଦିରରେ ଦିପାବଳୀ ଭଳି ଭବ୍ୟ ପ୍ରସ୍ତୁତି ଚାଲିଛି । ଏହାକୁ ନେଇ ଅଯୋଧ୍ୟାର ଜୟସିଂହପୁର ଗାଁରେ ଦେଢ଼ ଲକ୍ଷ ଦୀପ ଗଢ଼ାଯାଇଛି । ଗାଁ ଲୋକେ ବହୁତ ଖୁସି ଅଛନ୍ତି ।
ଅଯୋଧ୍ୟାରେ ପ୍ରସାଦ ଲାଗି ସ୍ୱତନ୍ତ୍ର ଲଡୁ କରାଯାଇଛି । ୧ ଲକ୍ଷ ୧୧ ହଜାର ଦେଶୀ ଘିଅରେ ଏହି ଲଡୁ କରାଯାଇଛି । ଏହାକୁ ଷ୍ଟିଲର ୧୧ ହଜାର ଡବାରେ ପ୍ରସାଦ ପ୍ୟାକିଂ କରାଯିବ । ଶ୍ରୀରାମ ଭୂମି ପୂଜନର ପ୍ରସାଦ ଦେଶବାସୀଙ୍କୁ ଦିଆଯିବ ।
ମୋଦୀଙ୍କ କାର୍ଯ୍ୟକ୍ରମ
-ଅଯୋଧ୍ୟାରେ ଅଗଷ୍ଟ ୫ରେ ମୋଦୀ ସାଢ଼େ ୨ ଘଣ୍ଟା ରହିବେ
-ସେ ପୂର୍ବାହ୍ନ ୧୧ଟା ୪୦ରେ ଅଯୋଧ୍ୟା ପହଂଚିବେ
-ଦିନ ୧୨ଟା ୪୦ ମିନିଟ ୮ ସେକେଣ୍ଟରେ ରାମ ମନ୍ଦିର ଆଧାରଶିଳା ରଖିବେ
-ଅପରାହ୍ନ ୧୨ଟା ୪୦ ମିନିଟ ୪୦ ସେକେଣ୍ଟ ଯାଏଁ ଶୁଭ ମୂହୁର୍ତ୍ତ
-ପ୍ରଧାନମନ୍ତ୍ରୀ ଅପରାହ୍ନ ୨ଟା ୧୦ରେ ଦିଲ୍ଲୀ ଫେରିଯିବେ ।