Fri. Apr 18th, 2025

ରାଫେଲ୍‌ ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯିବୁ: ନିରଞ୍ଜନ

By amfnews Sep 1, 2018 #Featured
231 Views

ଭବାନୀପାଟଣା : କେନ୍ଦ୍ର ସରକାରଙ୍କ ରାଫେଲ୍‌ ପ୍ରତିରକ୍ଷା ଡିଲ ଏକ ମହା ଦୁର୍ନୀତି। ଏହି ପ୍ରସଙ୍ଗ ନେଇ କଂଗ୍ରେସ ଲୋକମାନଙ୍କ ପାଖକୁ ଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଶ୍ରୀ ପଟ୍ଟନାୟକ ଆଜି ଭବାନୀପାଟଣା ସହରସ୍ଥିତ ବିଜୁକଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କଂଗ୍ରେସର ଦକ୍ଷିଣ ଓଡିଶା ବ୍ଳକ ସଭାପତି ମାନଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ। ନିଜ ଅଭିଭାଷଣରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଯେତିକି ନିର୍ବାଚନ ପାଖେଇ ଆସୁଛି ସେତିକି ଯୋଜନା ପରେ ଯୋଜନା ଘୋଷଣା କରି ଓଡିଶା ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ବିଜୁ ଯୁବ ବାହିନୀ ନାଁରେ ସରକାରୀ ଅର୍ଥରେ ଦଳୀୟ ଗୁଲାମ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି।

ଏଆଇସିସି ପ୍ରଚାର କମିଟି ସଦସ୍ୟ ଭକ୍ତଚରଣ ଦାସ କଂଗ୍ରେସ କର୍ମୀମାନଙ୍କୁ ତୃଣମୂଳ ସ୍ତରରେ ଆହୁରି ସଂଗଠିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ଲୋକଲୋଚନକୁ ଆଣିବାକୁ ପଡିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଂପାଦକ ଅନୀଲ ଚୌଧୁରୀ, ପୂର୍ବ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ଭାରତଭୂଷଣ ବେମାଲ ଉଭୟ ବିଜେପି ଓ ବିଜେଡି ସରକାର ଉପରେ ରଣହୁଙ୍କାର ଦେଇଥିଲେ।

କଂଗ୍ରେସର ଦକ୍ଷିଣ ଓଡିଶା ବ୍ଳକ ସଭାପତି ମାନଙ୍କ ପ୍ରଶିକ୍ଷଣ ଶିବିର ଭବାନୀପାଟଣା ସହରସ୍ଥିତ ବିଜୁକଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। କଂଗ୍ରେସର ଦକ୍ଷିଣ ଓଡିଶା କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ୯ଟି ଜିଲ୍ଲାର ଜୋନ ସଭାପତିମାନଙ୍କ ମେରାବୁଥ ମେରାଗୌରବ ଓ ଶକ୍ତି କାର୍ଯ୍ୟକ୍ରମ ତାଲିମ ଦିଆ ଯାଇଥିଲା।

ରାଜ୍ୟ ମିଡିଆସେଲ ପ୍ରଭାରୀ ଅଭିଷେକ ମହାନନ୍ଦ, ଅଖିଳ ଭାରତୀୟ ମିଡିଆସେଲର ଅଶୋକ ଶର୍ମା, ଦକ୍ଷିଣ ଓଡିଶା ମିଡିଆସେଲର ପବନ ଶର୍ମା, ଜିଲ୍ଳା ମିଡିଆସେଲର ମହମ୍ମଦ ଅଲ୍ଳୀ ପ୍ରମୁଖ ତାଲିମ ଦେଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଦସ୍ୟ ଚିତ୍ତରଞ୍ଜନ ମଣ୍ଡଳ, ପୂର୍ବମନ୍ତ୍ରୀ ରାସବିହାରୀ ବେହେରା, ଏଆଇସିସି ସଦସ୍ୟ ତରୁଣ ମାଝୀ, ୯ଟି ଜିଲ୍ଳାର କଂଗ୍ରେସର ପୂର୍ବ ସାଂସଦ, ବିଧାୟକ, ମହିଳା କଂଗ୍ରେସ ସମେତ ବିଭିନ୍ନ ସେଲର ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post