Sat. Mar 7th, 2026

ରାଜ୍ୟସଭା ନିର୍ବାଚନରେ ୯ ଆସନ ପାଇବ ବିଜେପି !

237 Views

ନୂଆଦିଲ୍ଲୀ: ରାଜ୍ୟସଭାର ୨୪ଟି ଆସନ ନିମନ୍ତେ ୧୯ ଜୁନ୍‌ରେ ହେବାକୁ ଥିବା ନିର୍ବାଚନ ପାଇଁ ଏବେ ରାଜନୀତି ସରଗରମ ହୋଇଉଠିଛି। ଗୁଜରାଟ କଂଗ୍ରେସରେ ବଡ଼ ଧରଣର କଳହ ସାମ୍ନାକୁ ଆସିଛି ଏବଂ କେତେକ ବିଧାୟକଙ୍କ ଇସ୍ତଫା ପରେ ବିଜେପିର ସ୍ଥିତି ମଜବୁତ ହୋଇଛି। ଯେଉଁ ସବୁ ଆସନରେ ନିର୍ବାଚନ ହେବ ସେଥିରେ କର୍ଣ୍ଣାଟକରେ ୪, ଆନ୍ଧ୍ର ପ୍ରଦେଶରେ ୪, ଗୁଜରାଟରେ ୪, ମଧ୍ୟ ପ୍ରଦେଶରେ ୩, ରାଜସ୍ଥାନରେ ୩, ଝାଡ଼ଖଣ୍ଡରେ ୨ ଏବଂ ମେଘାଳୟ ଓ ମଣିପୁରରେ ଗୋଟିଏ ଲେଖାଏଁ ଆସନ ରହିଛି। ଏଥିରୁ ବିଜେପି ୯ଟି ଆସନ ସୁରୁଖୁରୁରେ ହାସଲ କରିପାରିବ ବୋଲି କୁହାଯାଉଛି। ବିଜେପି ୯ ଆସନ ହାସଲ କଲେ ରାଜ୍ୟସଭାରେ ଏନ୍‌ଡିଏର ସଂଖ୍ୟା ୧୦୦ ଛୁଇଁବ।

ଏଭଳି ସ୍ଥିତିରେ କୌଣସି ବିଲ୍‌କୁ ରାଜ୍ୟସଭାରେ ଗୃହୀତ କରାଇବା ପାଇଁ ବିଜେପିକୁ କେବଳ ୨୨ଟି ଭୋଟ୍‌ ଆବଶ୍ୟକ ପଡ଼ିବ। ୨୪୨ ଆସନ ବିଶିଷ୍ଟ ରାଜ୍ୟସଭାରେ ୪ ଜଣ ମନୋନୀତ ସଦସ୍ୟଙ୍କ ସମର୍ଥନ ମଧ୍ୟ ଏନ୍‌ଡିଏକୁ ମିଳିପାରେ। ଏହା ବ୍ୟତୀତ ଏଆଇଏଡିଏମ୍‌କେ, ବିଜେଡି, ୱାଇଏସ୍‌ଆର୍‌ସିପି ଏବଂ ଟିଆର୍‌ଏସ୍‌ ମଧ୍ୟରେ ଏନ୍‌ଡିକୁ ସହଯୋଗର ହାତ ବଢ଼ାଇ ପାରନ୍ତି। ଅନ୍ୟପକ୍ଷରେ କର୍ଣ୍ଣାଟକରେ ବିଜେପି ହାଇକମାଣ୍ଡ ଏଭଳି ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି, ଯେଉଁମାନଙ୍କ ସଂପର୍କରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା କୌଣସି ଟେର୍‌ ପାଇନଥିଲେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ରାଜ୍ୟସଭା ପ୍ରାର୍ଥୀଭାବେ ପ୍ରଭାକର କୋରେ, ରମେଶ କଟ୍ଟି ଏବଂ ପ୍ରକାଶ ସେଟ୍ଟିଙ୍କ ନାମ ଦେଇଥିବା ବେଳେ ବିଜେପି ଏହାକୁ ପ୍ରତ୍ୟାଖ୍ୟାନ କରି ଏରନା କଡ଼ାଡ଼ି ଏବଂ ଅଶୋକ ଗସ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିଛି।

By amfnews

Related Post