ଜାଲୋର, ଜାନୁଆରୀ ୧୭ : ରାଜସ୍ଥାନର ଜାଲୋର ଜିଲ୍ଲାର ମହେଶପୁରା ଗାଁରେ ଶନିବାର ବିଳମ୍ବିତ ରାତି ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସରେ ବିଦ୍ୟୁତ ତାର ଲାଗିଯାଇଛି । ଫଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୬ ଜଣ ଯାତ୍ରୀ ଗୁରୁତର ଅଛନ୍ତି । ସେମାନଙ୍କୁ ଯୋଧପୁର ଏମଡିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାମାନ୍ୟ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସୂଚନା ମିଳିବା ପରେ ପୋଲିସ ପ୍ରଶାସନ ଘଟଣାସ୍ଥଳକୁ ପହଂଚିଥିଲା ।
ମହେଶପୁର ଗାଁରେ ଶନିବାର ରାତି ବଡ଼ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ ରାସ୍ତା ଭୁଲିଯାଇ ଗାଁ ଭିତରକୁ ପଶିଯାଇଥିଲା । ସେଠାରେ ବିଦ୍ୟୁତ ତାର ଦୋହଳି ଥିବାରୁ ଡ୍ରାଇଭର ବସକୁ ଅଟକାଇ ଦେଇଥିଲେ । ଏକ ଠେଙ୍ଗାରେ ବିଦ୍ୟୁତ ତାରକୁ ଉପରକୁ ଉଠାଯାଇ ବସ ଆଗକୁ ନେବା ପାଇଁ ଉଦ୍ୟମ କରାଯାଇଥିଲା ।
ଏହି ସମୟରେ ଏକ ବିଦ୍ୟୁତ ପିଣ୍ଡୁଳା ଖସି କଣ୍ଡକ୍ଟରଙ୍କ ଦେହରେ ପଡ଼ିଥିଲା । ଫଳରେ କଣ୍ଡକ୍ଟର ଓ ବସରେ ବିଦ୍ୟୁତ କରେଣ୍ଟ ପ୍ରବାହିତ ହୋଇଥିଲା । ଯେଉଁ ସମୟରେ ଦୁର୍ଘଟଣା ଘଟିଥିଲା, ସେହି ସମୟରେ ଏଥିରେ ବସିଥିବା ଯାତ୍ରୀମାନଙ୍କୁ ମଧ୍ୟ କରେଣ୍ଟ ଲାଗିଯାଇଥିଲା । ଫଳରେ ବସରେ ନିଆଁ ଲାଗିଯାଇଥିଲା । ବସର ଚାଳକ ଓ କଣ୍ଡକ୍ଟରଙ୍କ ମଧ୍ୟ ମୃତ୍ୟୁ ହୋଇଛି ।