Sat. Mar 7th, 2026

ରାଜପଥକୁ କବ୍‌ଜା କଲେ ହାତୀପଲ, ୨୦ ମିନିଟ୍‌ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

345 Views

ଖୁଣ୍ଟୁଣୀ: ଖୁଣ୍ଟୁଣୀ ବନାଞ୍ଚଳରେ ବିଚରଣ କରୁଥିବା ୧୩ଟି ହାତୀ ଆଜି ସକାଳେ ଓରନ୍ଦା ଗ୍ରାମ ନିକଟ ୫୫ନମ୍ବର ଜାତୀୟ ରାଜପଥ ପାର ହୋଇ ସୁନିଆଁମୁହଁ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। ଏହି ହାତୀ ପଲ ରାଜପଥ ପାର ହେବା ସମୟରେ ପ୍ରାୟ ୨୦ ମିନିଟ୍‌ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପ୍ରକାଶଥାଉ କି, ଏକ ହାତୀ ପଲରେ ଥିବା କିଛି ହାତୀ ଦୁଇ ସପ୍ତାହ ତଳେ ଚୌଦ୍ୱାର ନିକଟ ଡାଳିଯୋଡ଼ା ସଂରକ୍ଷିତ ଜଙ୍ଗଲକୁ ଚାଲିଯାଇଥିଲେ। ସେଠାରେ କିଛିଦିନ ରହିବା ପରେ ୧୭ ତାରିଖ ରାତିରେ ହାତୀପଲ ପୁନର୍ବାର ଖୁଣ୍ଟୁଣୀ ବନାଞ୍ଚଳକୁ ମୁହାଁଇଥିଲେ। ଏହି ସମୟରେ ହାତୀମାନେ କୁମାରପୁର, ଗୋବରା, ଗୁରୁଡ଼ିଝଟିଆ, ଓରନ୍ଦ ଆଦି ପଞ୍ଚାୟତର ବିଭିନ୍ନ ଗହିରରେ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ଆଜି ଭୋର୍‌ ସାଢ଼େ ୫ଟାରେ ହାତୀପଲ ସଂରକ୍ଷିତ ଜଙ୍ଗଲକୁ ଯିବା ପାଇଁ ଓରନ୍ଦା ଶମ୍ବେଶ୍ୱର ମନ୍ଦିର ସମ୍ମୁଖ ଜାତୀୟ ରାଜପଥ ପାର୍ଶ୍ୱକୁ ଚାଲିଆସିଥିଲେ। ହାତୀ ପଲର ଗତିବିଧି ନିରୀକ୍ଷଣ କରି ସେମାନଙ୍କୁ ଜଙ୍ଗଲମୁହାଁ କରାଉଥିବା ଖୁଣ୍ଟୁଣୀ ବନବିଭାଗ କର୍ମଚାରୀ ଓ ହାତୀ ଘଉଡାଳି ଦଳ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନକୁ ଅଟକାଇ ୧୩ଟି ହାତୀଙ୍କୁ ଗୋଟିଗୋଟି କରି ରାସ୍ତା ପାର କରାଇଥିଲେ।

By amfnews

Related Post