Sat. Mar 7th, 2026

ରାଜଧାନୀରେ ବାର୍ଡଫ୍ଲୁ :ଏକ କିମି ଅଞ୍ଚଳର ସବୁ କୁକୁଡ଼ା ମରାଯିବେ

317 Views

ଭୁବନେଶ୍ୱର : ଓଡ଼ିଶାରେ ‘କୋରୋନା’ ଭାଇରସ୍ ସଂକ୍ରମଣର ଆଶଙ୍କା ଲାଗି ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ବାର୍ଡଫ୍ଲୁ ଆତଙ୍କ ଦେଖାଦେଇଛି। ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁର ସ୍ପଷ୍ଟ ପ୍ରମାଣ ମିଳିବା ପରେ ରାଜ୍ୟ ସରକାର ଏବେ ଏହାର ଏକକିମି ବ୍ୟାସାର୍ଦ୍ଧ ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଓ ଏକରୁ ୧୦କିମି ବ୍ୟାସାର୍ଦ୍ଧ ଅଞ୍ଚଳକୁ ନିରୀକ୍ଷଣ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ସଂକ୍ରମିତ ଅଞ୍ଚଳ ମଧ୍ୟରେ ଥିବା ସମସ୍ତ କୁକୁଡ଼ାଙ୍କୁ ମରାଯାଇ ଗଭୀର ଗାତରେ ପୋତି ଦିଆଯିବ ଓ ମାଟି ଘୋଡ଼ାଇବା ପୂର୍ବରୁ ସେଥିରେ ଚୂନ ଓ ବ୍ଲିଚିଂ ପାଉଡ଼ର ପରି ବିଶୋଧକ ପ୍ରୟୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କୁକୁଡ଼ାମରା ଅଭିଯାନ ଓ ରୋଗ ନିୟନ୍ତ୍ରଣ ପାଇଁ ସରକାରଙ୍କ ତରଫରୁ ୧୨ଟି ତ୍ୱରିତ୍ କାର୍ଯ୍ୟକାରୀ ଦଳ(ରାପିଡ଼୍ ରେସପନ୍ସ ଟିମ) ନିଯୁକ୍ତ କରାଯାଇଛି। ୭ଟି ଦଳ କୁକୁଡ଼ାମରା କାର୍ଯ୍ୟରେ ନିୟୋଜିତ ଥିଲାବେଳେ ଅନ୍ୟ ପାଞ୍ଚଟି ଦଳ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସଂକ୍ରମିତ ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ରାପିଡ୍ ଟିମ୍ ଓୟୁଏଟି କୁକୁଡ଼ା ଫାର୍ମର କୁକୁଡ଼ା ମାରିବା ସହ ମାଂସ ଦୋକାନ ଓ ଅନ୍ୟାନ୍ୟ ଫାର୍ମରେ ମହଜୁଦ୍ ଥିବା କୁକୁଡ଼ାଙ୍କୁ ମାରି ଗଭୀର ଗାତରେ ପୋତିବା ସାଙ୍ଗକୁ ଘରଘର ବୁଲି ଯେଉଁମାନେ କୁକୁଡ଼ା ରଖିଛନ୍ତି ସେ କୁକୁଡ଼ାଗୁଡ଼ିକୁ ମାରିବାର ବ୍ୟବସ୍ଥା କରିବେ। ନିରୀକ୍ଷଣ ଅଞ୍ଚଳରେ ନିୟୋଜିତ ଥିବା ତ୍ୱରିତ୍ କାର୍ଯ୍ୟକାରୀ ଦଳ ନିୟମିତ ବ୍ୟବଧାନରେ କୁକୁଡ଼ାମାନଙ୍କ ରକ୍ତ,ଲାଳ ଓ ମଳ ଆଦି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବାର ବ୍ୟବସ୍ଥା କରାଯାଇଛି।

By amfnews

Related Post