Thu. Mar 6th, 2025

ରାଜଧାନୀରେ ଚାଞ୍ଚଲ୍ୟ : ସିକ୍ୟୁରିଟି ଗାର୍ଡଙ୍କୁ ଗୁଳି

By amfnews Mar 17, 2019 #Featured
231 Views

ଭୁବନେଶ୍ବର : କିଛି ଦିନର ନିରବତା ପରେ ରାଜଧାନୀରେ ପୁଣିଥରେ ବନ୍ଧୁକ ଗର୍ଜିଛି। ଶନିବାର ଭୋର୍‌ରେ ଟଙ୍କପାଣି ରୋଡ୍‌ସ୍ଥିତ ଖଟାମିଠା କଲ୍ୟାଣ ମଣ୍ଡପର ସିକ୍ୟୁରିଟି ଗାର୍ଡ ଜ୍ଞାନ ରଂଜନ ମଲ୍ଲିକଙ୍କୁ ଗୁଳିମାଡ଼ ହୋଇଛି। ପାଣି ମାଗିବା ବାହାନାରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରିଛନ୍ତି। ଗୋଟିଏ ଗୁଳି ତାଙ୍କ ଡାହାଣପଟ ପିଠିରେ ବାଜିଥିବା ବେଳେ ଅନ୍ୟଟି କାନ୍ଧରେ ବାଜିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସହିଦନଗର ଥାନା ପୁଲିସ ଗୁରୁତର ଜ୍ଞାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। କିନ୍ତୁ ସେଠାରେ ଅବସ୍ଥା ଉଦ୍‌ବେଗଜନକ ରହିବାରୁ ପରିବାରଲୋକେ ତାଙ୍କୁ ସୈନିକ ସ୍କୁଲ ନିକଟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଜ୍ଞାନଙ୍କ ଘର ଭଦ୍ରକ ଟାଉନ୍‌ ଅଞ୍ଚଳରେ। ତେବ‌େ କେଉଁ କାରଣରୁ ତାଙ୍କୁ ଗୁଳିମାଡ଼ କରାଗଲା, ସେ ସଂପର୍କରେ ଜଣାପଡ଼ିନାହିଁ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ମଣ୍ଡପ ଓ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ ଚଳାଇଛି।
ପୁଲିସ ସୂଚନା ଅନୁଯାୟୀ, ଜ୍ଞାନ ଦେଢ଼ ବର୍ଷ ତଳେ ଏହି କଲ୍ୟାଣ ମଣ୍ଡପର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଆଜି ଭୋର୍‌ ପ୍ରାୟ ୫ଟା‌ରେ ମଣ୍ଡପ ଭିତରେ ଜ୍ଞାନ ଥିବା ବେଳେ ଦୁଇଜଣ ଯୁବକ ଏକ ଆକ୍ଟିଭା ସ୍କୁଟିରେ ଆସି ତାଙ୍କୁ ବାହାରକୁ ଡାକିବା ସହ ପିଇବା ପାଇଁ ପାଣି ମାଗିଥିଲେ। ଯୁବକଦ୍ବୟଙ୍କୁ ପିଇବା ପାଇଁ ପାଣି ଦେଇ ମଣ୍ଡପ ଭିତରକୁ ଫେରିଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଅଣ୍ଟାରୁ ବନ୍ଧୁକ କାଢ଼ି ଜ୍ଞାନଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ବନ୍ଧୁକ ଗର୍ଜନ ଓ ଜ୍ଞାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ଦୁର୍ବୃତ୍ତଦ୍ୱୟ ସେଠାରୁ ଦ୍ରୁତ ଗତିରେ ଫେରାର୍ ହୋଇଯାଇଥିଲେ।

ଦୁର୍ବୃତ୍ତଦ୍ବୟ କିଏ? ଜ୍ଞାନ ସେମାନଙ୍କୁ ଚିହ୍ନିଛନ୍ତି କି ନାହିଁ? ପୂର୍ବରୁ କୌଣସି ଶତ୍ରୁତା ଥିଲା କି? ଏହି ସବୁ ପ୍ରଶ୍ନର ଉତ୍ତର ଏବେ ପୁଲିସ ଖୋଜୁଛି। ଅପରପକ୍ଷେ ଏହି ଗୁଳିମାଡ଼ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

By amfnews

Related Post