Wed. Jan 15th, 2025

ରାଉରକେଲା ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦରଦ ନାହିଁ : ଜିଲା କଂଗ୍ରେସ

rklsanchar@gmail.com' By J.N. Pradhan Jul 2, 2018 #Featured
108 Views

ରାଉରକେଲା, ୧/୭: ରାଉରକେଲାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦରଦ ନାହିଁ । ଉଭୟ ସରକାରଙ୍କ ପ୍ରତିଶ୍ରୁତି ପ୍ରହସନରେ ପରିଣତ ହୋଇଛି ବୋଲି ଜିଲା କଂଗ୍ରେସ ସଭାପତି ରବି ରାୟ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ସେ ଦର୍ଶାଇଛନ୍ତି ଯେ,ଆଇଜିଏଚକୁ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜରେ ପରିଣତ କରିବା ଏବଂ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପ୍ରସଙ୍ଗରେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରି ହୋଇପାରୁ ନାହିଁ ।

ଏହାକୁ ନେଇ ବିଜେପି ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବଢ଼ି ଚାଲିଥିବା ବେଳେ ରାଉରକେଲା ଲୋକଙ୍କ ପାଇଁ ଏହା ଭୁଆଁ ବୁଲାଇବା ସଦୃଶ ହୋଇଛି । ଓଡ଼ିଶାରୁ ଏକମାତ୍ର ଲୋକସଭା ସଦସ୍ୟ କେନ୍ଦ୍ରମନ୍ତ୍ରୀ ହୋଇଥିବାବେଳେ ସେ ଏହି ଜିଲାରୁ ପ୍ରତିନିଧିତ୍ୱ କରୁଛନ୍ତି । ଏହା ସତ୍ତେ୍ୱ ତାଙ୍କର ବିକାଶ କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ରହୁଛି । ଏହି ୨ଟି ପ୍ରମୁଖ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଓ ରାଉରକେଲାବାସୀଙ୍କ ବିକାଶ ପାଇଁ ଉପହାସ ସଦୃଶ ହୋଇଛି । ସେହିଭଳି ବିଜେଡ଼ି ସରକାର କୋଏଲ ବ୍ୟାରେଜ ଠାରୁ ଆରମ୍ଭ କରି ରାଉରକେଲା ସରକାରୀ ଡାକ୍ତରଖାନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଜନସାଧାରଣଙ୍କୁ ଅବହେଳା କରି ଆସୁଛନ୍ତି ।

କୋଏଲ ବ୍ୟାରେଜ ନେଇ ଏବେ ଆଉ ସ୍ୱରଶବ୍ଦ ଶୁଭୁନାହିଁ । ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ ହେଉନଥିବାବେଳେ ଏବେ ରହିଥିବା ଡାକ୍ତରଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ବହୁଦିନ ହେଲା ଜଣେ ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ନେଇ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କ ବିକାଶ ସହିତ ଖେଳ ଖେଳୁଛନ୍ତି । ତୁରନ୍ତ ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ ହେଲେ ଜନସାଧାରଣଙ୍କ ସହ ସାମିଲ୍ ହୋଇ କଂଗ୍ରେସ ବ୍ୟାପକ ଆନ୍ଦୋଳନ କରିବ ବୋଲି ଜିଲା କଂଗ୍ରେସ ସଭାପତି ରବି ରାୟ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି ।

Related Post