Tue. Nov 5th, 2024

ରାଉରକେଲା ପୋଲିସ ଜିଲାରେ ପିଏଲ୍ଏଫ୍ଆଇ ଏବଂ ମାଓ ଉପଦ୍ରବ କମିଛି – ରାଉରକେଲା ଏସ୍ପି ଡ.ଉମାଶଙ୍କର ଦାଶ

By amfnews Jan 4, 2019 #Featured
208 Views

ରାଉରକେଲା, ୪ା୧: ନବବର୍ଷ ଉପଲକ୍ଷେ ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସ୍ପି ଡ.ଉମାଶଙ୍କର ଦାଶ ସହରବାସୀ ତଥା ସହକର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ୨୦୧୮ କ୍ୟାଲେଣ୍ଡର ବର୍ଷରେ ରାଉରକେଲା ପୋଲିସ ଜିଲାର ସଫଳତା ଓ ବିଫଳତା ସମ୍ପର୍କରେ ସୂଚନା ଦେଇ କହିଲେ ଯେ, ଏହି ବର୍ଷରେ ରାଉରକେଲା ପୋଲିସ ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ସ୍ୱଭାବିକ ରହିଛି । ଏହି ସମୟରେ ମାଓବାଦୀ ଓ ପିଏଲ୍ଏଫ୍ଆଇ ଉପଦ୍ରବ ହ୍ରାସ ପାଇଥିବା ବେଳେ ଛିନ୍ତାଇ, ରାସ୍ତା ଦୁର୍ଘଟଣା, ଆତ୍ମହତ୍ୟା ଓ ବଣୁଆ ଯନ୍ତୁ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଉଦ୍ବେଗଜନକ ବୋଲି କହିଛନ୍ତି ।

ପୋଲିସ ଜିଲାରେ ବିଗତ ୪ ବର୍ଷର ବିଭିନ୍ନ ବିଫଳତା ଓ ସଫଳତାର ରିପୋର୍ଟ ଉପସ୍ଥାପନ କରିଥିଲେ । ଗତବର୍ଷ ମାଓବାଦୀ ଓ ପିଏଲ୍ଏଫ୍ଆଇ ଉପଦ୍ରବ ହ୍ରାସ ପାଇଥିବା ବେଳେ ଛିନତାଇ, ରାସ୍ତା ଦୁର୍ଘଟଣା, ଆତ୍ମହତ୍ୟା ଓ ବଣୁଆଯନ୍ତୁ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଥିବା ଡ. ଦାଶ ସୂଚନା ଦେଇଥିଲେ । ଗତ ବର୍ଷରେ ୪୮ଟି ହତ୍ୟାକାଣ୍ଡ, ୨୫ଟି ଡକାୟତି, ୧୧୬ଟି ଛିନ୍ତାଇ, ୬୭ଟି ଧର୍ଷଣ, ୨୧୫ଟି ଘର ଚୋରି, ୪୨୫ଟି ଚୋରି, ୮୬ଟି ଠକେଇ, ୪୮ଟି ଦଙ୍ଗା, ୪୮୯ଟି ରାସ୍ତା ଦୁର୍ଘଟଣା ଭଳି ଅପରାଧ ଘଟିଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୨୦୧୮ରେ ୫୭୯ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ୨୦୧୭ରେ ଏହାର ସଂଖ୍ୟା ଥିଲା ୫୦୨ ।

୨୦୧୭ରେ ଆତ୍ମହତ୍ୟା ସମ୍ପର୍କିତ ୭୬ଟି ରିପୋର୍ଟ ହୋଇଥିବା ବେଳେ ୨୦୧୮ରେ ଏହା ୧୧୪କୁ ବୃଦ୍ଧି ପାଇବା ଉଦ୍ବେଗଜନକ ବୋଲି କୁହାଯାଇଛି । ଏସବୁ ହ୍ରାସ ପାଇଁ ବିଭିନ୍ନ ସ୍ତରରେ କାଉନସେଲିଂର ଆବଶ୍ୟକତା ରହିଥିବା ଡ.ଦାଶ କହିଛନ୍ତି । ସେହିପରି ଅଗ୍ନିକାଣ୍ଡ ଜନିତ ମୃତାହତଙ୍କ ସଂଖ୍ୟା ୨୦୧୭ରେ ୫୪ଟି ପଞ୍ଜିକୃତ ହୋଇଥିବା ବେଳେ ୨୦୧୮ରେ ଏହା ୭୫କୁ ବୃଦ୍ଧି ପାଇଛି । ହାତୀ ଓ ଭାଲୁ ଭଳି ବନ୍ୟଯନ୍ତୁ ଜନିତ ମୃତ୍ୟୁ ସଂଖ୍ୟା ୨୦୧୭ରେ ୩ ଥିବା ବେଳେ ୨୦୧୮ରେ ଏହା ୧୦କୁ ବୃଦ୍ଧି ପାଇଛି । ଅନୁରୂପ ଭାବେ ବିଗତ ବର୍ଷ ୪୭୬ଟି ରାସ୍ତା ଦୁର୍ଘଟଣା ଘଟିଥିଲା । ସେଥିରୁ ୧୯୩ଟି ମର୍ମନ୍ତୁଦ ଦୁର୍ଘଟଣା ରେକର୍ଡ଼ ହୋଇଛି ।

ଏହି ଦୁର୍ଘଟଣାରେ ୨୦୬ ଜଣ ଗୁରୁତର ଆହତ ହୋଇଥିଲା ବେଳେ ୧୬୦ ଜଣ ସାମାନ୍ୟ ଆହତ ହୋଇଥିଲେ । ତେବେ ୨୦୧୮ରେ ରାସ୍ତା ଦୁର୍ଘଟଣା ସଂଖ୍ୟା ୪୮୯କୁ ବୃଦ୍ଧି ପାଇଥିବା ବେଳେ ୧୭୪ଟି ଦୁର୍ଘଟଣାକୁ ମର୍ମନ୍ତୁଦ ରେକର୍ଡ଼ କରାଯାଇଛି । ଏସବୁ ଦୁର୍ଘଟଣାରେ ୧୮୭ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨୫୧ ଜଣ ସାମାନ୍ୟ ଆହତ ହୋଇଥିବା ରେକର୍ଡ଼ ରହିଛି । ତେବେ ବିଭିନ୍ନ କାରଣରୁ ରାସ୍ତା ଦୁର୍ଘଟଣା ବଢ଼ୁଥିବା ଏସ୍ପି ସୂଚନା ଦେଇଥିଲେ । ଗାଡ଼ି ଚାଳକ ଓ ଲୋକେ ସଚେତନ ଓ ସତର୍କ ହେଲେ ରାସ୍ତା ଦୁର୍ଘଟଣା ହ୍ରାସ ପାଇବ ବୋଲି ଡ.ଦାଶ କହିଥିଲେ । ୨୦୧୮ରେ କୌଣସି ମାଓ ହିଂସା ଘଟିନଥିବା କହିଥିଲେ ।

ତେବେ ସହରରେ ଟ୍ରାଫିକ ସମସ୍ୟା ଗୁରୁତର ଥିବା ଏସ୍ପି ସ୍ୱୀକାର କରିଛନ୍ତି । ସେକ୍ଟର-୭/୧୭, ଛେଣ୍ଡ ଛକରେ ଆକାମୀ ହୋଇ ପଡ଼ିଥିବା ଟ୍ରାଫିକ ସିଗ୍ନାଲକୁ ଠିକ୍ କରାଯିବା ସହ ବାସନ୍ତୀ କଲୋନୀ ଓ ହନୁମାନ ବାଟିକା ଛକରେ ସ୍ମାର୍ଟ ସିଟି ସହାୟତାରେ ଟ୍ରାଫିକ ସିଗ୍ନାଲ ନିର୍ମାଣ ଓ ନିୟନ୍ତ୍ରଣ ପାଇଁ ଯୋଜନା ରହିଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଅନୁରୂପ ଭାବେ ଡେଲି ମାର୍କେଟ, ମଧୁସୂଦନ ମାର୍ଗ ଓ ପାନପୋଷ ଛକରୁ ବେଦବ୍ୟାସ ଛକ ଭିତରେ ଟ୍ରାଫିକ ବ୍ୟବସ୍ଥାର ନିୟନ୍ତ୍ରଣ କରାଯିବ ବୋଲି କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ପି ପି.କେ. ମହାପାତ୍ର, ଏସ୍.ସି, ପାଠୀ, ଡିଏସ୍ପି ମୋହନ ପାଣି କାରୁଆ ଓ ଏସ୍.ଏନ୍. ମୁଦୁଲି ପ୍ରମୁଖ ଉପସ୍ିତ ଥିଲେ ।

By amfnews

Related Post