Sun. Nov 24th, 2024

ରାଉରକେଲା ପୁଲିସ ନିକଟରେ ୪ ମାଓବାଦୀଙ୍କ ଆତ୍ମସମର୍ପଣ ଦୁଇ ଜଣଙ୍କ ମୁଣ୍ଡ ପାଇଁ ୫ ଲକ୍ଷ ପୁରସ୍କାର ଥିଲା

By amfnews Aug 25, 2018 #Featured
128 Views

ରାଉରକେଲା, ୨୫ା୮ : ରାଉରକେଲା ପୁଲିସ୍ ଓ ସିଆର୍ପିଏଫ୍ ନିକଟରେ ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପାଇଁ ଓଡ଼ିଶା ସରକାର ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖିଥିଲେ । ଏମାନେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଛନ୍ତି ବୋଲି ଖବର ମିଳିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପଶ୍ଚିମାଞ୍ଚଳ ଆଇଜି କବିତା ଜଲାନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଗତକାଲି ଅପରାହ୍ନରେ ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୪ ମାଓବାଦୀଙ୍କ ଆତ୍ମସମର୍ପଣ ସମ୍ପର୍କରେ ଡିଆଇଜି ଶ୍ରୀମତୀ ଜଲାନ ସୂଚନା ଦେଇଥିଲେ । ଆତ୍ମ ସମର୍ପଣ କରିଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ତେବେ ଏମାନଙ୍କ ମଧ୍ୟରୁ ୩ ଜଣ କ୍ୟାଡର ମାଓବାଦୀ ଥିବା ଖବର ମିଳିଛି । ଆତ୍ମସମର୍ପଣ କରିଥିବା ୪ ମାଓବାଦୀ ହେଲେ ପ୍ରେମଚାନ୍ଦ ମୁଣ୍ଡା ଓରଫ୍ ଜଗନ ସିଂହ ଓରଫ୍ ଜଗଦୀଶ ଓରଫ୍ ରତନ, ମାତା ବୁଡିଂ ଓରଫ୍ ତେଜଶ, ଗୋମିଆ ମୁଣ୍ଡା ଓରଫ୍ ଗୁମା ଓ ଜଣେ ନାବାଳକ । ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ କର୍ଡା ଗାଁର ସୁରଥ ସିଂହଙ୍କ ପୁଅ ପ୍ରେମଚାନ୍ଦ ୨୦୧୦ରେ ମାଓ ସଂଗଠନରେ ସାମିଲ ହୋଇଥିଲା । ୨୦୧୨ ପର୍ଯ୍ୟନ୍ତ ସେ ବୁଣ୍ଡୁ, ଚାନ୍ଦିଲ, କୋଲହନ ଓ ସରଣ୍ଡା କ୍ୟାମ୍ପରେ ବିଭିନ୍ନ ସମୟରେ ପ୍ରଶିକ୍ଷଣ ନେଇଥିଲା ।

ପରେ କନ୍ଧମାଳ ଜିଲାରେ ମାଓ କମାଣ୍ଡର ସନ୍ଦୀପ ଠାରୁ ଅସ୍ତ୍ରଶସ୍ତ୍ର ଚାଳନା ପ୍ରଶିକ୍ଷଣ ନେଇ ଜଣେ ପେଷାଦାର ମାଓବାଦୀରେ ପରିଣତ ହୋଇଥିଲା । ବୌଦ୍ଧ, କନ୍ଧମାଳ, ଅନୁଗୋଳ, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲାରେ ବିଭିନ୍ ସମୟରେ ହୋଇଥିବା ପୁଲିସ-ମାଓବାଦୀ ଗୁଳି ବିନିମୟରେ ସେ ସାମିଲ୍ ଥିଲା । କ୍ରମଶଃ ଭାବେ ସଙ୍ଗଠନ ନୀତି ଆଦର୍ଶରୁ ଦୂରେଇ ଯାଉଥିବାରୁ ତାର ସଙ୍ଗଠନ ପ୍ରତି ଅସୂୟା ଭାବ ସୃଷ୍ଟି ହୋଇଥିଲା । ତେଣୁ ବୃଦ୍ଧ ପିତାମାତା ସମସ୍ୟାକୁ ଦୃଷ୍ଟିରେ ରଖି ସେ ମାଓ ସଂଗଠନ ତ୍ୟାଗ କରିଥିବା ଡିଆଇଜି କହିଥିଲେ । ପ୍ରେମଚାନ୍ଦ ମୁଣ୍ଡ ପାଇଁ ରାଜ୍ୟ ସରକାର ୪ ଲକ୍ଷ ଓ ମାତା ବୁଡିଂ ଓରଫ୍ ତେଜଶ ମୁଣ୍ଡ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ।

ତେବେ ପୁଲିସ ପକ୍ଷରୁ ବାରମ୍ବାର ମାଓକ୍ୟାମ୍ପରେ ଆକ୍ରମଣ, ବରିଷ୍ଠ ନେତାଙ୍କ ଦୁର୍ବ୍ୟବହାର ସମେତ ଅନ୍ୟାନ୍ୟ କାରଣରୁ ସେ ଅସ୍ତ୍ର ତ୍ୟାଗ କରି ରାଉରକେଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅନ୍ତର୍ଗତ କେନ୍ଦୁଡିହୀ ଗାଁର କରମୁ ମୁଣ୍ଡାଙ୍କ ପୁଅ ଗୋମିଆ ମୁଣ୍ଡା ଓରଫ୍ ଗୁମା ୨୦୦୮ରେ ମାଓ ସଂଗଠନରେ ସାମିଲ ହୋଇଥିଲା । ସେହିପରି ଅନ୍ୟ ଜଣେ ନାବାଳକ ମାଓବାଦୀ ମଧ୍ୟ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ଲୁଙ୍ଗା ଗାଁର ଏହି ନାବାଳକ ଦଳରେ ସାମିଲ ହୋଇଥିଲା । କିନ୍ତୁ ମାଓ କ୍ୟାମ୍ପରେ ଅସ୍ୱାସ୍ଥ୍ୟକର ପରିବେଶ ଓ ବରିଷ୍ଠ ମାଓନେତାଙ୍କ ତାଡ଼ନାରେ ସେ ଅତିଷ୍ଠ ହୋଇ ମାଓ ସଂଗଠନ ଛାଡ଼ିଥିବା ପୁଲିସ ସୂଚନା ଦେଇଛି ।

ଆତ୍ମସର୍ପଣ କରିଥିବା ଏହି ମାଓବାଦୀମାନଙ୍କୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପୁଲିସ ସୂଚନା ଦେଇଛି । ଏହା ସହିତ ହିଂସା ମାର୍ଗରେ ପରିଚାଳିତ ହେଉଥିବା ମାଓବାଦୀମାନେ ହିଂସା ପରିହାର କରି ତୁରନ୍ତ ଆତ୍ମ ସମର୍ପଣ କରିବାକୁ ପୁଲିସ ପକ୍ଷରୁ ଆହ୍ୱାନ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ଏସ୍ପି ଡ. ଉମାଶଙ୍କର ଦାସ, ସିଆର୍ପିଏଫ୍ କମାଣ୍ଡାଣ୍ଟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

By amfnews

Related Post