Sat. Jan 11th, 2025

ରାଉରକେଲାରେ ସେପ୍ଟେଜ୍ ବିଶୋଧନ ବ୍ୟବସ୍ଥାର ଶୁଭାରମ୍ଭ ଭିଡିଓ କନ୍ଫରେନ୍ସି ଯୋଗେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

By amfnews Oct 27, 2018 #Featured
171 Views

ରାଉରକେଲା, ୨୭ା୧୦: ସ୍ଥାନୀୟ ବାଲୁଘାଟ ଅଞ୍ଚଳରେ ଥିବା ରୂପଟୋଲା ନିକଟରେ ସେପ୍ଟେଜ୍ ବିଶୋଧନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଏହି ବ୍ୟବସ୍ଥାକୁ ମାନ୍ୟବର ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସି ଯୋଗେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମ କମିଶନର ରଶ୍ମିତା ପଣ୍ଡା, ସୁନ୍ଦରଗଡ ଜିଲାପାଳ ସୁରେନ୍ଦ୍ର କୁମାର ମୀନା ଓ ରାଉରକେଲା ଅତିରିକ୍ତ ଜିଲାପାଳ ମୋନୀଷା ବାନାର୍ଜୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ସ୍ଥାନୀୟ ଅଞ୍ଚଳର ଶହ ଶହ ଜନସାଧାରଣ ଏହି ଉଦ୍ଘାଟନୀ ସମାରୋହରେ ସାମିଲ୍ ହୋଇଥିଲେ । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଉରକେଲା ମହାନଗର ନିଗମ କମିଶନର ରଶ୍ମିତା ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଏହି ବ୍ୟବସ୍ଥାର ବିଭିନ୍ନ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଶ୍ରୀ ପଣ୍ଡା କହିଲେ ଯେ, ଏହି ସେପ୍ଟେଜ୍ ବିଶୋଧନ ବ୍ୟବସ୍ଥାରେ ଦୈନିକ ୪୦ ହଜାର ଲିଟର ସେପ୍ଟେଜ ବିଶୋଧନ ହୋଇପାରିବ ଏବଂ ଏହା ଆଖପାଖ ଅଞ୍ଚଳର ପାଖାପାଖି ୨୦ ହଜାର ଜନସଂଖ୍ୟାକୁ ସୁଫଳ ଦେବ । ଏହି ବ୍ୟବସ୍ଥାରେ ଗୃହରୁ ନିର୍ଗତ ବର୍ଜ୍ୟ ମଳକୁ ସେସ୍ପୁଲ ଗାଡି ଦ୍ୱାରା ଏଠାକୁ ଅଣାଯାଇ ଏହାର ବିଶୋଧନ କରାଯିବ । ଯହାଦ୍ୱାରା ନଦୀ ଓ ଭୂମିଗତ ଜଳ ପ୍ରଦୂଷିତ ହେବ ନାହିଁ ।

ଏଥିସହିତ ଏହି ବ୍ୟବସ୍ଥାରେ ବର୍ଜ୍ୟ ମଳକୁ ପୁଣିଥରେ ପ୍ରକ୍ରିୟାକରଣ କରାଯିବ ଏବଂ ସେଥିରୁ ବାହାରୁଥିବା ପାଣିକୁ ବଗିଚାରେ ବ୍ୟବହାର କରାଯାଇପାରିବ । ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ଉଦ୍ଘାଟନୀ ଫଳକକୁ ଅନାବରଣ କରିବା ସହ ସଭାକୁ ଉଦ୍ବୋଦନ ଦେଇ କହିଲେ ଯେ, ଏହି ବ୍ୟବସ୍ଥାର ଶୁଭାରମ୍ଭ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଏବଂ ଏହାଦ୍ୱାରା ରାଉରକେଲା ବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇପାରିବ । ସେହିପରି ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଏହି ସଭାକୁ ଉଦ୍ବୋଧନ ଦେଇ କହିଲେ ଯେ, ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାଦ୍ୱାରା ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ଓଡିଶା ଓ ସୁସ୍ଥ ଓଡିଶା ନିମନ୍ତେ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ସାକାର ହୋଇପାରିବ ।

ଏଥିସହ ସେ ଉପସ୍ଥିତ ଜନତାଙ୍କୁ ଏହି ବ୍ୟବସ୍ଥାର ଲାଭ ନେବା ନିମନ୍ତେ ଆହ୍ୱାନ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଅମୃତ ଯୋଜନା ଆରମ୍ଭ ହେବା ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୨ଟି ସହରରେ ସେପ୍ଟେଜ୍ ବିଶୋଧନ ବ୍ୟବସ୍ଥାର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯିବା ସହ ରାଜ୍ୟ ବାର୍ଷିକ କାର୍ଯ୍ୟ ଖସଡାରେ ଏଥିନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ପରେ ଓଡିଶା ଜଳ ଯୋଗାଣ ଓ ସ୍ୱେରେଜ୍ ବୋର୍ଡକୁ ସେପ୍ଟେଜ ବିଶୋଧନ ବ୍ୟବସ୍ଥା ନିର୍ମାଣ ନିମନ୍ତେ ଦାୟିତ୍ବ ଦିଆଗଲା । ବୋର୍ଡ ପକ୍ଷରୁ ଏନେଇ ଡିପିଆର୍ ପ୍ରସ୍ତୁତି କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ପ୍ରକଳ୍ପର ଅଟ୍ଟକଳ ମୂଲ୍ୟ ୨.୧୫ କୋଟି ଟଙ୍କା ରହିଛି ।

By amfnews

Related Post