126 Views
ନୂଆଦିଲ୍ଲୀ, ଅକ୍ଟୋବର ୧୫: ଭାରତୀୟ ଦଳର ଯୁବ ବ୍ୟାଟସମ୍ୟାନ ପୃଥ୍ୱୀ ଶା ୱେଷ୍ଟଇଣ୍ଡିଜ ବିରୋଧରେ ଖେଳା ଯାଇଥିବା ଦୁଇଟି ଟେଷ୍ଟ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରି ନିଜ ଅନ୍ତରାଷ୍ଟ୍ରୀୟ କ୍ରିକେଟ କ୍ୟାରିଅର ଆରମ୍ଭ କରିଛନ୍ତି । ପ୍ରଥମ ଟେଷ୍ଟରେ ଶତକ ଅର୍ଜିବା ପରେ ପୃଥ୍ୱୀଙ୍କ ତୁଳନା ଭାରତର ମହାନ ବ୍ୟାଟସମ୍ୟାନଙ୍କ ସହ କରାଯାଉଛି । ଏପରି କି ତାଙ୍କୁ କେହି କେହି ଦ୍ୱିତୀୟ ସଚିନ ତେନ୍ଦୁଲକର କହିବା ଆରମ୍ଭ କରିଦେଲେଣି । ଅପରପକ୍ଷେ ଦଳର କୋଚ ରବି ଶାସ୍ତ୍ରୀଙ୍କୁ ଏହି ଯୁବ ଖେଳାଳିଙ୍କ ମଧ୍ୟରେ ସଚିନ, ବ୍ରାୟନ ଲାରା ଏବଂ ବିରେନ୍ଦ୍ର ସେହ୍ୱାଗଙ୍କ ଝଲକ ଦେଖା ଯାଉଛି ।
ଗତକାଲି ଇଣ୍ଡିଜ ବିରୋଧରେ ଦ୍ୱିତୀୟ ଟେଷ୍ଟ ତଥା ୨-୦ରେ ସିରିଜ ଜିତିବା ପରେ ଶାସ୍ତ୍ରୀ କହିଛନ୍ତି ଯେ ପୃଥ୍ୱୀ କ୍ରିକେଟ ଖେଳିବା ପାଇଁ ଜନ୍ମ ହୋଇଛନ୍ତି । ସେ ୮ ବର୍ଷ ବୟସରୁ ମୁମ୍ବାଇ ଗ୍ରାଉଣ୍ଡରେ ଖେଳି ଆସୁଛନ୍ତି । ଏହା ତାଙ୍କର ପରିଶ୍ରମର ଫଳ । ଦର୍ଶକଙ୍କୁ ମଧ୍ୟ ତାଙ୍କ ଖେଳ ଭଲ ଲାଗେ । ଏହି ଖେଳାଳିଙ୍କୁ ଦେଖିଲେ ସଚିନ, ଲାରା ଏବଂ ସେହ୍ୱାଗଙ୍କ କଥା ମନେ ପଡିଯାଏ ।
ସେ କହିଛନ୍ତି ଯେ ଯଦି ସେ ନିଜ ମଧ୍ୟରେ ଏକାଗ୍ରତା ରଖିବା ପାଇଁ ଧ୍ୟାନ ଦିଅନ୍ତି ତେବେ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ରହିବ । ନିଜ ପ୍ରଥମ ଟେଷ୍ଟରେ ଶତକ ପରେ ସେ ଦ୍ୱିତୀୟ ଟେଷ୍ଟରେ ମାତ୍ର ୫୩ ବଲରେ ୭୦ ରନ କରିଛନ୍ତି । ଏହା ସହ ଦ୍ୱିତୀୟ ପାଳିରେ ପୃଥ୍ୱୀ ୩୩ ରନ କରି ଅପରାଜୟ ରହିଥିଲେ ।