Mon. Apr 7th, 2025

ଯୁବକଙ୍କଠାରୁ ଟଙ୍କା ଓ ବାଇକ୍‌ ଛଡ଼ାଇନେଲେ

By amfnews Dec 14, 2018 #Featured
525 Views

ଖଣ୍ଡଗିରି, ଡିସେମ୍ବର ୧୪ : ଗୁରୁବାର ରାତି ପ୍ରାୟ ସାଢ଼େ ୭ଟା ସମୟରେ ଘାଟିକିଆ-କଳିଙ୍ଗନଗର ରାସ୍ତାରେ ଜଣେ ଯୁବକ ଲୁଟେରାଙ୍କ ଶିକାର ହୋଇଛନ୍ତି। ସେ ହେଲେ ଘାଟିକିଆ ଗାଁର ପ୍ରଶାନ୍ତ କୁମାର ରଥ। ଦୁର୍ବୃତ୍ତମାନେ ତାଙ୍କଠାରୁ ୩ ହଜାର ଟଙ୍କା ଓ ବାଇକ୍‌ ଛଡ଼ାଇନେଇଥିବା ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳ ବୁଲି ଛାନ୍‌ଭିନ୍ କରିଛି।

ସୂଚନାନୁସାରେ ଆଜି ପ୍ରଶାନ୍ତ କୌଣସି କାମରେ କଳିଙ୍ଗବିହାର ଯାଉଥିଲେ। ସେ ଭିପୁଲ୍‌ ଗାର୍ଡେନ୍‌ ନିକଟରେ ପହଞ୍ଚିଥିବାବେଳେ ଏକ ବାଇକ୍‌ରେ ଥିବା ୩ ଜଣ ଦୁର୍ବୃତ୍ତ ହଠାତ୍ ତାଙ୍କୁ ଅଟକାଇଥିଲେ।

ପ୍ରଶାନ୍ତ ବାଇକ୍‌ ଅଟକାଇବା ମାତ୍ରେ ଜଣେ ଦୁର୍ବୃତ୍ତ ତାଙ୍କ ମୁହଁକୁ ଲକ୍ଷ୍ୟ କରି ମୁଥ ମାରିଥିଲା। ଅନ୍ୟ ଜଣେ ଧରିଥିବା ଏକ ଲୁହା ରଡ୍‌ରେ ମୁଣ୍ଡକୁ ପିଟିବାକୁ ବସିଥିବାବେଳେ ପ୍ରଶାନ୍ତ ହାତ ଦେଖାଇ ରଡ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଫଳରେ ତାଙ୍କ ହାତରେ କ୍ଷତ ସୃଷ୍ଟି ହୋଇଥିଲା। ଏହା ପରେ ସେମାନେ ପ୍ରଶାନ୍ତଙ୍କ ପକେଟରେ ଥିବା ୩ ହଜାର ଟଙ୍କା ଛଡ଼ାଇ ନେଇଥିଲେ ଓ ମୋବାଇଲ୍‌ଟି ଟାଣିନେବାକୁ ବସିଥିବାବେଳେ ସେ ଦୌଡ଼ିବାକୁ ଲାଗିଥିଲେ। ରାସ୍ତା କଡ଼ରେ ବଣରେ ପଶିଯିବାରୁ ସେମାନେ ଆଉ ପ୍ରଶାନ୍ତଙ୍କ ପିଛା ନ କରି ତାଙ୍କ ବାଇକ୍‌ ନେଇ ଚମ୍ପଟ ମାରିଥିଲେ। ଗ୍ରାମବାସୀମାନଙ୍କ ଅଭିଯୋଗ ଯେ ଏହି ରାସ୍ତାରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି ‌ହେଉ ନଥିବାରୁ ଏଭଳି କାଣ୍ଡ ନିୟମିତ ଘଟୁଛି।

By amfnews

Related Post