Mon. Nov 18th, 2024

ଯାଜପୁର ପୌରପାଳିକା କେଳେଙ୍କାରୀ : ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ

By amfnews Aug 11, 2019 #Featured
96 Views

ଯାଜପୁର : ଯାଜପୁର ପୌରପାଳିକା କେଳେଙ୍କାରୀ ଦାଣ୍ଡରେ ପଡ଼ି ହାଟରେ ଗଡ଼‌ିଲାଣି। ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଅଡିଟ ଟିମ୍‌ ଧରିଥିବା ବେଳେ ୫୯ ଲକ୍ଷ ଟଙ୍କା ଆଦାୟ କରିବାକୁ କହିଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନ ଅଡିଟ ରିପୋର୍ଟକୁ ଆଖି ବୁଜି ଦେବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି।

ଯାଜପୁର ଜିଲ୍ଲା ସଦର ମହକୁମାର ବିକାଶକୁ ଲକ୍ଷ୍ୟ କରି ଅନ୍ୟ ଅଞ୍ଚଳବାସୀ ଈର୍ଷାରେ ଜଳୁଛନ୍ତି। ସେହିପରି ଏହାର ଦୁର୍ନୀତି ପେଡ଼ି ଖୋଲୁଥିବା ବେଳେ ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଯାଜପୁର ପୌରପାଳିକାରେ କୋଟି କୋଟି ଟଙ୍କାର ହସିବ ନାହିଁ। ଏପରିକି ଅଡିଟ ପରେ ଅଡିଟ୍ ଚାଲିଛି। ବ‌ାରମ୍ବାର ଅଡିଟ୍‌ରେ କୋଟି କୋଟି ଟଙ୍କାର ଦୁର୍ନୀତି ଉପରେ ଟିପ୍ପଣୀ ଦେବା ସତ୍ତ୍ବେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀ ରାଜନେତାଙ୍କ ବାହୁ ‌ଛାୟା ତଳେ ରହି ଅଡିଟ୍ ରିପୋର୍ଟକୁ ମଧ୍ୟ ଫୁତକାରରେ ଉଠାଇ ଦେଇଛନ୍ତି। ଯାହାକୁ ଏବେ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି।

୨୦୧୭-୧୮ଆର୍ଥିକ ବର୍ଷର ଅଡିଟ୍ ରିପୋର୍ଟ ନିକଟରେ ପ୍ରକାଶ ପାଇବା ପରେ ଜିଲ୍ଲା ସଦର ମହକୁମାର ଯାଜପୁର ପୌରପାଳିକାର ମହାଦୁର୍ନୀତି ପେଡ଼ି ‌ଖୋଲିବା ଆରମ୍ଭ ହୋଇଛି। ଅଡିଟ୍ ଟିମ୍ ୮୫ଲକ୍ଷ ୬୩ହଜାର ୩୭୨ଟଙ୍କା ଉପରେ ଆପତ୍ତି ଉଠାଇବା ବେଳେ ୫୯ଲକ୍ଷ ୬ହଜାର ୬୬୯ଟଙ୍କା ଠିକାଦାର, କର୍ମଚାରୀ ଓ ଅନ୍ୟାନ୍ୟ ଲୋକଙ୍କଠାରୁ ଭରଣା କରିବାକୁ ପାଇଁ ନିର୍ଦେଶ ଦେଇଛନ୍ତି। ଏପରିକି ବିଭିନ୍ନ ସମୟରେ ପୌର ସଂସ୍ଥା ତହବିଲରୁ ନେଇଥିବା ଅର୍ଥ ଅଡିଟ୍ ସମୟରେ ୨୫ଜଣ ୨ଲକ୍ଷ ୭୪ହଜାର ୫୯୦ ଟଙ୍କା ଫେରସ୍ତ କରିଛନ୍ତି। ସେହିପରି କର୍ମଚାରୀଙ୍କ ଦରମାକୁ କଟାଯାଇଥିବା ଇପିଏଫ୍‌ ବାବଦରେ ମଧ୍ୟ ୨ଲକ୍ଷ ୨୦ହଜାର ୬୬୭ଟଙ୍କା ତହବିଲରେ ପୈଠ କରାଯାଇ ନଥିବା ଭଳି ଆର୍ଥିକ ଅନିୟମତାକୁ ଅଡିଟ୍ ଟିମ୍ ଧରିଛି। ୮୫ହଜାର ୩୭୬ଟଙ୍କା ଆତ୍ମସାତ କରାଯାଇଛି ବୋଲି ଅଡିଟ୍ ରେ ଧରାପଡ଼ିଛି। ସେହିପରି ବିଭିନ୍ନ ଉନ୍ନୟନ କାମ ପାଇଁ ୬୬ଲକ୍ଷ ୮୯ହଜାର ୭୭୮ଟଙ୍କା ୨୦୧୭ ମାର୍ଚ୍ଚା ସୁଦ୍ଧା ବାକି ରହିଛି।

୨୦୧୮ମସିହାରେ ଗୋଟିଏ ଟଙ୍କା ପରିଶୋଧ କରାଯାଇନାହିଁ। ଏହିପରି ବିଭିନ୍ନ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଯାଜପୁର ପୌର ସଂସ୍ଥା ହେରାଫେରି କରାଯାଇଛି। ଯାହାର କାଗଜପତ୍ର ମଧ୍ୟ ଗାଏବ ହୋଇଯାଇଛି। କେତେକ ଅସାଧୁ କର୍ମଚାରୀ ଏହି କାରବାରକୁ ବର୍ଷବର୍ଷ ଧରି ଚାଲୁ ରଖିଛନ୍ତି। ରାଜନୈତିକ ବାହୁ ଛାୟା ତଳେ ଏହି କାରବାର ଚାଲିଥିବା ବେଳେ ଅଡିଟ୍ ଧରାପଡ଼ିଥିଲେ ମଧ୍ୟ ଉଚ୍ଚ ପଦାଧିକାରୀ ପାଟି ଖୋଲୁ ନାହାଁନ୍ତି। ଏଥି ମଧ୍ୟରେ ପୌର ପରିଷଦର ସମୟସୀମା ଶେଷ ହୋଇଯାଇଥିବା ବେଳେ ପ୍ରଶାସନ ପୌରପାଳିକା ଦାୟିତ୍ବରେ ରହିଛି। କୋଟି କୋଟି ଟଙ୍କା ଦୁର୍ନୀତି ଉପରେ ଅଧିକାରୀମାନେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କର ନଜର ରହିଛି।

By amfnews

Related Post