Mon. Nov 25th, 2024

ଯନ୍ତାରେ ପଡ଼ିଲା ବାଘୁଣୀ ‘ସୁନ୍ଦରୀ’

By amfnews Nov 6, 2018 #Featured
136 Views

ଅନୁଗୁଳ, ନଭେମ୍ବର ୬ : ଦୀର୍ଘ ଦିନର ଛକାପଞ୍ଝା ପରେ ଯନ୍ତାରେ ପଡ଼ିଛି ମଣିଷଖିଆ ବାଘୁଣୀ ସୁନ୍ଦରୀ । କୁମ୍‌କୀ ହାତୀ ଯଶୋଦା ଦ୍ୱାରା ସୁନ୍ଦରୀଙ୍କୁ କାବୁ କରାଯାଇଛି । ସାତକୋଶିଆବାସୀନ୍ଦା ଓ ବନ ବିଭାଗର ନିଦ ହଜାଇ ଦେଇଥିବା ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିବା ନେଇ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ବାଘୁଣୀ ସୁନ୍ଦରୀ ଅପରେସନ୍‌ରେ ସଫଳତା ମିଳିଛି । ପ୍ରାୟ ଏକ ମାସର ଲୁଚକାଳି ପରେ ଆଜି ବନ ବିଭାଗ ସୁନ୍ଦରୀଙ୍କୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି । ସାତକୋଶିଆର ମଝିପଡ଼ା ଶିବ ମନ୍ଦିର ନିକଟରେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି । କୁମ୍‌କୀ ହାତୀ ଯଶୋଦା ସାହାଯ୍ୟରେ ମଧ୍ୟ ପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ସ୍ୱତନ୍ତ୍ର ଟିମ୍‌ ବାଘୁଣୀକୁ ଧରିଛି । ଏବେ ତାକୁ ରାଇଗଡ଼ ଏନ୍‌କ୍ଲୋଜର୍‌କୁ ନିଆଯାଉଥିବା ସୂଚନା ମିଳିଛି ।

ପ୍ରଥମେ ବଳଦ ଓ ପରେ ସେପ୍ଟେମ୍ବର ୧୩ ତାରିଖରେ ସାତକୋଶିଆ ହାତୀବରି ଗାଁରେ ଜଣେ ମହିଳାଙ୍କୁ ସୁନ୍ଦରୀ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଲଙ୍କାକାଣ୍ଡ ମଧ୍ୟ ହୋଇଥିଲା । ପୁଣି ଥରେ ଟାଇଁଶି ଗାଁରେ ଜଣେ ପୁରୁଷ ସୁନ୍ଦରୀ ଆକ୍ରମଣରେ ପ୍ରାଣ ହରାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା । ସୁନ୍ଦରୀକୁ ସାତକୋଶିଆରୁ ନେଇଯିବାକୁ ଦାବି ଜୋର ଧରିଥିଲା । ସୁନ୍ଦରୀଙ୍କୁ ସେଠାରୁ ନେଇ ଯିବାକୁ ବନ ବିଭାଗ ନିଷ୍ପତ୍ତି ନେଇଥିଲା । ଗତ ୨୩ ତାରିଖରୁ ଟ୍ରାଙ୍କୁଲାଇଜ୍‌ ଅପରେସନ୍‌ ଆରମ୍ଭ ହୋଇଥିଲା । କିନ୍ତୁ ବାଘୁଣୀ ବାରମ୍ବାର ଚକ୍‌ମା ଦେଇଥିଲା । ଏହା ପରେ ଚନ୍ଦକାରୁ କୁମ୍‌କୀ ହାତୀ ଯଶୋଦାକୁ ଟ୍ରାଙ୍କୁଲାଇଜ୍‌ ପାଇଁ ନିଆଯାଇଥିଲା । ତିନି ଦିର ଅପରେସନ୍‌ ପରେ ଶେଷରେ ଆଜି ସୁନ୍ଦରୀ ଧରା ଦେଇଛି ।

By amfnews

Related Post