“ନୋହିବାରୁ ପୁତ୍ର ବଳାରାଜନରେ ରାଜା କଲେ ନିମଡୋହି ।
ନିମଡୋହି ବୋଲି ଘର ତୋଳିଦେଲେ ନିମବନ ମଧ୍ୟେ ନେଇ ।ା”
ମୁକ୍ତାଦେଈ ଗୋବିନ୍ଦଙ୍କ ମୁଖକୁ ଚାହିଁ ଅଶ୍ରୁଭରା ନୟନରେ ଜୀବନର ଦୁଃଖକାହାଣୀ ଶୁଣାଇଲେ । କହିଲେ-ହେ’ପୁତ୍ର, ତୋର ଏଇ ଅଭାଗିନୀ ମାତା ରାଜଜେମା ହୋଇ ଜୀବନରେ କେତେ ଦୁଃଖ ସହ୍ୟକରିଛି ସେଇ ବେଦନାଭରା କଥା କହିବି ଶ୍ରବଣ କର । ପ୍ରାରବ୍ଧ କର୍ମଫଳ କାରଣରୁ ତୋର ଯେପରି ଅଳ୍ପ ବୟସରେ ମୃତ୍ୟୁଯୋଗ ଆସିପହଞ୍ଚିଛି ସେହିପରି ଆମ ପିତାମାତାଙ୍କର ପ୍ରାରବ୍ଧ ପାପ ଯୋଗୁଁ ପୁତ୍ରସନ୍ତାନ ଜାତହେଲେ ନାହିଁ । ଏହି କାରଣରୁ ମୁଁ ରାଜରାଣୀ ହୋଇ ଭିକାରୁଣୀ ଭଳି ଜୀବନ ବିତାଉଥିଲି । ତୋତେ କୋଳରେ ଧରିବା ପାଇଁ କେତେ କଷ୍ଟ ସହ୍ୟକରିଛି ତାହା ଶ୍ରବଣ କଲେ ମା’ହୃଦୟର କଥା ବୁଝିପାରିବୁ । ତୋର ପିତା ମାଣିକଚନ୍ଦ୍ର ବଙ୍ଗଦେଶର ମହାରାଜା ଅପୁତ୍ରିକ ଥିଲେ । ପୁତ୍ର ଆଶାରେ ସେ ଅନେକ ରାଣୀଙ୍କୁ ବିବାହ କରିଥିଲେ । ମାତ୍ର ସବୁ ରାଣୀଙ୍କ ଅପୁତ୍ରିକ ଦୋଷରୁ ରାଜା ନିରାଶା ଜୀବନ ବିତାଉଥିଲେ । କୁଳରକ୍ଷା ନିମନ୍ତେ ମହାଚିନ୍ତାରେ ପଡ଼ି ଛଟପଟ ହେଲେ । ପାର୍ଷଦଗଣଙ୍କୁ ଡକାଇ ସମାଧାନର ବାଟଖୋଜିବା ପାଇଁ ସଭିଙ୍କୁ ପରାମର୍ଶ ଦେଲେ । ସାମନ୍ତରାଜା ଭାଲଚନ୍ଦ୍ରଙ୍କ ଭାଗ୍ୟବତୀ ରାଜକୁମାରୀ ମୁକ୍ତାଙ୍କୁ ବିବାହ କଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ରାଜଗୁରୁ ସୂଚାଇ ଦେଲେ । ରାଜଗୁରୁଙ୍କ ପରାମର୍ଶକ୍ରମେ ରାଜାମାଣିକଚନ୍ଦ୍ର ମୋର ପିତା ଭାଲଚନ୍ଦ୍ରଙ୍କ ନିକଟକୁ ଦୂତ ହସ୍ତରେ ଚିଟାଉ ପଠାଇଲେ । ବିବାହ ଚିଟାଉ ପାଇ ମୋର ପିତାମାତା ପ୍ରସ୍ତାବକୁ ସାଦରେ ଗ୍ରହଣ କଲେ । ତହିଁପରେ ଅଷ୍ଟରତ୍ନର ଅଳଙ୍କାର, ଦାସଦାସୀ, ବହୁସଂଖ୍ୟାରେ ହସ୍ତୀ, ଅଶ୍ୱ, ମୂଲ୍ୟବାନ ଉପଢୌକନ ଦେଇ ମାଣିକଚନ୍ଦ୍ରଙ୍କ ସହିତ ବିବାହ କରାଇଲେ । ବିବାହର ସାତବର୍ଷ ବିତିଗଲା । ତୋର ପିତା କେବଳ ପୁତ୍ର ଆଶାରେ ବିବାହ କରିଥିବାରୁ ଦୈବମତେ ମୋର ସାତଗର୍ଭ ଯାଏଁ କେବଳ ଦୁହିତା ଜନ୍ମନେଲେ । ତହିଁପରେ ରାଜାଙ୍କ ମନରେ ମୋ ପ୍ରତି ଅବିଶ୍ୱାସ ଅଣଆଦରଭାବ ସୃଷ୍ଟିହେଲା । ରାଜଗୁରୁଙ୍କ ବଚନ ମିଥ୍ୟା ପ୍ରମାଣିତ ହେବାରୁ ରାଜା କ୍ରୋଧ ପ୍ରକାଶ କରି ମୋ ଉପରେ ଦାଉସାଧିଲେ । ଅଭାଗିନୀ ନାରୀର ସଂସ୍ପର୍ଶରେ ଅନାବଶ୍ୟକ ବ୍ରହ୍ମକ୍ଷୟ ଦୋଷରେ ରାଜା ନିଜକୁ ଧିକ୍ମଣିଲେ । ଏପରି ନାରୀ ରାଣୀହଂସପୁରରେ ବାସକରିବା ଯୋଗ୍ୟନୁହେଁ କହି ମୋତେ ଧିକ୍କାର ବଚନରେ ଯନ୍ତ୍ରଣା ଦେଲେ ।
ମୁକ୍ତାଦେଈ ବାଷ୍ପରୁଦ୍ଧକଣ୍ଠରେ ପୁଣି କହିଲେ-ହେ’ପୁତ୍ର, ନରପତିମାନଙ୍କ ମସ୍ତିଷ୍କ ବିଚଳିତ ହେଲେ ସେମାନେ ଧର୍ମଅଧର୍ମ କିଛି ବୁଝନ୍ତି ନାହିଁ । ଯାହା ମନକୁ ଆସିଲା ତାହା କରିପକାନ୍ତି । ପୁତ୍ରବତୀ ନହେବାରୁ ତୋର ପିତା ପତ୍ନୀର ମର୍ଯ୍ୟାଦା ଉଲ୍ଲଘଂନ କଲେ । ନିମଡୋହି ନାରୀ କହି ରାଜପ୍ରାସାଦରୁ ନିର୍ବାସନ କରିଦେଲେ! ଘୋରବଣ ମଧ୍ୟରେ ଥିବା ନିମବୃକ୍ଷ ତୋଟାରେ ରଖାଇଲେ । ପତିବ୍ରତାନାରୀ ସ୍ୱାମୀଙ୍କ ଇଚ୍ଛାପୂରଣ ନିମନ୍ତେ ସବୁକଷ୍ଟ ସ୍ୱୀକାର କରିଥାନ୍ତି । ସେହିପରି ସ୍ୱାମୀଙ୍କ ଆଜ୍ଞାପାଳନ କରି ମୁଁ ନିର୍ବାସିତା ବନ୍ଦିନୀଭାବରେ ଏକାକିନୀ ବଣଭିତରେ ପତ୍ରକୁଡ଼ିଆରେ ବାସକଲି । ରାଜରାଣୀ ହୋଇ ଜଙ୍ଗଲରେ ପଡ଼ିଖାଇ ବହୁ ଦୁଃଖରେ କାଳବିତାଇଲି । ନିଷ୍ଠୁରପଣରେ ତୋର ପିତା ଅତି ନିକୃଷ୍ଟଖାଦ୍ୟ ବ୍ୟବସ୍ଥା କରି କଏଦୀ ପରି ରଖାଇଲେ । ଦିନକୁ ସେରଟିଏ ଖୁଦ, ବାଇଗଣ ଭୁଣ୍ଡି, ପରିବାଚୋପା, କଳମଲଟାଶାଗ ମୋର କ୍ଷୁଧାମେଣ୍ଟାଇବା ପାଇଁ ଖଞ୍ଜାଇଥିଲେ । ତେଲ ସିନ୍ଦୁର ଅଭାବରୁ ମୋ ମଥାର ଚୂଟି ବୀଭତ୍ସ ଦିଶୁଥିଲା । ଅଙ୍ଗବସ୍ତ୍ର ବିନା ବୃକ୍ଷରବକ୍ଳ ପରିଧାନ କରୁଥିଲି । ରାଜଜେମା ହୋଇ ଯନ୍ତ୍ରଣା ଜର୍ଜରିତ ଜୀବନ ବିତାଇବା ମୋ ପକ୍ଷେ ସମ୍ଭବ ହେଲାନାହିଁ । ମୋର ବାପଘରକୁ ଡଗର ପଠାଇ ସବୁ ଘଟଣା ଜଣାଇଲି । ଡଗରମୁଖରୁ ସମ୍ବାଦ ପାଇ ମୋର ପିତା ଭାଲଚନ୍ଦ୍ର ଓ ମାତା ମଉନା ଦେଈ ଦୁଃଖରେ ଭାଙ୍ଗିପଡ଼ିଲେ । ଅଲିଅଳୀ ସୁକୁମାରୀ କନ୍ୟାର ବନବାସ ଯନ୍ତ୍ରଣାକୁ ସହ୍ୟ କରିପାରିଲେ ନାହିଁ । ଡଗର ହସ୍ତରେ ଏକସହସ୍ର ସୁନାମୁଣ୍ଡା ପଠାଇଲେ । ଏହି ସୁନାକୁ ଭଙ୍ଗାଇ ବଣ ମଧ୍ୟରେ ରାଣୀ ପ୍ରାସାଦନିର୍ମାଣ କରିବା ପାଇଁ ପରାମର୍ଶ ଦେଲେ । ଡଗରମୁଖରୁ ସବୁବାର୍ତ୍ତା ଶ୍ରବଣ କରି ସୁନା ଗ୍ରହଣ କଲି । ସେଇ ସୁବର୍ଣ୍ଣକୁ ଧରି ବଙ୍ଗବଜାରକୁ ଗଲି । ବଣିଆ ଗୃହରେ ଭଙ୍ଗାଇ ଲକ୍ଷ ଲକ୍ଷ ମୁଦ୍ରା ଆଣିଲି । ତାହାକୁ ବ୍ୟୟକରି ନିମବଣରେ ସୁଉଚ୍ଚପ୍ରାସାଦ ନିର୍ମାଣ କଲି । ତୋର ପିତା ଯେଉଁପରି ନବରରେ ବାସକରୁଛନ୍ତି ସେହିପରି ନବର ତୋଳାଇ ହସ୍ତୀ, ଘୋଡ଼ା, ସୈନ୍ୟସାମନ୍ତ ରଖାଇଲି । ତୋର ପିତା ପାଳିଥିବା ଶୁଆସାରୀ ଭଳି କୌତୁକିଆ ଶୁଆସାରୀ ପୋଷିଲି । ନିମବଣରେ ରାଜସୁଖରେ କାଳାତିପାତ କଲି ।
ହେ’ପୁତ୍ର, ଏକଦିନେ ତୋର ପିତା ମୃଗୟା ଉଦ୍ଦେଶ୍ୟରେ ବଣକୁ ଯାଇଥିଲେ । ସେଇବେଳାରେ ମୋର ପୋଷା ସାରୀ ଡାକଦେଲା- ମଣିମା, ମଣିମା, ଗୁହାରି ଶୁଣିବା ହେଉ । ଭବଜଳେ ଭାସିଗଲି ଅଭାଗିନୀର ଡାକ ଶୁଣିବା ହେଉ । ସାରୀର ବଚନ କର୍ଣ୍ଣରେ ପଡ଼ିବାରୁ ରାଜା ଚକିତ ହୋଇପଡ଼ିଲେ । କାହାର ପୋଷା ସାରୀ ଏପରି ମର୍ମଭେଦୀ ବାକ୍ୟ କହିପାରୁଛି ସନ୍ଧାନ ନେବା ପାଇଁ ସୈନ୍ୟମାନଙ୍କୁ ପଠାଇଲେ । ଅନୁସନ୍ଧାନ କରିବା ପରେ ସେନାପତି ଆସି କହିଲେ-ହେ’ମଣିମା, ଯାହାଙ୍କୁ ନିମଡୋହି କହି ନିର୍ବାସନଦଣ୍ଡ ଦେଇଥିଲ ସେଇ ରାଣୀ ମୁକ୍ତା ଦେଈଙ୍କ ନବରର ସାରୀ ମୁଖରୁ ଏହି ବାଣୀ ଶୁଭୁଥିଲା ବୋଲି ଆମ୍ଭେ ପ୍ରମାଣ ସଂଗ୍ରହ କରିଛୁ । ଆହୁରି କଥାଏ ଶୁଣିବା ହେଉ ମଣିମା, ରାଣୀ ମୁକ୍ତା ଦେଈ ତୁମ୍ଭ ନବରଠାରୁ ଆହୁରି ସୁନ୍ଦର ସୁନାରୂପା ଖଚିତ ମହଲ ନିର୍ମାଣ କରି ନିମବଣରେ ବାସକରୁଛନ୍ତି! ତାଙ୍କ ସିଂହଦ୍ୱାର ତୁମ୍ଭ ସିଂହଦ୍ୱାର ଠାରୁ ଅଧିକ ମନୋହର, ଶକ୍ତିଶାଳୀ! ରାଣୀଙ୍କ ସୈନ୍ୟବଳଙ୍କୁ ଆମ୍ଭେ ପ୍ରତିହତ କରିବା ସମ୍ଭବ ହେଲାନାହିଁ । ମୁକ୍ତା ଦେଈଙ୍କର ସ୍ୱର୍ଗସମ ପ୍ରାସାଦ ଦେଖିବା ପରେ ତୁମ୍ଭଙ୍କୁ ଆସି ଜଣାଇଲୁ ।
ହରି ଓଁ ତତ୍ସତ୍ ।