Sat. Nov 2nd, 2024
149 Views

“ଯୋଗୀକୁଳ ବଡ଼ଦୁଃଖ ଲୋ ଜନନୀ ରାଜକୁଳ ବଡ଼ସୁଖ ।
ନ ମାନନ୍ତି ଯୋଗୀ ଖରା ଯେ ବରଷା ବୁଲି ମାଗୁଥାନ୍ତି ଭିକ ।ା”

ମାତାଙ୍କ କୋହଭରା ବଚନ ଶ୍ରବଣ କରି ରାଜାଗୋବିନ୍ଦ ମ୍ରିୟମାଣ ହୋଇପଡ଼ିଲେ । ଭାଳିହେଲେ ଯେଉଁ ଯୁବରାଜା ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ଚାରିଦିଗରେ ରାଜତ୍ୱକରୁଥିବା ରାଜାଙ୍କର ଅନେଶତ ସୁନ୍ଦରୀକନ୍ୟାଙ୍କୁ ବିବାହ କରି ବଳବୀର୍ଯ୍ୟଧାରୀ ବୋଲାଉଛନ୍ତି, ଅଶୀକୋସ ଦୂର ପର୍ଯ୍ୟନ୍ତ ଯାହାଙ୍କର ତେଜକୁ ଦେଖି ଶତ୍ରୁମାନେ ଭୟରେ ଥରହର ହେଉଛନ୍ତି, ସେଇ ପ୍ରଜାରଞ୍ଜନରାଜା ଯୋଗୀ ହୋଇଯିବେ,ଏହା ତ ଅସମ୍ଭବ ଘଟଣା! ଜନଜଗତ କ’ଣ କହିବେ! ଯେଉଁ ସୁନ୍ଦରୀ ରମଣୀଗଣ ମୋର ପୁରୁଷାକାରକୁ ଜୟ ଜୟଧ୍ୱନି କରୁଛନ୍ତି ସେମାନେ କାପୁରୁଷ କହି ନାକଟେକିବେ । ଶତ୍ରୁ ରାଜାମାନେ ଅଙ୍ଗୁଳି ଦେଖାଇ ତାତ୍ସଲ୍ୟ କରିବେ । ଜୀବନର ସବୁ ଆଶା ଧୂଳିସାତ୍ ହୋଇଯିବ ।

ଏମନ୍ତ ଭାଳିହୋଇ ଗୋବିନ୍ଦ ମାତାଙ୍କୁ କହିଲେ ହେ’ଜନ୍ମଦାତ୍ରୀ, ତୁମ୍ଭେ ଯେଉଁ ପରାମର୍ଶ ଦେଲ ତାହା ଜଣେ ସୁପୁତ୍ର ପ୍ରତି ପ୍ରଯୁଜ୍ୟ ହୋଇପାରେ । ମାତ୍ର ଜଣେ ଯୁବରାଜ ପ୍ରତି ଏପରି ଆତ୍ମଜ୍ଞାନପଥ ଯୋଗୀବେଶ ଆଦୌଁ ସ୍ପୃହଣୀୟ ନୁହେଁ । ଯୋଗୀମାନେ ସଂସାରବୈରାଗୀ ହୋଇ ଦୁଃଖୀଜୀବନ ବିତାଇଥାନ୍ତି । ସେମାନେ ଖରା ବର୍ଷା ଶୀତକୁ ଭୃକ୍ଷେପ କରନ୍ତି ନାହିଁ । ଯୋଗବିଧି ଅନୁଯାଇ ଏକଇ ସ୍ଥାନରେ ବାସକରିବା ସେମାନଙ୍କୁ ମନା । ରାତିପାହିଲେ ଗାଁ ଗାଁ, ଦ୍ୱାରଦ୍ୱାର ବୁଲି ଉଦରପୋଷଣ ନିମନ୍ତେ ଭିକମାଗନ୍ତି । ଦୁଃଖ ସହ୍ୟକରି ସୁଖଆଶାରେ ନିମଗ୍ନଥାନ୍ତି! ଯେଉଁ ଆତ୍ମସୁଖରେ ଭଗବତ୍‌ଦର୍ଶନ ଛପିରହିଥାଏ ସେଇ ଅଜଣା ଆନନ୍ଦ ପାଇଁ ନିଲଠାପଣରେ ଘୁରିବୁଲୁଥାନ୍ତି । ରାଜକୁଳ, ଯୋଗୀକୁଳ ମଧ୍ୟରେ ବହୁ ଦୂରତା ରହିଛି । ହେ’ମାତା, ଯଦି ତୁମେ ପୁତ୍ରକୁ ଯୋଗୀ କରିବାର ଆଶା କରିଥିଲ ଅଜ୍ଞାନ ବାଳୁତକାଳରେ ଯୋଗୀ କଲ ନାହିଁ କାହିଁକି? ଯୁବାବୟସରେ ରାଜସୁଖ, ଅଜସ୍ର ଭୋଗବସ୍ତୁ, ଦୁର୍ଜୟ କାମଭାବନା ତ୍ୟାଗକରି ରାଜପୁତ୍ର ଦୁଃଖର ଅର୍ଗଳି ଭିତରେ ପ୍ରବେଶ କରିବା କ’ଣ ସମ୍ଭବ? ଜୀବମାୟାର ମଧୁର କିମ୍ବା ତିକ୍ତ ଅନୁଭୂତି ବାଳୁତକାଳରେ ବୁଝାପଡ଼େନାହିଁ । ଭୋଗ, ରାଗ, ବିଷୟାବାସନା, ବୈରାଗ୍ୟଆଦି ପିଲାବୁଦ୍ଧିରେ ନ ଥାଏ ।

ତୁମେ ପିଲାବେଳରୁ ଯୋଗୀଥାଳରେ ନ ଭୁଞ୍ଜାଇ ପ୍ରାପ୍ତବୟସରେ ଯୋଗୀହେବା ପାଇଁ ପ୍ରବର୍ତ୍ତାଉଛ କିପରି? ଯଦି ତୁମେ ଜାଣିଥିଲ ଏକବିଂଶ ବର୍ଷରେ ମୋର ମୃତ୍ୟୁଯୋଗ ଅଛି ତେବେ ରୋଦମା, କୋଦମା, ଶୁଶୀଳା, କୁନ୍ତଳା, ମରୁଆ, ମାଳତୀଆଦି ଅନେଶତ ଅଲିଅଳୀ ରାଜଜେମାଙ୍କ ସହିତ ବିବାହ କରାଉଥିଲ କାହିଁକି? ସେମାନଙ୍କର ଅକାଳ ବୈଧବବେଶ, ଯୁବତୀମନର ବିଳାପ, ବୟସର ଆହ୍ୱାନ, ଦାରୁଣ ଦୁଃଖଦାୟକ ହେବ! ହେ’ମାତା, ଯଦି ତୁମ ମନରେ ଏତେ କପଟଥିଲା ତେବେ ବଳିଷ୍ଠପୁତ୍ରକୁ ରାଜସଭାମାନଙ୍କରେ ଛିଡ଼ାକରାଇ ଗର୍ବ ଅନୁଭବ କରୁଥିଲ କିପରି? ଯେଉଁ ପୁତ୍ରକୁ ଦଶମାସ ଦଶଦିନ ଧରି ଗର୍ଭରେ ଧରିଲ, ଧରଣୀମାଟିରେ ଭୂମିଷ୍ଠ କରାଇ କୋଡ଼ିଏ ବର୍ଷଯାଏଁ ପାଳନ ପୋଷଣ କଲ ସେଇ ଏକଇର ବଳାକୁ ଦାଣ୍ଡରଭିକାରୀ କରିଦେବା ପାଇଁ ଇଚ୍ଛା ବଳାଇଛ କିପରି? ହେ’ମାତା, ରାଜସିଂହାସନରେ ଥାଇ ଯମଭୁବନକୁ ଯିବି ସିନା ଛାର ମରଣକୁ ଡରି ଯୋଗୀଲାଉରେ ଅନ୍ନମାଗି ଭୁଞ୍ଜି ପାରିବି ନାହିଁ । ଏପରି ହୀନମନ୍ୟତାକୁ ଆପଣେଇ ରାଜପୁତ୍ର କେବେ ବଞ୍ଚିପାରିବ ନାହିଁ । ତୁମେ ବିଚାର ବଦଳାଇ କ୍ଷମା କରିଦିଅ ମାତା!

ପୁତ୍ରର ଅବୁଝାମନର ବଚନ ଶ୍ରବଣ କରି ମୁକ୍ତାଦେଈ ଆଖିରୁ ଲୁହ ଝରାଇଲେ । ଭାଳିହେଲେ ମନର ବଳଠାରୁ ବଳି ବଡ଼ବଳ ଆଉ କିଛିନାହିଁ । ସେଇ ମନମୟ ଶକ୍ତିବଳରେ ପୁତ୍ରକୁ ଅମରପଥରେ ବାହିନେବା ନିମନ୍ତେ ସବୁ କିଛି କରିପାରିବେ ବୋଲି ସ୍ଥିର କଲେ । ଯେଉଁ ଏକାକ୍ଷରୀ ‘ମା’ଶବ୍ଦ ସମଗ୍ର ଜଗତକୁ ଧରିରଖିଛି ସେଇ ମା’ର ପୁଣ୍ୟବନ୍ତ କୋଳରୁ ଯୁବାପୁତ୍ରକୁ ଯମ ଛଡ଼ାଇନେବ ଏହା କେବେ ସମ୍ଭବ ହେବ ନାହିଁ । ମାଆର ହୃଦୟ ବିଷ୍ଣୁଙ୍କ ହିରଣ୍ୟଗର୍ଭଠାରୁ ଆହୁରି ପ୍ରଶସ୍ତ, ମହାନ୍‌! ମାତାଗର୍ଭଧାରୀର ରକ୍ତମାଂସରେ ଗଢ଼ା ପୁରୁଷକାୟାକୁ ଅକାଳରେ ଝଡ଼ିପଡ଼ିବା ପାଇଁ ମା’ କେବେ ସୁଯୋଗ ଦେଇ ନ ଥାଏ । ମା’ର କର୍ତ୍ତବ୍ୟପଥରେ ଯେତେ ଝଡ଼ଝଞ୍ଜା ଆସିଲେ ବି ସେ ଡରି ଯାଏ ନାହିଁ ।

ଛାତିକି ପଥର କରି ରାଜ୍ୟଦାଣ୍ଡରେ ଚାଲୁଥିବା ମାଆ କେବେ ଦୁର୍ବଳ ହୋଇପାରେ ନାହିଁ । ସନ୍ତାନଙ୍କ ରକ୍ଷା ଉଦ୍ଦେଶ୍ୟରେ ଯୁଦ୍ଧ ଅଥବା ଶାନ୍ତିର ପଥ ଚୟନକରିବା ମାଆର ପ୍ରଥମ କାର୍ଯ୍ୟ । ଏପରି ଭାଳିହୋଇ ପୁତ୍ରର ବିପତ୍ତିକାଳରେ ମୁକ୍ତାଦେଈ ଭାଙ୍ଗି ନପଡ଼ି ସାନ୍ତ୍ୱନାମୂଳକ ବାକ୍ୟରେ କହିଲେ ହେ’ପୁତ୍ର ଗୋବିନ୍ଦାଇ, ଯାହାକୁ ତୁ ଯୋଗୀଲାଉ ବୁଝୁଛୁ ବାସ୍ତବରେ ତାହା ଶିବଥାଳ । ଯେଉଁ ଶିବଥାଳ ଧରି ଅନେକ ସାଧୁସନ୍ଥ ଅର୍ଧରୁ ଉର୍ଦ୍ଧ୍ୱକୁ ଗମନ କରିପାରିଛନ୍ତି । ସାଧାରଣ ମନୁଷ୍ୟରୁ ଅସାଧାରଣ ମୁନିଋଷିରେ ରୂପାନ୍ତରିତ ହୋଇ ପାରିଛନ୍ତି! ଚାରିଯୁଗରେ ଅମର ହୋଇ ଦିବ୍ୟଭୁବନ ଗ୍ରହଣ କରିଛନ୍ତି । ତୋତେ ସେଇ ଶିବଥାଳ ଧରାଇ ଅଜର ଅମର ହେବା ପାଇଁ ସବୁକଥା ବୁଝାଇ କହୁଛିରେ ପୁତ୍ର । ମନୁଷ୍ୟର ଜନ୍ମ-ମରଣଚକ୍ର ବଡ଼ ଦୁଃଖଦାୟକ! ଜନ୍ମବେଳାର ଆନନ୍ଦ ମୃତ୍ୟୁକାଳରେ ନ ଥାଏ । ଜୀବନର ସବୁ ମୂଲ୍ୟବାନ ସଂରକ୍ଷିତ ଧନଦୈାଲତ ଛାଡ଼ି ଜୀବାତ୍ମା ନିଜବାଟରେ ଫେରିଯାଏ! ପରମଆତ୍ମୀୟ ବୋଲାଉଥିବା କେହିଜଣେ ଆହା ସ୍ୱାହା କରିବା ପାଇଁ ସାଙ୍ଗରେ ଯାଇନଥାନ୍ତି । ସେଥିପାଇଁ କହୁଛିରେ ଧନ ମା’ର ମମତାକୁ ଏଡ଼ାଇ ଦିଏନା! ମୋ ବୋଲକରି ଆସନ୍ତା କାଲିଠାରୁ ଯୋଗୀବେଶରେ ଦୁନିଆ ଦାଣ୍ଡରେ ଭ୍ରମଣ କର! ଜଗତପ୍ରାଣୀଙ୍କର ରକ୍ଷକ ଶିବନାରାୟଣ ଅବଶ୍ୟ ତୋର ଦୁଃଖ ଲାଘବ କରିବେ!

ହରି ଓଁ ତତ୍‌ସତ୍ ।

By amfnews

Related Post