Fri. Dec 27th, 2024

ମେକ୍ସିକୋର ସ୍ବାସ୍ଥ୍ୟକର ଫଳ କଳାହାଣ୍ଡିରେ ଗୁଣିତକ କରିବ ଚାଷୀଙ୍କ ଆୟ

By amfnews Jan 11, 2021 #Featured
293 Views

କଳାହାଣ୍ଡି, ଜାନୁଆରୀ ୧୧ : ଅଧିକ ଫାଇବର ଓ କମ କ୍ୟାଲୋରି ତଥା  କମ ଫ୍ୟାଟ ଓ ମିନେରାଲରେ ଭରପୁର ଏକ ବିଦେଶୀ ଫଳ ଏବେ ସଫଳତାର ସହିତ କଳାହାଣ୍ଡିର ମାଟିରେ ଚାଷ ହୋଇପାରିଛି । ଜଣେ ଚାଷୀ ମାତ୍ର ୨୦ ଡ଼ିସିମିଲ ଜମିରେ ଏଭଳି ବିଦେଶୀ ଫଳ ଚାଷ କରି ୫ ଲକ୍ଷ ଆୟର ସମ୍ଭାବନା ଦେଖୁଛନ୍ତି ।

ମରୁଭୂମିର ସିଜୁ ଓ ସପ୍ତଫେଣି ପ୍ରଜାତିର ଏହି କଣ୍ଟାଯାତୀୟ ଉଷ୍ମ ମଣ୍ଡଳୀୟ ଫଳ ସାରା ବିଶ୍ୱରେ ଡ୍ରାଗନଫ୍ରୁଟ ନାମରେ ପରିଚିତ । ଡ୍ରାଗନଫ୍ରୁଟ ଦକ୍ଷିଣ ମେକ୍ସିକୋ ଓ କେନ୍ଦ୍ରୀୟ ଆମେରିକାର ଉତ୍ପତ୍ତିସ୍ଥଳ ହୋଇଥିବା ବେଳେ ଏବେ ଏହା ସାରା ବିଶ୍ୱରେ ଚାଷ ହେଉଛି । ଓଡ଼ିଶାରେ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର କେତେକ ଗାଁରେ ଚାଷୀ ଡ୍ରାଗନଫ୍ରୁଟ ର ଚାଷ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅଧିନସ୍ଥ ବମକ ପଞ୍ଚାୟତ ବାଂଗେଲ ଗାଁର ଗୌରାଙ୍ଗ ଚରଣ ସାହୁଙ୍କ ପୁଅ ବୈଷ୍ଣବ ଚରଣ ସାହୁ ଗୋଟିଏ ଡ୍ରାଗନଫ୍ରୁଟ ଗଛର ଚାରାକୁ ୧୦୦ ଟଙ୍କା ଦରରେ ୧୦୦୦ ଚାରା ଗୁଜୁରାଟ ଦ୍ୱାରକା ଅଞ୍ଚଳରୁ ଆଣି ଯେତେବେଳେ ପ୍ରଥମ କରି ଚାଷ ଆରମ୍ଭ କଲେ ସେତେବେଳେ ଚାଷୀ ମାନେ ଏଭଳି କଣ୍ଟା ଫଳ ର ଭବିଷ୍ୟତ ନେଇ ଆଶଙ୍କା ପ୍ରକଟ କରିଥିଲେ । କିନ୍ତୁ ବୈଷ୍ଣବ ନିରାଶ ହୋଇନଥିଲେ । ପଲିହାଉସ,ତାରଜାଲି, ସିମେଣ୍ଟ ଖୁଣ୍ଟ ପାଇଁ ଅର୍ଥ ନଥିବାରୁ ବୈଷ୍ଣବ ବାଉଁଶ ଖୁଣ୍ଟ ଓ ଦଉଡି ଆଦି ସ୍ଥାନୀୟ ସମ୍ବଳ ବ୍ୟବହାର କରି ଆରମ୍ଭ କରିଥିଲେ ଚାଷ । ଏଥିରୁ ସେ ପ୍ରଥମ ବର୍ଷର ଅମଳ ଭାବେ ୧.୫କ୍ୟୁଣ୍ଟାଲ ଫଳ ଅମଳ କରି ଆଖପାଖରେ ବିକ୍ରି କରିଥିଲେ । ରାୟପୁର ବଜାରରେ କେଜିପ୍ରତି ୫୦୦ଟଙ୍କା ଦରରେ ବିକ୍ରି ହେଉଥିବାରୁ ଡ୍ରାଗନଫ୍ରୁଟ ଜରିଆରେ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଛନ୍ତି ବୈଷ୍ଣବ ।

By amfnews

Related Post